ନୂଆଦିଲ୍ଲୀ: ଖାଇବାକୁ ହୋଟେଲରେ ବସିଥିଲେ, ଆଉ ଆସି ନାଁ ପଚାରିଲେ । ଛୋଟ କଥାରୁ ଆରମ୍ଭ ହେଲା ଯୁକ୍ତି ତର୍କ । କିଛି କହିବା ପୂର୍ବରୁ ଅତର୍କିତ ହେଲା ଆକ୍ରମଣ । ଯୁବକ-ଯୁବତୀଙ୍କୁ ଭିଡ଼ରେ କରାଗଲା ଆକ୍ରମଣ । ସଂଘବଦ୍ଧ ଭାବେ କରାଗଲା ଆକ୍ରମଣ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଛି ଏଭଳି ଏକ ହୃଦୟବିଦାରକ ଏବଂ ଉତ୍ତେଜନାପୂର୍ଣ୍ଣ ଭିଡିଓ । ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ ହେଉଥିବାବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବୀ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି, ଉତ୍ୟକ୍ତ ଲୋକମାନେ ଯୁବକଙ୍କୁ ମାଡ଼ ମାରୁଛନ୍ତି । ତେବେ ଯୁବକ ଜଣକ ଯୁକ୍ତି ତର୍କ କରୁଥିବାବେଳେ ତାଙ୍କୁ ଆକ୍ରମଣ କରାଯାଉଛି । ଯୁବତୀ ଜଣକ ଏହି ସମୟରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଠା କରୁଛନ୍ତି । ବାରମ୍ବାର ଯୁବତୀ ଜଣକ ତାଙ୍କୁ ରକ୍ଷା କରିବା ପାଇଁ ଚେଷ୍ଠା କରୁଥିବାବେଳେ ତାଙ୍କ ଅସଦାଚରଣ କରାଯାଉଥିବା ଦେଖାଯାଉଛି । ଭିଡ଼ ଭିତରେ ଯୁବତୀଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରାଯାଉଛି । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଖବର ପାଇବା ପରେ ପୁଲିସ ଉଭୟଙ୍କୁ ଉଦ୍ଧାର କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯୁବକ ଓ ଯୁବତୀ ଜିଲ୍ଲା ପରିଷଦ ମାର୍କେଟସ୍ଥିତ ଏକ ଦୋକାନରେ ବସିଥିବା ସମୟରେ କିଛି ଅଜ୍ଞାତ ବ୍ୟକ୍ତି ସେମାନଙ୍କୁ ଘେରିଯାଇଥିଲେ। ସେମାନେ ଯୁବକଙ୍କୁ ତାଙ୍କ ନାମ ପଚାରିଥିଲେ। ପ୍ରାଥମିକ ସୂଚନା ମୁତାବକ, ଯୁବକ ଜଣକ ପ୍ରଥମେ ନିଜର ଏକ ଭିନ୍ନ ନାମ କହିଥିଲେ, ଯାହା ପରେ ବିବାଦ ବଢିଥିଲା। ପରେ ସେ ଅନ୍ୟ ସମ୍ପ୍ରଦାୟର ବୋଲି ଜଣାପଡିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଭିଡ଼ ସେମାନଙ୍କ ଉପରେ ଆକ୍ରମଣ କରିଥିଲା।

ଘଟଣା ସମ୍ପର୍କରେସୂଚନା ପାଇବା ପରେ ସିଭିଲ ଲାଇନ୍ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଯୁବକ ଓ ଯୁବତୀଙ୍କୁ ଭିଡ଼ ଆକ୍ରମଣରୁ ଉଦ୍ଧାର କରି ସୁରକ୍ଷିତ ଭାବେ ଥାନାକୁ ନେଇଯାଇଛି । ପୋଲିସ ଭାଇରାଲ ଭିଡିଓ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଚଳାଇଛି । ଅଭିଯୋଗ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।