ନୂଆଦିଲ୍ଲୀ ୨୬/୦୩: ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ବଡ଼ ପଦକ୍ଷେପ ନେଇଛି । ପ୍ରାୟ ୧.୮୭ ଲକ୍ଷ କୋଟି ଟଙ୍କାର ଏକ ବହୁତ ବଡ଼ ପ୍ରୋଜେକ୍ଟ ଘୋଷଣା କରିଛି । ଏହି ପ୍ରୋଜେକ୍ଟର ମୁଖ୍ୟ ଲକ୍ଷ୍ୟ ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ ଓ ତା’ପରେ ମଙ୍ଗଳ ଗ୍ରହ ନିମନ୍ତେ ପରମାଣୁ ଟେକ୍ନୋଲୋଜିର ପରୀକ୍ଷଣ । ଛୋଟ ଛୋଟ ମହାକାଶ ମିଶନକୁ ଦୀର୍ଘସ୍ଥାୟୀ ମିଶନରେ ରୂପାନ୍ତରିତ କରିବା ଏହାର ଲକ୍ଷ୍ୟ ।

ପୂର୍ବରୁ ନାସାର ମିଶନ କିଛି ଦିନ ବା ସପ୍ତାହର ହେଉଥିଲା । ଏବେ ଚନ୍ଦ୍ରରେ ମନୁଷ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ଓ କାମ ସୁବିଧା କରିବା ଏହାର ଯୋଜନା । ଏଥିରେ ମାନବ ବସତି, ବିଜୁଳି ବ୍ୟବସ୍ଥା, ସଂଚାର ନେଟ୍‌ୱର୍କ ଏବଂ ନିୟମିତ କ୍ରୁ ଓ କାର୍ଗୋ ମିଶନ ସାମିଲ ହେବ । ନାସା ଅନୁସାରେ, ଚନ୍ଦ୍ରରେ ମଜଭୁତ ଢାଞ୍ଚା ଦ୍ୱାରା ମଙ୍ଗଳ ଗ୍ରହକୁ ଯାତ୍ରା ଆହୁରି ସହଜ ହେବ । ଏହି ଯୋଜନା ନାସାର ଆର୍ଟେମିସ ମିଶନ ଅଧୀନରେ ପରିଚାଳିତ ହେବ । ଆର୍ଟେମିସ ମିଶନର ଲକ୍ଷ୍ୟ ଚନ୍ଦ୍ରରେ ସ୍ଥାୟୀ ମାନବ ଉପସ୍ଥିତିକୁ ସୁନିଶ୍ଚିତ କରିବା । ଆର୍ଟେମିସ-୪ ମିଶନରେ ୨୦୨୮ରେ ମହାକାଶଯାତ୍ରୀ ପ୍ରଥମ ଥର ଚନ୍ଦ୍ରରେ ଅବତରଣ କରିବେ । ଆର୍ଟେମିସ-୩ ଏବେ କେବଳ ନୂଆ ଟେକ୍ନୋଲୋଜିଗୁଡ଼ିକର ପରୀକ୍ଷଣ କରିବ । ୨୦୨୭ରୁ ପ୍ରାୟ ପ୍ରତି ମାସ ଚନ୍ଦ୍ରକୁ ଉପକରଣ, ରୋଭର ଓ ବୈଜ୍ଞାନିକ ଉପକରଣ ପଠାଯିବ । ଏହି ମିଶନର ଏକ ମହତ୍ୱପୂର୍ଣ୍ଣ ଅଂଶ ପରମାଣୁ ଉର୍ଜ୍ଜା । ନାସା ଆମେରିକୀୟ ଉର୍ଜ୍ଜା ବିଭାଗ ସହ ମିଶି ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ଛୋଟ ପରମାଣୁ ରିଆକ୍ଟର ସ୍ଥାପନାର ଯୋଜନା କରୁଛି । ଏହି ରିଆକ୍ଟର ଚନ୍ଦ୍ରର ଲମ୍ବା ଓ ଅନ୍ଧକାରପୂର୍ଣ୍ଣ ରାତିରେ ମଧ୍ୟ ନିରନ୍ତର ବିଜୁଳି ଦେବ । ପରମାଣୁ ଉର୍ଜ୍ଜା ବିନା ଚନ୍ଦ୍ରରେ ଅଧିକ ସମୟ ରହିବା ମୁସ୍କିଲ ।

ନାସା ୨୦୨୮ ପୂର୍ବରୁ ‘ସ୍ପେସ୍ ରିଆକ୍ଟର-୧ (ଏସ୍‌ଆର୍-୧) ଫ୍ରିଡମ୍’ ମିଶନ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏହି ମିଶନରେ ନ୍ୟୁକ୍ଲିୟର ପ୍ରପଲସନ୍ ଟେକ୍ନୋଲୋଜିର ପରୀକ୍ଷଣ ହେବ । ଏହି ଟେକ୍ନୋଲୋଜି ପୁରୁଣା ରକେଟ୍‌ଠୁ ଅଧିକ ଦ୍ରୁତ ଓ କୁଶଳ, ଯାହା ସାହାଯ୍ୟରେ ମଙ୍ଗଳକୁ ଯାତ୍ରା ସହଜ ହୋଇପାରେ । ମଙ୍ଗଳ ଗ୍ରହକୁ ନୂଆ ପିଢ଼ିର ହେଲିକପ୍ଟର ମଧ୍ୟ ପଠାଯିବ, ଯାହା ରୋଭର ପହଞ୍ଚି ପାରୁନଥିବା ଅଞ୍ଚଳର ଅନ୍ୱେଷଣ କରିବ । ନାସା ଏହି ଯୋଜନାରେ ଘରୋଇ କମ୍ପାନିଗୁଡ଼ିକୁ ମଧ୍ୟ ଅଧିକ ସାମିଲ କରୁଛି । ଏହା ଦ୍ୱାରା ଖର୍ଚ୍ଚ କମିବ ଓ କାମ ଦ୍ରୁତ ହେବ ।

ଆହୁରି ପଢ଼ନ୍ତୁ...୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ