ଜମ୍ମୁ,୧୭/୦୧: ଜମ୍ମୁ-କାଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ବଧାଲ ଗ୍ରାମରେ ବୁଧବାର ରାତିରେ ଜଣେ ୯ ବର୍ଷୀୟ ପିଲାର ମୃତ୍ୟୁ ଘଟିଛି । ରହସ୍ୟମୟ ରୋଗରେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଏଥିରେ ୧୨ ଜଣ ପିଲା ରହିଛନ୍ତି । ଜମ୍ମୁ-କାଶ୍ମୀର ପୁଲିସ ଏହାର ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛି ।
ବଧାଲ ଗ୍ରାମରେ ଡିସେମ୍ବର ୭ରୁ ୧୬ ମଧ୍ୟରେ ଦୁଇଟି ପରିବାରର ୯ ଜଣଙ୍କ ପ୍ରାଣହାନି ହୋଇଥିଲା । ଏହାପରେ ଜାନୁଆରୀ ୧୧ରେ ମହମ୍ମଦ ଅସଲମଙ୍କ ୬ ଜଣ ପିଲା ରୋଗାକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଆଖି ବୁଜିଥିଲେ । ଜାନୁଆରୀ ୧୨ରେ ଜଣେ ୧୦ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିଲା । ଜମ୍ମୁ-କାଶ୍ମୀରର ସ୍ୱାସ୍ଥ୍ୟମନ୍ତ୍ରୀ ସକିନା ମସୁଦ ମୃତ୍ୟୁ ଘଟଣା ପଛରେ ରହସ୍ୟମୟୀ ରୋଗ ହିଁ ମୁଖ୍ୟ କାରଣ ବୋଲି ଖଣ୍ଡନ କରିଛନ୍ତି ।
ତାଙ୍କ ମୁତାବକ, ଜମ୍ମୁ-କାଶ୍ମୀରର ଭିତରେ ଓ ବାହାରେ ହୋଇଥିବା ସମସ୍ତ ନମୁନା ପରୀକ୍ଷା ଫଳ ନେଗେଟିଭ୍ ଆସିଛି । ମନ୍ତ୍ରୀ ସକିନା ମସୁଦ ଆହୁରି କହିଛନ୍ତି, କୌଣସି ନିର୍ଯାସରେ ଉପନୀତ ହେବା ପୂର୍ବରୁ ପ୍ରଥମେ ଘଟଣାର ପୂରା ତଦନ୍ତ ହେବା ଜରୁରି ।