ମୁମ୍ୱାଇ,୧୧/୧୨:ମୃଣାଳ ଠାକୁରଙ୍କ ଅପ୍କମିଙ୍ଗ ଫିଲ୍ମ ‘ଦୋ ଦିୱାନେ ସେହେର ମେଁ’କୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ଫିଲ୍ମର ନୂଆ ପୋଷ୍ଟର୍ ସିନେପ୍ରେମୀଙ୍କ ଉତ୍ସାହ ବଢ଼ାଇଛି । ଏଥିରେ ସହର ଦୃଶ୍ୟ ରହିଛି, ଯେଉଁଠି ଭାବପ୍ରବଣତା, ଉର୍ଜ୍ଜା ଓ ସୁନ୍ଦରତାର ଏକ ପ୍ରେମକାହାଣୀ ଗଢ଼ିଉଠିଛି । ଫିଲ୍ମରେ ମୃଣାଳଙ୍କ ଅପୋଜିଟ୍ରେ ସ୍କ୍ରିନ୍ ସେୟାର କରିଛନ୍ତି ସିଦ୍ଧାନ୍ତ ଚତୁର୍ବେଦୀ ।
ମୃଣାଳ ଫିଲ୍ମର ପୋଷ୍ଟର୍ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରି କ୍ୟାପ୍ସନ ଲେଖିଛନ୍ତି, ଶଶାଙ୍କ ଓ ରୋଶ୍ନିର ପ୍ରେମରେ ଆପଣଙ୍କୁ ପ୍ରେମ ହୋଇଯିବ! ୨୦୨୬, ଫେବ୍ରୁଆରୀ ୨୦ରେ ବଡ଼ ପରଦାକୁ ଆସିବ ‘ଦୋ ଦିୱାନେ ସେହେର ମେଁ’ । ପୋଷ୍ଟ୍ଟି ଚାହୁଁ ଚାହୁଁ ଫ୍ୟାନ୍ଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ପୂର୍ବରୁ ଦୁଇ ମୁଖ୍ୟ କଳାକାର ମୋସନ୍ ପୋଷ୍ଟର୍ ଜାରି କରି ଫିଲ୍ମର ନାଁ ଘୋଷଣା କରିଥିଲେ । ଏହି ରୋମାଣ୍ଟିକ୍ ଡ୍ରାମାର ନିର୍ଦ୍ଦେଶନା ଦେଉଛନ୍ତି ରବି ଉଦ୍ୟାୱାର । ଆଧୁନିକ ମାହୋଲରେ ପୁରୁଣା କାଳର ରୋମାନ୍ସର ମହକକୁ ପରଦାରେ ଜୀବନ୍ତ ଫୁଟାଇବେ ସିଦ୍ଧାନ୍ତ-ମୃଣାଳ । ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତର ସଙ୍ଗମ ଏଥିରେ ରହିବ । ଅଜୟ ଦେବଗନଙ୍କ ସହିତ ‘ସନ୍ ଅଫ୍ ସର୍ଦ୍ଦାର-୨’ରେ ଶେଷ ଥର ବଡ଼ ପରଦାକୁ ଆସିଥିଲେ ମୃଣାଳ । ଡେଭିଡ୍ ଧୱନଙ୍କ ଅପ୍କମିଙ୍ଗ ରୋମାଣ୍ଟିକ୍ କମେଡି ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ ପାଇଁ ସେ ପ୍ରସ୍ତୁତ ଚଳାଇଛନ୍ତି । ଏଥିରେ ବରୁଣ ଧୱନ, ପୂଜା ହେଗ୍ଡେ, ମୌନି ରୟ, ଜିମ୍ମି ଶେରଗିଲ, ଚଙ୍କି ପାଣ୍ଡେ ଓ ମନୀଷ ପଲ୍ଙ୍କୁ କାଷ୍ଟ୍ କରାଯାଇଛି । ‘ଡକାୟତ’ ଶୀର୍ଷକ ଅନ୍ୟତମ ପ୍ରୋଜେକ୍ଟରେ ମଧ୍ୟ ଦେଖାଦେବେ ମୃଣାଳ ।