ଚଣ୍ଡିଖୋଲ,୨୬/୬ : ପୁଣି ବଢିଲା ଯାତ୍ରା ବିବାଦ । ଯାତ୍ରା ସିଂହବାହିନୀ ମାଲିକଙ୍କ ଉପରେ ବର୍ଷିଲେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ତୁଳସୀ ଗଣନାଟ୍ୟରେ ଚରିତ୍ର ଅଭିନେତା କୁନାଙ୍କୁ ଏଗ୍ରିମେଣ୍ଟ କରାଯିବା ସହ ଷ୍ଟାର କାଷ୍ଟ ଘୋଷଣା କରାଯାଇଥିଲେ ସୁଦ୍ଧା ଯାତ୍ରା ସିଂହବାହିନୀ ମାଲିକ ନିଜ ଯାତ୍ରା ପାର୍ଟିକୁ କେମିତି ନେଲେ ବୋଲି ପ୍ରଶ୍ନ କରିଛନ୍ତି । ଯାତ୍ରା ସଂଘ ଭାଙ୍ଗିବାକୁ ଚାହୁଛନ୍ତି ସିଂହବାହିନୀ ମାଲିକ । କିନ୍ତୁ ଯାତ୍ରା ସଂଘ ଏକ ଅଛି ରହିବ ।
ଯାତ୍ରା ହିରୋଇନ୍ ତମସା ମିଶ୍ରଙ୍କୁ ତୁଳସୀ ଗଣନାଟ୍ୟ ନିଜ ପାର୍ଟିକୁ ଆଣିବା ଘଟଣାରେ ଯେଉଁ ଅଡ଼ିଓ ଭାଇରାଲ ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ । ସେ କହିଛନ୍ତି, ଯାତ୍ରା ପାର୍ଟିକୁ ତମସାଙ୍କୁ ଆଣିବା ପାଇଁ କଥା ହେଇଥିଲେ, ସେଥିରେ କୌଣସି ଅସୁବିଧା ନାହିଁ । ମୁଁ ପୂର୍ବରୁ ତମସାଙ୍କ ସହ କଥା ହେଇଥିଲି । ବରଂ ସିଂହବାହିନୀ ମାଲିକ ମୋ ପାର୍ଟିରୁ ଆର୍ଟିଷ୍ଟ ନେଇ ନିଜ ପାର୍ଟିରେ ରଖିଛନ୍ତି । ବିଭିନ୍ନ ପାର୍ଟି ଭାଙ୍ଗିବାକୁ ଚାହୁଁଛନ୍ତି ସିଂହବାହିନୀ ମାଲିକ। ପୀୟୂଷ ତ୍ରିପାଠୀଙ୍କୁ ନେଇ ଯେଉଁ ବିବାଦ ଚାଲିଛି ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ । ସେ କହିଛନ୍ତି ପୀୟୂଷ ତୁଳସୀ ଗଣନାଟ୍ୟରେ ୨୦୨୯ପାଇଁ ଏଗ୍ରିମେଣ୍ଟ କରିଥିଲେ । କିନ୍ତୁ ପୀୟୂଷ ମନା କରିବାରୁ ସେ ବିବାଦକୁ ନ ଯାଇ ପୀୟୂଷକୁ ଛାଡ଼ି ଦେଇଥିଲେ । ସିଂହବାହିନୀ ମାଲିକ ଯାତ୍ରା ସଂଘ ନୀତି ନିୟମ ଭିତରେ ରୁହନ୍ତୁ । ନିଜେ ଭାଙ୍ଗି ଯିବେ ବରଂ ସଂଘ ଭଙ୍ଗିବନି ବୋଲି କହିଛନ୍ତି ମାଲିକ ଅନନ୍ତ ନାରାୟଣ ଧଳ।