ନୂଆଦିଲ୍ଲୀ ୨୬/୧୨: ସୂର୍ଯ୍ୟର ସବୁଠୁ ନିକଟରେ ପହଞ୍ଚି ଇତିହାସ ସୃଷ୍ଟି କରିବାକୁ ଯାଉଛି ‘ପାର୍କର୍‌’ । ନାସାର  ଏହି ମହାକାଶଯାନ ଭୟଙ୍କର ତାପମାତ୍ରା ଓ  ଚରମ ବିକିରଣକୁ ସହ୍ୟ କରି ସୂର୍ଯ୍ୟର ବାହ୍ୟ  ବାୟୁମଣ୍ଡଳରେ ପ୍ରବେଶ କରୁଛି । ଦୀର୍ଘ ଦିନ  ହେଲା ପାର୍କର୍‌ ସହ ପୃଥିବୀର ଯୋଗାଯୋଗ ଛିନ୍ନ  ହୋଇସାରିଛି । ଏହାର ସକ୍ରିୟତା ବିଷୟରେ ଜାଣିବା  ପାଇଁ ଆସନ୍ତା ୨୮ ତାରିଖ ସକାଳ ୧୦.୩୦ରେ ବୈଜ୍ଞାନିକମାନେ ଏହାର ସଙ୍କେତକୁ ଅପେକ୍ଷା  କରିବେ ।  

ସୂର୍ଯ୍ୟର ଗତିବିଧିକୁ ଭଲଭାବେ ବୁଝିବାରେ ପାର୍କର୍‌  ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ।  ନାସାର ବିଜ୍ଞାନ ମୁଖ୍ୟ ଡ. ନିକୋଲା ଫକ୍ସ କହିଛନ୍ତି,  ଅନେକ ଶତାବ୍ଦୀ ଧରି ବୈଜ୍ଞାନିକମାନେ ସୂର୍ଯ୍ୟର  ଅଧ୍ୟୟନ କରିଛନ୍ତି । କିନ୍ତୁ ବାସ୍ତବରେ ସେଠାକୁ ନ  ଯିବା ପର୍ଯ୍ୟନ୍ତ ସେ ସ୍ଥାନର ବାୟୁମଣ୍ଡଳ ବିଷୟରେ  ଜାଣିବା ମୁସ୍କିଲ । ତେଣୁ ଯେପର୍ଯ୍ୟନ୍ତ ଆମେ ସୂର୍ଯ୍ୟ  ମଧ୍ୟଦେଇ ଅତିକ୍ରମ କରିନୁ, ସେପର୍ଯ୍ୟନ୍ତ ତା’ର  ବାୟୁମଣ୍ଡଳର ଅନୁଭବ ହାସଲ କରିପାରିବୁ ନାହିଁ । ୨୦୧୮ ମସିହାରେ ପାର୍କର୍‌ ସୋଲାର ପ୍ରୋବ୍‌କୁ  ଆମ ସୌରମଣ୍ଡଳର କେନ୍ଦ୍ରକୁ ଉତ୍‌କ୍ଷେପଣ  କରାଯାଇଥିଲା । ଏହା ସୂର୍ଯ୍ୟ ନିକଟରୁ ୨୧ ଥର  ଅତିକ୍ରମ କରିସାରିଛି । ପ୍ରତି ଥର ଏହା ପୂର୍ବାପେକ୍ଷା  ସୂର୍ଯ୍ୟର ନିକଟତର ହେଉଛି । କିନ୍ତୁ କ୍ରିସ୍‌ମାସ  ସନ୍ଧ୍ୟାରେ ଏହାର ଯାତ୍ରା ରେକର୍ଡ ଭାଙ୍ଗିବ । ନିକଟତମ ଯାତ୍ରାରେ ପାର୍କର୍‌ ସୂର୍ଯ୍ୟ ପୃଷ୍ଠଠୁ ୬୨  ଲକ୍ଷ କିମି ଦୂରରେ ଅଛି । ଏହା ସେତେ ଅଧିକ ପାଖ  ଜଣାପଡୁ ନଥାଇପାରେ । 

ନିକୋଲା କହିଛନ୍ତି, ଆମେ  ସୂର୍ଯ୍ୟଠୁ ୯୩ ନିୟୁତ ମାଇଲ ଦୂରରେ ଅଛୁ । ତେଣୁ  ଯଦି ସୂର୍ଯ୍ୟ ଓ ପୃଥିବୀକୁ ଗୋଟିଏ ମିଟର ଦୂରତାରେ  ରଖାଯାଏ, ପାର୍କର୍‌ ସୂର୍ଯ୍ୟଠୁ ୪ ସେମି ଦୂରରେ  ରହିଛି । ସେହି ଦୃଷ୍ଟିରୁ ଏହା ଖୁବ୍‌ ନିକଟରେ ଅଛି । ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳରେ ପାର୍କର୍‌କୁ  ୧,୪୦୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ୍ୟ  କରିବାକୁ ପଡ଼ିବ । ସୂର୍ଯ୍ୟର ବିକିରଣ ଯାନରେ  ଥିବା ଯନ୍ତ୍ରପାତିଗୁଡ଼ିକୁ ନଷ୍ଟ କରିପାରେ । ୧୧.୫  ସେମି ମୋଟା କାର୍ବନ-ମିଶ୍ରିତ ଏକ ଆବରଣ  ପାର୍କର୍‌କୁ ସୁରକ୍ଷା ଦେଉଛି । ଖୁବ୍‌ଶୀଘ୍ର ସୂର୍ଯ୍ୟ  ବାୟୁମଣ୍ଡଳ ଭିତରକୁ ଯିବା ଓ ବାହାରକୁ ଆସିବା  ଏହାର ରଣନୀତି । ଯେକୌଣସି ମାନବକୃତ ବସ୍ତୁ  ତୁଳନାରେ ଏହା ଘଣ୍ଟାପ୍ରତି ୪୩୦,୦୦୦ ମାଇଲ ବେଗରେ ଗତି କରିବ । ୩୦ ସେକେଣ୍ଡ୍‌ରୁ କମ୍‌  ସମୟରେ ଲଣ୍ଡନ୍‌ରୁ ନ୍ୟୁୟର୍କକୁ ଉଡ଼ି ଯିବା ସହ  ଏହା ସମାନ । 

ପାର୍କର୍‌ ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳ ‘କରୋନା’ ମଧ୍ୟଦେଇ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି । ଏହା ଜରିଆରେ ବହୁ ପ୍ରାଚୀନ  ରହସ୍ୟର ସମାଧାନ ହୋଇପାରିବ । ସୂର୍ଯ୍ୟର କରୋନା ଅତ୍ୟନ୍ତ ଉତ୍ତପ୍ତ ହେବାର କାରଣ ବୈଜ୍ଞାନିକଙ୍କୁ  ଜଣାନାହିଁ ବୋଲି ୱେଲ୍ସ ସ୍ଥିତ ନକ୍ଷତ୍ରବିଜ୍ଞାନୀ ଡ.  ଜେନିଫର ମିଲାର୍ଡ କହିଛନ୍ତି । ସୂର୍ଯ୍ୟ ପୃଷ୍ଠର ଉତ୍ତାପ  ପ୍ରାୟ ୬ ହଜାର ଡିଗ୍ରୀ ସେଲ୍‌ସିୟସ । କିନ୍ତୁ ଏହାର  ଦୁର୍ବଳ ବାହ୍ୟ ବାୟୁମଣ୍ଡଳ କରୋନା, ଯାହାକୁ ଆମେ  ସୂର୍ଯ୍ୟଗ୍ରହଣ ସମୟରେ ଦେଖିପାରୁ ତା’ର ଉତ୍ତାପ  ଅନେକ ଲକ୍ଷ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚେ । ସୂର୍ଯ୍ୟଠୁ ବହୁ ଦୂରରେ ଥାଇ ଏହି ବାୟୁମଣ୍ଡଳ ଏତେ ଉତ୍ତପ୍ତ କେମିତି ହେଉଛି ?  

ନାସାର ସୋଲାର ମିଶନ ଏହି ରହସ୍ୟର ସମାଧାନ  କରିବ ବୋଲି ଆଶା କରାଯାଉଛି । କରୋନାରୁ  ନିରନ୍ତର ନିର୍ଗତ ହେଉଥିବା ଚାର୍ଜ କଣିକାଗୁଡ଼ିକର  ପ୍ରବାହ ‘ସୌର ପବନ’କୁ ଭଲଭାବେ ବୁଝିବାରେ  ମଧ୍ୟ ଏହି ମିଶନ୍‌ ସାହାଯ୍ୟ କରିବ । ଏହି କଣିକା  ଯେତେବେଳେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସଂସ୍ପର୍ଶରେ  ଆସନ୍ତି, ଆକାଶ ଉଜ୍ଜ୍ୱଳ ଆଭାରେ ଆଲୋକିତ  ହୋଇଥାଏ । କିନ୍ତୁ ଏହି ତଥାକଥିତ ‘ମହାକାଶ ଜଳବାୟୁ’ ସମସ୍ୟାର କାରଣ ମଧ୍ୟ ହୋଇପାରେ । ପାୱାର ଗ୍ରୀଡ୍‌, ବୈଦ୍ୟୁତିକ ଉପକରଣ ଓ  ଯୋଗାଯୋଗ ପ୍ରଣାଳୀଗୁଡ଼ିକୁ ଏହା ନଷ୍ଟ କରିପାରେ ।  

ସୂର୍ଯ୍ୟ, ଏହାର କାର୍ଯ୍ୟକଳାପ, ମହାକାଶ ଜଳବାୟୁ  ଓ ସୌର ପବନକୁ ବୁଝିବା ଆମ ଦୈନନ୍ଦିନ  ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଲାର୍ଡ  କହିଛନ୍ତି । ପୃଥିବୀ ସହିତ ପାର୍କର୍‌ର ସମ୍ପର୍କ ଛିନ୍ନ ହୋଇସାରିଥିବାବେଳେ ନାସା ବୈଜ୍ଞାନିକମାନେ  ଉତ୍କଣ୍ଠାର ସହ କ୍ରିସ୍‌ମାସ ସନ୍ଧ୍ୟାକୁ ଅପେକ୍ଷା  କରିଛନ୍ତି । ଯେତେଶୀଘ୍ର ସଙ୍କେତ ମିଳିବ, ପାର୍କର୍‌  ଠିକ୍‌ ଅଛି ବୋଲି ବୈଜ୍ଞାନିକ ଗ୍ରୀନ୍‌ ସିଗ୍‌ନାଲ  ଦେବେ । ଏହି ଦୁଃସାହସିକ ପ୍ରୟାସକୁ ନେଇ  ସେମାନେ ଚିନ୍ତାରେ ଅଛନ୍ତି । ତଥାପି ପାର୍କର୍‌ ଉପରେ  ସେମାନଙ୍କର ଭରସା ରହିଛି ।  

ନିକୋଲା କହିଛନ୍ତି, ପାର୍କର୍‌କୁ ନେଇ ସେ ଚିନ୍ତିତ ।  କିନ୍ତୁ ସମସ୍ତ ଭୟଙ୍କର ପରିସ୍ଥିତିର ମୁକାବିଲା ପାଇଁ  ଏହାକୁ ଡିଜାଇନ୍‌ କରାଯାଇଛି । ଏହା ବାସ୍ତବରେ ଏକ  ଅତ୍ୟନ୍ତ ଛୋଟ ମହାକାଶଯାନ । ଏଭଳି ଚାଲେଞ୍ଜ୍‌ରେ  ପାର୍କର୍‌ ଯଦି ତିଷ୍ଠିବ, ସୂର୍ଯ୍ୟ ଚତୁଃପାଶ୍ୱର୍ରେ ନିଜର  ଭବିଷ୍ୟତ ମିଶନ୍‌କୁ ଏହା ଜାରି ରଖିବ ।