ଭୁବନେଶ୍ବର, ୨୪/୦୪ : ପଶ୍ଚିବମଙ୍ଗରେ ପ୍ରଥମ ଦଫା ମତଦାନ ବହୁତ କିଛି କହୁଛି। ସରକାର ବିରୋଧରେ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ। ଭୋଟର ଜବାବ ଦେଇଛନ୍ତି। ତୃଣମୂଳ କଂଗ୍ରେସର ମହା ଜଙ୍ଗଗଲରାଜ ଅନ୍ତ ହେବ। ବିଜେପି ସରକାର ଗଢ଼ିବ। ବିକାଶ ଦେଖିବ ପଶ୍ଚିମବଙ୍ଗ। ଦମ୍ ଦମ୍ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଦମ୍ଭର ସହ ଏହା କହିଛନ୍ତି।

ଆତ୍ମବିଶ୍ବାସର ସହ ମୋଦି କହିଲେ, ପ୍ରଥମ ଦଫା ମତଦାନ ବଙ୍ଗଳାରେ ଏକ "ପରିବର୍ତ୍ତନର ଲହର" ପ୍ରତିଫଳିତ କରୁଛି। ବିଜେପି ପ୍ରତି ଦେଖାଯାଇଥିବା ସମର୍ଥନ ଦଳ ବିଜୟର ସଙ୍କେତ ଦେଉଛି। ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼େ, ତେବେ ମଧ୍ୟବିତ୍ତ ଶ୍ରେଣୀର କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ହେବ। ଗତ ୧୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାରଗୁଡ଼ିକ ଉପରୁ ଆର୍ଥିକ ଚାପ ହ୍ରାସ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଟିକସ ସଂସ୍କାର ଦିଗରେ ସରକାର ବହୁ କାମ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାକୁ ୨୦୧୪ ପୂର୍ବ ସମୟ ସହ ତୁଳନା କରି କହିଲେ, ଯେତେବେଳେ ତୃଣମୂଳ କଂଗ୍ରେସ ସମର୍ଥନରେ କେନ୍ଦ୍ର ସରକାର ଚାଲୁଥିଲା, ସେତେବେଳେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ମଧ୍ୟ ଟିକସ ଲାଗୁଥିଲା। ବର୍ତ୍ତମାନର ସରକାର ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୂନ୍ୟ ଟିକସ ନିଶ୍ଚିତ କରିଛନ୍ତି। ଏହା ମଧ୍ୟବିତ୍ତଙ୍କ ପାଇଁ ବଡ଼ ଆଶ୍ବସ୍ତି।

ଟିଏମସିକୁ କାଠଗଡ଼ାରେ ଛିଡ଼ା କରି ମୋଦି କହିଲେ, ନିର୍ବାଚନ ସମୟରେ ଏ ଦଳ "ଗୁଣ୍ଡା"ମାନଙ୍କୁ ଏକଜୁଟ କରୁଛି। ବଙ୍ଗଳାର "ବିପ୍ଳବ ଏବଂ ବୀରତ୍ବର ଭୂମି" ପରମ୍ପରାକୁ ମନେ ପକାଇ ସେ ଭୋଟର ଏବଂ ବିଜେପି କର୍ମୀମାନଙ୍କୁ ଦୃଢ଼ ରହିବାକୁ ଆହ୍ବାନ ଦେଇଥିଲେ। ସେ କହିଲେ, ମେ ୪ ତାରିଖର ଫଳାଫଳ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ। ହିଂସାରେ ସମ୍ପୃକ୍ତ ଲୋକଙ୍କ ପାଇଁ ଲୁଚିବାକୁ କୌଣସି ସ୍ଥାନ ରହିବ ନାହିଁ। ପ୍ରଥମ ପର୍ଯ୍ୟାୟ ମତଦାନ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ବୋଲି ଦର୍ଶାଇବା ସହ ଏହାକୁ ଟିଏମସିର "ଜଙ୍ଗଲ ଶାସନ" ପାଇଁ "ମୃତ୍ୟୁ ଘଣ୍ଟି" ବୋଲି ସେ ଅଭିହିତ କରିଛନ୍ତି। ଭୋଟରମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନିଜର ପସନ୍ଦ ସ୍ପଷ୍ଟ କରିସାରିଛନ୍ତି।

ମୋଦୀ ଅଭିଯୋଗ କରିଛନ୍ତି, ଟିଏମସି ଶାସନରେ ରାଜ୍ୟର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇଛି। ଶାସନ ବ୍ୟବସ୍ଥାରେ ସ୍ବେଚ୍ଛାଚାରିତା’ ଚାଲିଛି। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ପାଇଁ ଲୋକଙ୍କ ସଂକଳ୍ପ ଏହି ଉଚ୍ଚ ମତଦାନ ହାରରେ ପ୍ରତିଫଳିତ ହୋଇଛି। ପ୍ରଧାନମନ୍ତ୍ରୀ ବିଜେପି ପ୍ରାର୍ଥୀ ରତ୍ନା ଦେବନାଥ (ଆରଜି କର ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ମା')ଙ୍କ ବିଷୟରେ କହିଥିଲେ ଯେ ଦଳ ତାଙ୍କୁ ଏକ ମଞ୍ଚ ଦେଇଛି। ତାଙ୍କ ଝିଅ ବର୍ତ୍ତମାନର ସରକାରଙ୍କ "ଜଙ୍ଗଲ ରାଜ"ର ଶିକାର ହୋଇଛନ୍ତି। ବିଜେପି ଅନ୍ୟାୟର ସମ୍ମୁଖୀନ ହୋଇଥିବା ମହିଳାମାନଙ୍କ ସହ ଅଛି। ମହିଳା ସୁରକ୍ଷା ଦଳର ପ୍ରାଥମିକତା ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ବଙ୍ଗଳାର ନାରୀ ଶକ୍ତି ଏକବିଂଶ ଶତାବ୍ଦୀରେ ଏକ ନୂତନ ଅଧ୍ୟାୟ ଲେଖୁଛି। ସାରା ରାଜ୍ୟର ମହିଳାମାନେ କହୁଛନ୍ତି ଯେ ସେମାନେ ଆଉ ନାରୀ ଅତ୍ୟାଚାରକୁ ବରଦାସ୍ତ କରିବେନି। ଟିଏମସି ସରକାରକୁ ପରିବର୍ତ୍ତନ କରିବେ। ଟିଏମସି ମହିଳା ବିରୋଧୀ, ଅନ୍ୟପକ୍ଷରେ ବିଜେପି ମହିଳା ସଶକ୍ତିକରଣ ଏବଂ ବିକାଶ ଉପରେ ଆଧାରିତ ଏକ ମଡେଲ ଅନୁସରଣ କରୁଛି। ବିଜେପି ବଙ୍ଗଳାରେ ବିକାଶର ମଡେଲ କ’ଣ ଦେଖାଇବ।

ଏହି ଖବରଟିକୁ ପଢନ୍ତୁ- ହୁଗୁଳି ନଦୀରେ ମୋଦିଙ୍କ ଫଟୋଗ୍ରାଫି, ଡଙ୍ଗାରେ ବସି ସକାଳର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କଲେ ପ୍ରଧାନମନ୍ତ୍ରୀ