ଭୁବନେଶ୍ୱର,୨୭/୧୦: ୟୁନିଟ୍‌-୩ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଶନିବାରଠୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ "ମୃତ୍ତିକା-୨୦୨୪' ଆରମ୍ଭ ହୋଇଛି । ବିଭାଗ ଅଧୀନ ହସ୍ତଶିଳ୍ପ  ନିର୍ଦ୍ଦେଶାଳୟ ଆୟୋଜିତ ଏହି ପ୍ରଦର୍ଶନୀ ୨୬ରୁ  ୩୦ ଅକ୍ଟୋବର ଯାଏ ଚାଲିବ । ପ୍ରତିଦିନ ୧୧ଟାରୁ  ରାତି ୯ଟା ପର୍ଯ୍ୟନ୍ତ ଷ୍ଟଲ୍‌ଗୁଡ଼ିକ ଖୋଲା ରହିବ, ଲୋକମାନେ ଏହାର ସୁଯୋଗ ନେଇପାରିବେ ।  

ଚଳିତ ବର୍ଷ ୨୭ଟି ଜିଲ୍ଲାର ୩୦୦ରୁ ଊଦ୍ଧ୍ୱର୍  କାରିଗର ଅଂଶଗ୍ରହଣ କରିଛନ୍ତି । ପ୍ରାୟ ଅଢ଼େଇ  କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବେପାର ହେବ ବୋଲି  ଆକଳନ କରାଯାଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା  ପାଇଁ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ  କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହେବ । ଗୋଟିଏ  ସ୍ଥାନରେ ଟେରାକୋଟା ହସ୍ତଶିଳ୍ପ ପ୍ରଦର୍ଶିତ  କରିବା ଏବଂ କାରିଗରମାନଙ୍କ ଆର୍ଥିକ ଉନ୍ନତି  ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ  କରିବା ହେଉଛି ‘ମୃତ୍ତିକା’ର ମୂଳ ଲକ୍ଷ୍ୟ ।  

 ସନ୍ଧ୍ୟାରେ ଏହାକୁ ମୁଖ୍ୟ ଅତିଥି  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ  ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ  ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।  ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ  ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ,  ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ବୟନଶିଳ୍ପ  ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ଅତିରିକ୍ତ ଶାସନ  ସଚିବ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ନିର୍ଦ୍ଦେଶକ  ଶିଶିର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ ।  

ସୂଚନାଯୋଗ୍ୟ,"ଟେରାକୋଟା' ହସ୍ତଶିଳ୍ପ ଓଡ଼ିଶା  ସରକାରଙ୍କ ଅନୁମୋଦିତ ୫୧ଟି ହସ୍ତଶିଳ୍ପ ମଧ୍ୟରୁ ପ୍ରମୁଖ ହସ୍ତଶିଳ୍ପ । ରାଜ୍ୟରେ ୩୬,୦୦୦ କାରିଗର  ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ୪୦ରୁ ଅଧିକ  ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି । ସେହି କଳା  ଓ କାରିଗରିକୁ ପ୍ରୋତ୍ସାହନ ସ୍ୱରୂପ ୨୦୦୬ ମସିହାରୁ  ପ୍ରତିବର୍ଷ ଦୀପାବଳି ପୂର୍ବରୁ ‘ମୃତ୍ତିକା’ ଆୟୋଜିତ  ହୋଇଆସୁଛି । ଚଳିତ ବର୍ଷ ଏହା ୨୨ରୁ ୨୯ ଅକ୍ଟୋବର  ପର୍ଯ୍ୟନ୍ତ ହେବାର ଥିଲା । କିନ୍ତୁ ବାତ୍ୟା "ଦାନା' ପାଇଁ  ସ୍ଥଗିତ ରହିଥିଲା, ଯାହା ଏବେ ଆରମ୍ଭ ହୋଇଛି ।