ମୁମ୍ବାଇ,୨୮।୬: ଅଦିସ ଆବାବରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଇଥିଓପିଆନ୍ ଏୟାରଲାଇନ୍ସ  ବିମାନର ଛତ୍ରପତି ଶିବାଜୀ ମହାରାଜା ଏୟାରପୋର୍ଟରେ ଜରୁରୀ ଅବତରଣ। ୩୦୦ ଯାତ୍ରୀଙ୍କୁ ନେଇ ଆସୁଥିବା ବିମାନରେ ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି। ବିମାନରେ ଡି ପ୍ରେସରାଇଜେସନ୍  ଯୋଗୁଁ ଅସୁସ୍ଥ ହୋଇପଡିଲେ ୭ ଯାତ୍ରୀ । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ଇଥିଓପିଆନ୍ ଏୟାରଲାଇନ୍ସର ୭୮୭ ଡ୍ରୀଲାଇନର ବିମାନରେ ମିଡ୍-ଏୟାର ଡିପ୍ରେସରାଇଜେସନ୍ ସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ବିମାନର କ୍ୟାବିନ୍‌ରେ ଏୟାର ପ୍ରେସର କମ୍ ହୋଇଯାଇଥାଏ। ଏଭଳି ଯାନ୍ତ୍ରିକ ତ୍ରୁଟି ସାଧାରଣତଃ କ୍ୟାବିନ୍ ପ୍ରେସର ସିଷ୍ଟମରେ ବିଫଳତା କିମ୍ବା ବିମାନର ସଂରଞ୍ଚନାରେ ଲିକ୍ କାରଣରୁ ହୋଇଥାଏ। ଏହାଦ୍ବାରା ଯାତ୍ରୀଙ୍କୁ ଙ୍କୁ ନିଶ୍ବାସ ନେବାରେ କଷ୍ଟ ହେବା ମୁଣ୍ଡ ବୁଲାଇହେବା ଅନୁଭବ ହୋଇଥାଏ।

ମିଳିଥିବା ସୂଚନା ଅନୁସାରେ, ଫ୍ଲାଇଟ ନମ୍ବର ET640 ରେ ୩୦୦ ଯାତ୍ରୀ ଓ ୧୧ ଜଣ କ୍ରୁ ମେମ୍ବର ଥିଲେ। ଏହା ଇଥିଓପିଆର ରାଜଧାନୀ ଅଦିସ ଅବାବାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବିମାନ ଆରବ ସାଗର ଉପରେ ଉଡୁଥିଲା। ଫ୍ଲାଇଟ ରାଡାର ୨୪ର ଡାଟା ଅନୁସାରେ, ଏହା ୩୩ ହଜାର ଫୁଟ୍ ଉଚ୍ଚତାରେ ଥିଲା। ଯେତେବେଳେ କ୍ୟାବିନ୍‌ରେ ପ୍ରେସର କମ୍ ହୋଇଯାଇଥିଲା ଓ ପାଇଲଟ୍ ଦ୍ରୁତ ଗତିରେ ତଳକୁ  ଓହ୍ଲାଇଥିଲେ। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ ରାତି ୧ଟା ୫୫ ମିନିଟ୍‌ରେ ଅବତରଣ କରିଥିଲା। ତା ପୂର୍ବରୁ ବିମାନର କ୍ୟାବିନ୍ ପ୍ରେସର ହଠାତ କମି ଯାଇଥିଲା। ଏହି କାରଣରୁ ଯାତ୍ରୀ ଓ ଚାଳକ ଦଳଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥିଲା। ଅସୁସ୍ଥ ୭ ଯାତ୍ରୀଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି।