ଭୁବନେଶ୍ୱର, ୨୨।୧: ନବରଙ୍ଗପୁର ଜିଲ୍ଲା ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ୱିତୀୟ ପୁରସ୍କାର ହାସଲ କରିଛି। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୮୦୦ରୁ ଅଧିକ ବିଦ୍ୟାଳୟ ଯୋଗ ଦେଇଥିଲେ।

ତୃଣମୂଳ ସ୍ତରରେ ଛାୟା ଗ୍ରାମସଭା ଆୟୋଜନ କରି ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଜରିଆରେ ଅଂଶଗ୍ରହଣକାରୀ ସ୍ଥାନୀୟ ପ୍ରଶାସନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାରା ଦେଶରୁ ଛଅଟି ଦଳ ସଫଳତା ହାସଲ କରିଛନ୍ତି । ତିନୋଟି ଜବାହର ନବୋଦୟ ବିଦ୍ୟାଳୟ ଏବଂ ତିନୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦଳକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଏଥିମଧ୍ୟରୁ ହିର୍ଲି ଏକଲବ୍ୟ ବିଦ୍ୟାଳୟ ମଧ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମ ଅନ୍ତର୍ଗତ ଛାୟା ଗ୍ରାମସଭା ଆୟୋଜନ କରିଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ବିଦ୍ୟାଳୟକୁ ଆସନ୍ତା ୨୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଶିକ୍ଷା ମନ୍ତ୍ରଣାଳୟ (ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ) ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ୩୦ ଅକ୍ଟୋବର ୨୦୨୫ରେ ନୂଆଦିଲ୍ଲୀରେ ପ୍ରଥମ 'ମଡେଲ ଯୁବ ଗ୍ରାମ ସଭା' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ‘‘ଆଦର୍ଶ ଯୁବ ଗ୍ରାମ ସଭା’’ ଏକ ଅଭିନବ ନାଗରିକ ସଚେତନତା ପଦକ୍ଷେପ ଯାହାର ଲକ୍ଷ୍ୟ ଯୁବ ନାଗରିକଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାର୍ବଜନୀନ ଦାୟିତ୍ୱକୁ ପ୍ରୋତ୍ସାହନ ଯୋଗାଇଦେବା ।

ଆହୁରି ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍‌ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍‌ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ