କୋଲକାତା, ୨୪/୦୪ : ପଶ୍ଚିମବଙ୍ଗରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରରେ ବ୍ୟସ୍ତ ଅଛନ୍ତି। ବ୍ୟସ୍ତତା ଭିତରେ ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ହୁଗୁଳି ନଦୀରେ ବୋଟିଂ କରିଛନ୍ତି। ଡଙ୍ଗାରେ ବସି ସକାଳର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଛନ୍ତି। ଏହା ସହ ନିଜର ଅନୁଭୂତିକୁ କ୍ୟାମେରା ଲେନ୍ସରେ କଏଦ କରିଛନ୍ତି। ବୋଟିଂ କରୁଥିବା ବେଳେ ମୋଦିଙ୍କ ଏହି ଫଟୋଗ୍ରାଫି ଫଟୋ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ପ୍ରଧାନମନ୍ତ୍ରୀଙ୍କୁ ଏକ୍ସ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରାଯାଇଛି।
ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, "ପ୍ରତି ବଙ୍ଗାଳୀଙ୍କ ପାଇଁ ଗଙ୍ଗା ନଦୀର ବିଶେଷ ମହତ୍ତ୍ଵ ରହିଛି। ଗଙ୍ଗା ବଙ୍ଗଳାର ଆତ୍ମା ରୂପରେ ପ୍ରବାହିତ ହେଉଛି। ଏହାର ପବିତ୍ର ଜଳରେ ଏକ ସଭ୍ୟତାର ଶାଶ୍ଵତ ଭାବନା ସମାହିତ ହୋଇ ରହିଛି।"
ମୋଦି ପୁଣି ଲେଖିଛନ୍ତି ଯେ, "ଆଜିର ସକାଳେ କୋଲକାତାରେ, ମୁଁ କିଛି ସମୟ ହୁଗୁଳୀ ନଦୀ କୂଳରେ ବିତାଇଲି। ମା ଗଙ୍ଗାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ଅବସର। ନାବିକଙ୍କ ସହ ଭେଟିବାକୁ ସୁଯୋଗ ପାଇଲି। ସେମାନଙ୍କର ପରିଶ୍ରମ ପ୍ରଶଂସାର ପାତ୍ର।"