ଉତ୍ତରପ୍ରଦେଶ, ୧୪।୫: ଉତ୍ତର ପ୍ରଦେଶରେ ପ୍ରକୃତିର କୋପ । ଗତ ବୁଧବାର ଆସିଥିବା ଭୟଙ୍କର ଝଡ଼-ତୋଫାନ ରାଜ୍ୟରେ ତାଣ୍ଡବ ରଚିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୮୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । କିନ୍ତୁ, ଏହି ବିଭୀଷିକା ମଧ୍ୟରେ ବରେଲୀରୁ ଏକ ଚମକାଇ ଦେଲା ଭଳି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିପଡ଼ିବ । ଜଣେ ବ୍ୟକ୍ତି ପବନରେ ପତ୍ର ଭଳି ୫୦ ଫୁଟ୍ ଉଚ୍ଚକୁ ଉଡ଼ିଯାଇ ପୁଣି ତଳେ ପଡ଼ିଛନ୍ତି । ବରେଲୀ ଜିଲ୍ଲା ଭମୋରା ଅଞ୍ଚଳର ବବିୟାନା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ୫୦ ବର୍ଷୀୟ ନନ୍ହେ ମିୟାଁ ଏକ ବିବାହ ମଣ୍ଡପ ପାଖରେ ଛିଡ଼ା ହୋଇଥିଲେ । ହଠାତ୍ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ଘରର ଟିଣ ଛପର ଉଡ଼ିଯିବା ଭୟରେ ନନ୍ହେ ମିୟାଁ ଏବଂ ତାଙ୍କର କିଛି ସାଥୀ ଟିଣକୁ ଧରି ରଖିଥିବା ଏକ ଲୁହା ପୋଲ୍ ଏବଂ ତା’ର ରସିକୁ ଜାବୁଡ଼ି ଧରିଥିଲେ । ସେମାନେ ଭାବିଥିଲେ ଶରୀରର ଓଜନ ଦେଇ ଧରିଲେ ହୁଏତ ଟିଣ ଉଡ଼ିବ ନାହିଁ । କିନ୍ତୁ ପବନର ବେଗ ଏତେ ଭୟଙ୍କର ଥିଲା ଯେ, ସେହି ଲୁହା ପୋଲ୍ ସହିତ ନନ୍ହେ ମିୟାଁଙ୍କୁ ପବନ ପ୍ରାୟ ୫୦ ଫୁଟ୍ ଉଚ୍ଚକୁ ଟେକି ନେଇଥିଲା । କିଛି ସେକେଣ୍ଡ ପର୍ଯ୍ୟନ୍ତ ସେ ଶୂନ୍ୟରେ ଉଡ଼ିବା ପରେ ପାଖରେ ଥିବା ଏକ ବିଲରେ ଯାଇ ପଡ଼ିଥିଲେ ।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନନ୍ହେ ମିୟାଁ ସେହି ସମୟର ଅନୁଭୂତି ବର୍ଣ୍ଣନା କରି କହିଛନ୍ତି । "ହଠାତ୍ ପବନ ମାଡ଼ି ଆସିଲା, ଏହା ଏତେ ଶକ୍ତିଶାଳୀ ଥିଲା ବୋଲି ଆମେ ଜାଣିପାରିଲୁନି । ମୁଁ ରସି ଧରି ଛିଡ଼ା ହୋଇଥିଲି, ପବନ ମତେ ଉପରକୁ ଉଠାଇ ନେଲା । ପାଖାପାଖି ୫୦ ଫୁଟ୍ ଉପରକୁ ଗଲା ପରେ ମୋତେ କିଛି ଦେଖାଗଲା ନାହିଁ । ମୁଁ ବହୁତ ଜୋରରେ ତଳେ ପଡ଼ିଲି ।" ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଛି ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହେଉଛି । ତାଙ୍କ ସହ ଥିବା ଅନ୍ୟ ସାଥୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
କାଳବୈଶାଳୀ ତାଣ୍ଡବରେ ୧୦୦ରୁ ଅଧିକ ମୃତ:
କେବଳ ବରେଲୀ ନୁହେଁ, ସମଗ୍ର ଉତ୍ତର ପ୍ରଦେଶରେ ଏହି ଝଡ଼ବର୍ଷା କାଳ ସାଜିଛି । ପ୍ରୟାଗରାଜରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜିଲ୍ଲା ଯେପରିକି ସନ୍ଥ ରବିଦାସ ନଗରରେ ୧୪, ଫତେପୁରରେ ୧୧ ଏବଂ ମିର୍ଜାପୁରରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୧୪ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଘର ଛପର ଉଡ଼ିଯାଇଛି ଏବଂ କାନ୍ଥ ଭୁଶୁଡ଼ି ପଡ଼ିଛି । ଏହି ବଡ଼ ଧରଣର କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ଏବଂ ଆହତଙ୍କୁ ତୁରନ୍ତ ସରକାରୀ ସହାୟତା ରାଶି ଯୋଗାଇ ଦେବାକୁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସୋସିଆଲ ମିଡିଆରେ ନନ୍ହେ ମିୟାଁଙ୍କ ଉଡ଼ିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ପ୍ରକୃତିର ଶକ୍ତି ଜଣେ ମଣିଷକୁ କିଭଳି ପତ୍ର ପରି ଉଡ଼ାଇ ନେଇପାରେ । ଅନ୍ୟପଟେ ନନ୍ହେ ମିୟାଁ ମୃତ୍ୟୁ ମୁଖରୁ ଫେରିଥିବାରୁ ତାଙ୍କ ପରିବାର ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆହୁରି ପଢ଼ନ୍ତୁ... UP Storm: ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ର ତାଣ୍ଡବ; ନିମିଷକେ ଚାଲିଗଲା ୫୪ ଜୀବନ, ବଢ଼ିପାରେ ମୃତ୍ୟୁସଂଖ୍ୟା