ଲକ୍ଷ୍ନୌ, ୧୪।୫: ଉତ୍ତର ପ୍ରଦେଶରେ ପ୍ରକୃତି ସଜାଇଛି ମୃତ୍ୟୁର ତାଣ୍ଡବଲୀଳା । ବୁଧବାର ସନ୍ଧ୍ୟାରେ ହଠାତ୍‌ ପରିବର୍ତ୍ତନ ହୋଇଥିବା ପାଣିପାଗ ଏବଂ ତା’ ପରେ ଆସିଥିବା ପ୍ରଳୟଙ୍କରୀ ଆନ୍ଧି-ତୋଫାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ସାଜିଛି । ପ୍ରବଳ ବେଗରେ ବହିଥିବା ପବନ ଏବଂ ବଜ୍ରପାତ ଯୋଗୁଁ ସମଗ୍ର ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୫୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କାନ୍ଥ ଭୁଶୁଡ଼ି ମାଟିରେ ମିଶିଛି ଶହ ଶହ କଞ୍ଚାଘର ।

ପ୍ରୟାଗରାଜ ଓ ଭଦୋହୀରେ ସବୁଠୁ ଅଧିକ ପ୍ରଭାବ:

ଏହି ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପ୍ରୟାଗରାଜ ଜିଲ୍ଲା, ଯେଉଁଠାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ଭଦୋହୀ ଜିଲ୍ଲାରେ ମଧ୍ୟ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଗଛ ପଡ଼ି ଓ କାନ୍ଥ ଚାପି ହୋଇ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ହଠାତ୍ ପବନର ବେଗ ବଢ଼ିଯାଇଥିଲା, ଯାହା ଫଳରେ ବିଦ୍ୟୁତ୍ ଖୁଣ୍ଟି ଏବଂ ଗଛଗୁଡ଼ିକ ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା । ଭଦୋହୀର ସୁରିୟାୱାଁ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଘର ଉପରେ ଗଛ ପଡ଼ିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ପ୍ରୟାଗରାଜରେ ୧୬ ଜଣ, ଭଦୋହୀରେ ୧୫, ମିର୍ଜାପୁରରେ ୧୦, ଫତେହପୁରରେ ୯, ହରଦୋଇରେ ୨, କାନପୁର ଦେହାତରେ ଜଣେ, କୌଶାମ୍ବୀରେ ଜଣଙ୍କର ମୃତ୍ୟୁ ହୋଇଛି । ମିର୍ଜାପୁର ଜିଲ୍ଲା ପ୍ରଶାସନ ୧୦ ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ଏଥିମଧ୍ୟରୁ ସଦର ତହସିଲ ଅଞ୍ଚଳରେ ୭ ଜଣ ଏବଂ ଚୁନାର ଅଞ୍ଚଳରେ ୩ ଜଣଙ୍କର ଜୀବନ ଯାଇଛି । କେବଳ ମଣିଷ ନୁହଁନ୍ତି, ଏହି ତୋଫାନରେ ୧୬ରୁ ଅଧିକ ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା:

ଭଦୋହୀ ଜିଲ୍ଲାପାଳ ଶୈଳେଶ କୁମାରଙ୍କ ସୂଚନା ଅନୁଯାୟୀ, ଝଡ଼ତୋଫାନରେ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାରାଣସୀ BHUକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି ।

ଆହୁରି ପଢ଼ନ୍ତୁ... ​​​​​​​Sugar Export Ban : ଭାରତ ସରକାରଙ୍କ ବଡ଼ ଘୋଷଣା, ସେପ୍ଟେମ୍ଵର ୩୦ ଯାଏଁ ବିଦେଶକୁ ଚିନି ରପ୍ତାନି ବନ୍ଦ