ନୂଆଦିଲ୍ଲୀ,୧୮/୧୨ : ମୁମ୍ବାଇ ସମୁଦ୍ରରେ ବୋଟ ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏହି ଘଟଣା କରଞ୍ଜାର ଉରଣରେ ଏକ ସ୍ପିଡ ବୋଟକୁ ଟକ୍କର ମାରିବା ଫଳରେ ହୋଇଛି । ନୀଲକମଲ ନାମକ ବୋଟରେ ୧୨୦ରୁ ଅଧିକ ଲୋକ ଥିଲେ । ଏବେ ପର୍ଯ୍ୟନ୍ତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି । ଉଦ୍ଧାରକାରୀ ଟିମ୍ ଏବେ ପର୍ଯ୍ୟନ୍ତ ୯୯ଲୋକଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଏହା ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣାବୀସ ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ଯାଞ୍ଚର ଆଦେଶ ଦେଇଛନ୍ତି ।
ବୋଟର ମାଲିକ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇରୁ ଏଲିଫେଣ୍ଟ ଗୁମ୍ଫା ପଟକୁ ଯିବା ସମୟରେ ଆରବ ସାଗରରେ ବୁଚର ଦ୍ବୀପ ନିକଟରେ ନୌସେନାର ସ୍ପିଡ ବୋଟ ଉକ୍ତ ଡଙ୍ଗାକୁ ଟକ୍କର ଦେଇଥିଲା । ଏହାଦ୍ବାରା ବୋଟରେ ପାଣି ଭରି ଯାଇଥିଲା । ଦେଖୁ ଦେଖୁ ଏହା ବୁଡ଼ି ଯାଇଥିଲା । ଦୁର୍ଘଟଣା ପରେ ନୌସେନାର ତଟରକ୍ଷା ବାହିନୀ ଏବଂ ମେରାଇନ ପୋଲିସ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ଉଦ୍ଧାର କାର୍ଯ୍ୟରେ ୧୧ଟି ନୌସେନା ଡଙ୍ଗା, ସାମୁଦ୍ରିକ ପୋଲିସର ୩ଟି ଜାହାଜ ଏବଂ ତଟରକ୍ଷୀ ବାହିନୀଙ୍କ ଗୋଟିଏ ବୋଟ୍ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ୪ଟି ହେଲିକପ୍ଟର, ଜବାହାରଲାଲ ନେହେରୁ ପୋର୍ଟ ଅଥରିଟିର କିଛି ସାଧନର ବ୍ୟବହାର କରାଯିବା ସହ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।