ନୂଆଦିଲ୍ଲୀ,୧୧/୦୧: ଟୋରେସ୍ ନିବେଶ ଦୁର୍ନୀତିରେ ମହାରାଷ୍ଟ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ମୁମ୍ବାଇର ଦାଦରରେ ଥିବା ଟୋରେସ୍ ଜୁଏଲାରୀ ଷ୍ଟୋର ଏବଂ ସହରରେ ଥିବା ଏକ ଫ୍ଲାଟରେ ଚଢାଉ ବେଳେ ୫ କୋଟି ଟଙ୍କା ଜବତ କରିଛି EOW । ତେବେ କମ୍ପାନୀ ନିବେଶକମାନଙ୍କୁ ସୁନା-ରୂପା ଏବଂ ମୋସୋନାଇଟ୍ ରେ ନିବେଶ କଲେ ବିପୁଳ ଲାଭର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।
ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ପୋଲିସ ଅଧିକାରୀ କହିଛନ୍ତି ଯେ ଟୋରେସ୍ ନିବେଶ ଦୁର୍ନୀତିର ମୂଲ୍ୟ ୨୨ କୋଟି ଟଙ୍କା ହୋଇପାରେ। ଗୁରୁବାର କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରିଥିବା ବେଳେ ୫ କୋଟି ଟଙ୍କା ଜବତ କରିଛି। ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ନିବେଶକ କମ୍ପାନୀର ଅନଲାଇନ୍ ସିଷ୍ଟମରେ ସମସ୍ୟା ଦେଖିବାକୁ ପାଇଥିଲେ, ଯାହା ପରେ ସେମାନେ ଟଙ୍କା ଜମା କରିବା ପାଇଁ କମ୍ପାନୀକୁ ନଗଦ ଦେଇଥିଲେ। ତେବେ ଦକ୍ଷିଣ ମୁମ୍ବାଇର କୋଲାବାରେ ଥିବା ଅଭିଯୁକ୍ତ ତାଜାଗୁଲ ଜସାଟୋଭାଙ୍କ ଭଡା ଘରୁ ପୋଲିସ ୭୭ଲକ୍ଷ ଟଙ୍କା ଜବତ କରିଛି। ଜସାଟୋଭା ଟୋରେସ୍ ଷ୍ଟୋରରେ ପରିଚାଳିକା ଭାବରେ ସେ କାର୍ଯ୍ୟ କରୁଥିଲେ। ଚଢାଉ ସମୟରେ, ପୋଲିସ ହଜାରରୁ ଅଧିକ 'ପଥର' ଜବତ କରିଛି ଯାହା ପାଇଁ କମ୍ପାନୀ ଲୋକଙ୍କୁ ଠକୁଥିଲା ଏବଂ ବହୁ ଗୁଣ ଅଧିକ ଟଙ୍କା ଆଦାୟ କରୁଥିଲା । ତଦନ୍ତ ପରେ ଜଣାପଡିଥିଲା ଯେ ଏହି ପଥରଗୁଡ଼ିକର ମୂଲ୍ୟ ପ୍ରାୟ ୩୦୦ ଟଙ୍କା ଥିଲା। ତେବେ ଟୋରେସ୍ ଲୋକଙ୍କୁ ଠକି ନିବେଶରେ ଉଚ୍ଚ ଲାଭର ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଷଡ଼ଯନ୍ତ୍ର କରିବାରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ, ପୋଲିସ ଏହି ମାମଲାରେ ଜସାଟୋଭାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି।