ନୂଆଦିଲ୍ଲୀ,୦୨/୧୦:  କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌  ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି। ଯାହା ୧ ଜୁଲାଇ ୨୦୨୫ ଠାରୁ ପିଛିଲା ଭାବେ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷରୁ ଉର୍ଦ୍ଧ୍ୱ ପେନ୍‌ସନଧାରୀ ଉପକୃତ ହେବେ। ଏହାକୁ ମିଶାଇ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବର୍ତ୍ତମାନ ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଚଳିତ ବର୍ଷ ମହଙ୍ଗା ଭତ୍ତାରେ ଦ୍ୱିତୀୟ ବୃଦ୍ଧି। ସରକାର ବର୍ଷକୁ ଦୁଇ ଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି। ଏହି ବୃଦ୍ଧି ଗୃହୀତ ସୂତ୍ର ଅନୁସାରେ, ଯାହା ସପ୍ତମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ଉପରେ ଆଧାରିତ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଡ଼ିଏ ଅର୍ଥ ମହଙ୍ଗା ଭତ୍ତା। ଡ଼ିଆର ଅର୍ଥ ମହଙ୍ଗା ରିଲିଫ୍। DA ଏବଂ DR ସରକାରୀ ଦରମା ଏବଂ ପେନସନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହାର ଉଦ୍ଦେଶ୍ୟ ହେଉଛି, ମୁଦ୍ରାସ୍ଫୀତିର ପ୍ରଭାବକୁ ହ୍ରାସ କରିବା ଏବଂ କ୍ରୟ ଶକ୍ତି ବଜାୟ ରଖିବା। ସରକାର ବର୍ଷକୁ ଦୁଇ ଥର, ଜାନୁଆରୀ ଏବଂ ଜୁଲାଇରେ ସେଗୁଡ଼ିକର ସମୀକ୍ଷା କରନ୍ତି। ମାର୍ଚ୍ଚ ୨୦୨୫ରେ କେନ୍ଦ୍ର ସରକାର DA ଏବଂ DR ୨ ପ୍ରତିଶତ ବୃଦ୍ଧି କରିଥିଲେ, ଯାହା ଜାନୁଆରୀ ୧, ୨୦୨୫ରୁ ଲାଗୁ ହୋଇଥିଲା।ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, କ୍ୟାବିନେଟ ସାରା ଦେଶରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ମଧ୍ୟ ଅନୁମୋଦନ କରିଛି। ଯାହାର ଲକ୍ଷ୍ୟ ଗୁଣାତ୍ମକ ଶିକ୍ଷାର ସୁବିଧାକୁ ବିସ୍ତାର କରିବା। ୫୭ଟି ନୂତନ  କେଭି ପ୍ରତିଷ୍ଠା ପାଇଁ ମୋଟ୍ ୫୮୬୨.୫୫ କୋଟି ଟଙ୍କା ଆନୁମାନିକ ପାଣ୍ଠି ଆବଶ୍ୟକତା ହେବ, ଯାହା ୨୦୨୬-୨୭ରୁ ନଅ ବର୍ଷ ଅବଧି ମଧ୍ୟରେ ବିସ୍ତାରିତ ହେବ।