ନୂଆଦିଲ୍ଲୀ: ତେଲୁଗୁ ଅଭିନେତା ନାଗାର୍ଜୁନ ଅକ୍କିନେନୀ ତେଲେଙ୍ଗାନାର ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ମାନହାନୀ ମକୋଦ୍ଦମା କରିଛନ୍ତି । ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ସୁରେଖା ଦେଇଥିବା ମନ୍ତବ୍ୟ ପରେ ନାଗାର୍ଜୁନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ନାଗାର୍ଜୁନଙ୍କ ଅଭିଯୋଗକୁ ଏକ୍ସରେ ପୋଷ୍ଟ କରିଛନ୍ତି ନାଗା ଚୈତନ୍ୟ । ତେଲେଙ୍ଗାନାର କଂଗ୍ରେସ ମନ୍ତ୍ରୀ କୋଣ୍ଡା ସୁରେଖା ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ଓରଫ କେଟିଆରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ତାଙ୍କୁ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ବିଚ୍ଛେଦ ପାଇଁ ସେ ଦାୟୀ ବୋଲି ଅଭିଯୋଗ କରିଥିଲେ ।
ନାଗାର୍ଜୁନ ନିଜ ମକୋଦ୍ଦମାରେ ଦର୍ଶାଇଛନ୍ତି ଯେ, କୋଣ୍ଡା ସୁରେଖା ଏଭଳି ମନ୍ତବ୍ୟ ଦେଇ ଅକ୍କିନେନୀ ପରିବାରର ସମ୍ମାନହାନୀ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ତେଲେଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା କେଟିଆରଙ୍କୁ ତୀବ୍ର ସମାଲୋଚନା କରିବା ସହ କହିଥିଲେ ଯେ, କେଟି ରାମା ରାଓଙ୍କ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି ଓ ଶୀଘ୍ର ବାହା ହୋଇପଡ଼ିଛନ୍ତି । କାରଣ କେଟି ରାମା ରାଓ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ ଓ ଡ୍ରଗ୍ ସଂପର୍କିତ ବିବାଦ ଗୁଡ଼ିକରେ ସଂପୃକ୍ତ ଥିଲେ ।
ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ଆହୁରି କହିଥିଲେ, କେଟି ରାମା ରାଓ ନିଜେ ଡ୍ରଗ୍ସ ନେଉଥିଲେ। ଅନ୍ୟ ଲୋକଙ୍କୁ ଏଥିରେ ଅଭ୍ୟସ୍ତ କରାଉଥିଲେ। ବିଭିନ୍ନ ସମୟରେ ରେଭ ପାର୍ଟି ଆୟୋଜନ କରୁଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଡ୍ରଗ୍ସ ସହିତ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ବ୍ଲାକ ମେଲ କରୁଥିଲେ। ଏ କଥା ସମସ୍ତେ ଜାଣିଛନ୍ତି । ସେପଟେ କଂଗ୍ରେସର ଜଣେ ମନ୍ତ୍ରୀଙ୍କ ଏପରି ଲଜ୍ଜାଜନକ ମନ୍ତବ୍ୟ ଓ ସାଂଘାତିକ ପଲଟିକ୍ସ ସମ୍ପର୍କରେ ରାହୁଲ ଗାନ୍ଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେଟିଆର । ଏଥିସହ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିବା ଏହି ମନ୍ତ୍ରୀଙ୍କୁ ତୁରନ୍ତ ପାଗଳଖାନା ପଠାଇବାକୁ ଦାବି କରିଛନ୍ତି ।
ଅନ୍ୟପଟେ ମାନହାନୀ ମକୋଦ୍ଦମା କରିବା ପୂର୍ବରୁ ଆକ୍ଟର ନାଗାର୍ଜୁନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରିବା ଲାଗି ସେଲିବ୍ରିଟିଙ୍କ ଜୀବନ ସହ ଖେଳନ୍ତୁ ନାହିଁ । ଅନ୍ୟର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ନପକାଇବାକୁ କୋଣ୍ଡା ସୁରେଖାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ ନାଗାର୍ଜୁନ । ତେବେ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୁ ୨୦୨୧ରେ ବିବାହ ବିଚ୍ଛେଦ ନେଇ ଘୋଷଣା କରିଥିଲେ । ଏହା ପରେ ୨୦୨୪ ଅଗଷ୍ଟରେ ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ହୋଇଛି । ସେମାନେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ।