ନବରଙ୍ଗପୁର, ୨୬/୦୫: ସାଧାରଣ ଲୋକଙ୍କୁ ଦେଇ ଦେଉଥିଲେ ଚଳିଯାଉଥିଲା । ପ୍ରତିବାଦ କଲେ ବି ଶୁଣୁନଥିଲେ ହୋଟେଲ ମାଲିକ । ହସିକି ଉଡ଼ାଇ ଦେଉଥିଲେ । ଏଥର କିନ୍ତୁ କଥା ଥିଲା ଅଲଗା । ଖୋଦ୍‌  ଜିଲ୍ଲାପାଳଙ୍କୁ ଦେଇଦେଲେ ବାସି ସିଙ୍ଗଡା ଓ ବରା । ଯାହାକୁ ଖାଇବା ତ ଦୂରର କଥା, ପାଟିରେ ଦେବାମାତ୍ରେ ବିରକ୍ତ ହୋଇଥିଲେ ଜିଲ୍ଲାପାଳ ଡ.  ମହେଶ୍ୱର ସ୍ୱାଇଁ । ତାଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ  ହୋଇଥିଲା ହୋଟେଲ ଉପରେ ଚଢଉ । ସୋମବାର ଏଭଳି ଦୃଶ୍ୟ ଦେଖିବାକୁ  ମିଳିଥିଲା ରାଇଘର ଅଞ୍ଚଳରେ ।  

ସୋମବାର ରାଇଘର ବ୍ଲକରେ ଥିଲା ଜନଶୁଣାଣି ଶିବିର । ଏଥିରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ । ବ୍ଲକ ପ୍ରଶାସନ ପକ୍ଷରୁ ପାଖ ହୋଟେଲ ଗୁଡ଼ିକରୁ  ଜଳଖିଆ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳଙ୍କୁ ବି ସିଙ୍ଗଡା ଓ ବରା  ପରସା ଯାଇଥିଲା । ଜଳଖିଆ ଚାଖିବା ପରେ ତାହା ବାସି ଥିବା  ଜଣାପଡିଥିଲା । ହୋଟେଲଗୁଡିକରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ନେଇ ସନ୍ଦେହ କରିଥିଲେ ଜିଲ୍ଲାପାଳ । ପ୍ରସ୍ତୁତ ହେଉଥିବା ଜଳଖିଆର ମାନ ଯାଞ୍ଚ ଲାଗି  ସଂଗେ ସଂଗେ ନିର୍ଦ୍ଦେଶ ଦେଇଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣାଙ୍କୁ । ସେସବୁ ଖାଦ୍ୟ ସ୍ୱାସ୍ଥ୍ୟ ଉପଯୋଗୀ କି ନୁହେଁ-ପରୀକ୍ଷା କରିବାକୁ କହିଥିଲେ । ମାତ୍ର କେଇ ମିନିଟ ଭିତରେ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ଜଳଖିଆ ହୋଟେଲରେ ଯାଞ୍ଚ ।

ଶ୍ରୀ ମହାରଣାଙ୍କ ସହ ଏଥିରେ ସାମିଲ ହୋଇଥିଲେ ରାଇଘର  ତହସିଲଦାର ମନମୋହନ ସାହୁ ।  ଯାଞ୍ଚ ବେଳେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ । ୩ଟି ହୋଟେଲର ଜଳଖିଆ ନମୁନା ସଂଗ୍ରହ  କରାଯାଇଥିଲା । ଏହାକୁ ପରୀକ୍ଷା ଲାଗି ଲାବ୍‌କୁ  ପଠାଯାଇଥିଲା । ଅନ୍ୟ ଦୁଇଟି ହୋଟେଲର  ପରିବେଶ ଅସ୍ୱାସ୍ଥ୍ୟକର ଥିବା କାରଣରୁ ୫ ହଜାର  ଟଙ୍କା ଲେଖାଏଁ ଚାଲାଣ କଟାଯାଇଥିଲା । ମନୀଷ  ହୋଟେଲର ଫୁଡ ଲାଇସେନ୍ସ ନଥିଲା । ଅତ୍ୟନ୍ତ  ଅପରିଷ୍କାର ଥିଲା ପରିବେଶ । ଏହା ଦେଖି ଉଭୟ ଅଧିକାରୀ ବିରକ୍ତ ହୋଇଥିଲେ । ଫୁଡ୍‌ ଲାଇସେନ୍ସ  ନ କରିବା ପର୍ଯ୍ୟନ୍ତ ହୋଟେଲ ବନ୍ଦ ରଖିବାକୁ  ନିର୍ଦ୍ଦେଶ ଦେଇଥିଲେ ।  

କେବଳ ରାଇଘର ନୁହେଁ, ଜିଲ୍ଲାର  ଅଧିକାଂଶ ସ୍ଥାନରେ ଏଭଳି ବାସି ଓ  ନିମ୍ନମାନର ଖାଦ୍ୟ ଦିଆଯାଉଛି । ସାଧାରଣ  ଲୋକ ଅଭିଯୋଗ କଲେ ନା ହୋଟେଲ  ମାଲିକ ଖାତିର କରୁଛନ୍ତି ନା ବିଭାଗ ପକ୍ଷରୁ  ଚଢଉ କରାଯାଉଛି । ଯଦ୍ୱାରା ଅପମିଶ୍ରିତ  ଓ ବାସି ଖାଦ୍ୟ ବିକ୍ରି ବଢିଚାଲିଛି । ଏହାକୁ  ଖାଇ ଅନେକ ସମୟରେ ଲୋକେ ପେଟ  ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଜି  ଜିଲ୍ଲାପାଳଙ୍କ ହାବୁଡ଼ରେ ଏଭଳି ଖାଦ୍ୟ  ପଡ଼ିବା ପରେ ନିଆଯାଇଛି ତ୍ୱରିତ  କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ଏଭଳି  ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ  କରାଯାଇଛି ।