ନୂଆଦିଲ୍ଲୀ, ୨୮/୦୫: ଭାରତ ସହିତ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଲେ ‘ନାସା’ ରିସର୍ଚ୍ଚ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ଗତ ୨୫ ବର୍ଷର ସାଟେଲାଇଟ୍ ତଥ୍ୟରୁ ବିଶ୍ଲେଷଣ କରି ଯେଉଁ ରିପୋର୍ଟ ପ୍ରଦାନ କରିଛି ତାହା ଅତ୍ୟନ୍ତ ଚିନ୍ତାଜନକ । ବିହାର ସମେତ ପୂରା ଦେଶରେ ଥିବା ସମତଳ ରାଜ୍ୟ ଗୁଡ଼ିକ ଦ୍ବାରା ବ୍ୟାପୁଥିବା ଭଯଙ୍କର ପ୍ରଦୂଷଣ ବିସ୍ତୀର୍ଣ୍ଣ ହିମାଳୟ ପର୍ବତମାଳାକୁ ଭିତରୁ ଖୋଳ କରୁଛି । ସମତଳ ଅଞ୍ଚଳରୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ସିଧା ହିମାଳୟର ଶେଷ ସ୍ତର ପର୍ଯ୍ୟନ୍ତ ପହଞ୍ଚୁଛି । ଯେଉଁଥି ପାଇଁ ବର୍ଷ ବର୍ଷ ଧରି ବରଫ ଚାଦର ଘୋଡେଇ ହୋଇରହିଥିବା ଗ୍ଲେସିୟର ଦ୍ରୁତଗତିରେ ତରଳିବାରେ ଲାଗିଛି । ଫଳରେ ହିମାଳୟ ଭୟଙ୍କର ଭାବେ କଳା ପଡ଼ି ଯାଉଛି ।
୨୫ ବର୍ଷର ସାଟେଲାଇଟ୍ ତଥ୍ୟ:
ମହାକାଶ ଗବେଷଣା ସଂସ୍ଥା ‘ନାସା’ର ୨୫ ବର୍ଷର ସାଟେଲାଇଟ୍ ତଥ୍ୟ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ୨୦୦୦ରୁ ୨୦୨୪ ମଧ୍ୟରେ ସିନ୍ଧୁ-ଗଙ୍ଗା ସମତଳ ଅଞ୍ଚଳ, ହିମାଳୟ କ୍ଷେତ୍ର ଏବଂ ଉତ୍ତର-ପୂର୍ବ ଭାରତରେ ‘ପିଏମ୍’ ବା ପାର୍ଟିକ୍ୟୁଲେଟ୍ ମ୍ୟାଟର କଣିକା ପ୍ରଦୂଷଣରେ ୨୦ ପ୍ରତିଶତରୁ ଅଧିକ ଭୟଙ୍କର ଭାବେ ବୃଦ୍ଧି ପାଉଥିବା ଦେଖାଯାଇଛି । ସେହିପରି ଗାଡ଼ି ଧୂଆଁ ଏବଂ ବାୟୋମାସ୍ ଜଳନର କାରଣରୁ ବାୟୁରେ ଅର୍ଗାନିକ୍ କାର୍ବନ ଏବଂ ସଲଫେଟ୍ ପରିମାଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି । ଯେତେବେଳେ ଏହି କାର୍ବନ ପବନରେ ଉଡ଼ି ଗ୍ଲେସିୟର ପାହାଡ଼ ଉପରେ ପଡ଼ୁଛିସ, ବରଫର ପୃଷ୍ଠ ଭାଗ କଳା ଏବଂ ଅନ୍ଧାରିଆ ହୋଇଯାଉଛି । ଏହି ଗବେଷଣା ପ୍ରସିଦ୍ଧ ଜର୍ଣ୍ଣାଲ୍ ‘Atmospheric Environment’ ରେ ମଧ୍ୟ ପ୍ରକାଶ ପାଇଛି ।
ବିହାର ଏବଂ ପଶ୍ଚିମବଙ୍ଗ ସବୁଠୁ ଉପରେ:
ବାୟୁ ପ୍ରଦୂଷଣ ସୂଚକାଙ୍କରେ ବିହାର ଏବଂ ପଶ୍ଚିମବଙ୍ଗ ସବୁଠାରୁ ଉପରେ ରହିଛି । ବୋସ୍ ଇନଷ୍ଟିଚ୍ୟୁଟ କୋଲକାତାରୁ ପ୍ରକାଶିତ ରିପୋର୍ଟରେ AOD (Aerosol Optical Depth) ମାପାଯାଇଛି, ଯାହା ବାୟୁରେ ଥିବା ପ୍ରଦୂଷଣ ଏବଂ ଧୂଆଁ କଣିକାକୁ ଦର୍ଶାଏ । ଏହି ସୂଚକାଙ୍କରେ ବିହାର ଏବଂ ପଶ୍ଚିମବଙ୍ଗର ବାୟୁ ପ୍ରଦୂଷଣ ସବୁଠୁ ଅଧିକ ଏବଂ ହାନିକାରକ କଣିକା ୦.୭୧ ଏବଂ ୦.୭୦ରେ ରେକର୍ଡ କରାଯାଇଛି, ଯାହା ଦେଶରେ ସର୍ବାଧିକ। ଏହା ତୁଳନାରେ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାର ମୋଟ୍ ସ୍କୋର ୦.୫୧ ଥିଲା । ଏହି ସମଯରେ ଉତ୍ତର ପୂରବ ଭାରତରେ ସୂଚକାଙ୍କ ସ୍କୋର ୦.୪୦ ରହିଛି ।
ବିହାର ଏବଂ ବଙ୍ଗ ‘ପ୍ରଦୂଷଣ ହଟସ୍ପଟ୍’:
ବିହାର ଏବଂ ବଙ୍ଗ ଏବେ ଦେଶର ସବୁଠାରୁ ବଡ଼ ‘ପ୍ରଦୂଷଣ ହଟସ୍ପଟ୍’ ହୋଇଯାଇଛି। ଗବେଷକଙ୍କ ମତାନୁସାରେ, ଏହି ପ୍ରଦୂଷଣ କଣିକାଗୁଡ଼ିକ ଗ୍ଲେସିୟର ‘ଅଲ୍ବେଡୋ ଇଫେକ୍ଟ’ ଉପରେ ଖରାପ ପ୍ରଭାବ ପକାଉଛି। ସ୍ୱଚ୍ଛ ଏବଂ ଧଳା ବରଫ ସୂର୍ଯ୍ୟ କିରଣକୁ ପୁନଃ ପ୍ରତିଫଳିତ କରିଥାଏ, ମାତ୍ର କଳା କାର୍ବନ ଜମିଲେ ବରଫ ପ୍ରତିଫଳିତ ନକରି ଉତ୍ତାପକୁ ଶୋଷଣ କରିଥାଏ । ଯାହା ଫଳରେ ଗ୍ଲେସିୟର ଦ୍ରୁତ କ୍ଷୟ ହେବାରେ ଲାଗିଛି । ଏହା ଆଗକୁ ଭୟଙ୍କର ରୂପ ଧାରଣ କରିଛି । ଭାରତରେ ପ୍ରଦୂଷଣ ମାତ୍ର ବଢ଼ିବା ସହିତ ତାପମାତ୍ରା ମଧ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ନାସା ଗବେଷଣାରେ କୁହାଯାଇଛି ।....
ଅଧିକ ପଢନ୍ତୁ- AC Bike : ଗରମରୁ ରକ୍ଷା ପାଇଁ ଗଜବ ଉପାୟ, ସ୍କୁଟିରେ ଲାଗିଛି ଦେଶୀ ଏସି