ପାଟନା, ୨୭।୧୦: ଠେଲାଗାଡ଼ିରେ ଫିଟିଙ୍ଗ୍ ହୋଇଛି ଆଖୁରସ କାଢ଼ୁଥିବା ମୋଟର ମେସିନ୍ । ପାଖରେ ପୋତା ହୋଇଛି ଛାଇ ପାଇଁ ଛତା । ଆଉ ସେଥିରେ ଟଙ୍କା ହୋଇଛି ୩୫ରୁ ୪୦ ମେଡାଲ । ମନରେ ପ୍ରଶ୍ନ ଆସୁଥିବ, ଏ ଯୁବକ ଜଣକ ମେଡାଲଗୁଡ଼ିକୁ ଏମିତି କାହିଁକି ଟାଙ୍ଗଛନ୍ତି ଟାଙ୍ଗିଛନ୍ତି ? ଏ ଯୁବକ ଜଣକ ହେଉଛନ୍ତି ବିହାରର ଦୀପକ କୁମାର, ବୟସ ୨୨ ବର୍ଷ, ଜଣେ ଜାତୀୟ ସ୍ତରର ଖେଳାଳି । ହେଲେ ଆଜି ଆଖୁରସ ବିକି ପେଟ ପୋଷୁଛନ୍ତି । ସେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ । ତାଙ୍କ ଷ୍ଟଲ୍କୁ ଗ୍ରାହକ ଆଖୁରସ ପିଇବାକୁ ଆସିଲେ ଘଡ଼ିଏ ରହି ସେହି ମେଡାଲଗୁଡ଼ିକୁ ଦେଖନ୍ତି । ଆଉ ଦୀପକଙ୍କୁ ଏ ବିଷୟରେ ପଚାରି ତାଙ୍କ ସଂଘର୍ଷର କଥା ଶୁଣନ୍ତି ।
ନାଗାଲାଣ୍ଡ ଅନୁଷ୍ଠାନର ଜାତୀୟ ସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ ୬୦୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିତିଥିଲେ ଦୀପକ । ୨୦୨୩ରେ ୮ କିଲୋମିଟର ରେସରେ ଜିତିଥିଲେ ସିଲଭର ମେଡାଲ । କେବଳ ଏତିକି ନୁହଁ, ନିଜ ରାଜ୍ୟରେ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଜିତିଛନ୍ତି ୧୬ଟି ସ୍ୱର୍ଣ୍ଣ ପଦକ । ଏପରି ସେ ୩୫ରୁ ଅଧିକ ପଦକ ଜିତିଛନ୍ତି । ଶିକ୍ଷାଗତ ଯୋଗ୍ୟତାରେ ବି ସେ ଆଗୁଆ । ଗୁରୁ ନାନକ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ କରିଛନ୍ତି । ଲୁଧିଆନା, ସାଙ୍ଗରୁର, ପଟିଆଲା ଏବଂ ଅନ୍ୟାନ୍ୟ ସ୍ଥାନରେ ପଞ୍ଜାବ ସରକାରଙ୍କ ଦ୍ୱାରା ଆୟୋଜିତ କ୍ରୀଡ଼ାରେ ୬ ଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦୀପକ ।
ମାଳ ମାଳ ସାର୍ଟିଫିକେଟ୍, ମେଡାଲ, ପାଠପଢ଼ାର ସାର୍ଟିଫିକେଟ୍ ନେଇ କାହିଁ କେତେ ଥର ନେତା ମନ୍ତ୍ରୀଙ୍କ ପାଖକୁ ଧାଇଁଛନ୍ତି, ସହାୟତା ପାଇଁ ଗୁହାରି କରିଛନ୍ତି, ଅନେକ ଚାକିରି ପାଇଁ ମଧ୍ୟ ଆବେଦନ କରିଛନ୍ତି । କିନ୍ତୁ କିଛି ଲାଭ ମିଳିନି । ସବୁଠି ଖାଲି ହାତରେ ଫେରିଛନ୍ତି । ଚାକିରି ନ ମିଳିବାରୁ ଶେଷରେ ପେଟ ପୋଷିବାକୁ ମିନି ସଚିବାଳୟର ପଟୱାର ଖାନାଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଖୁରସ ଷ୍ଟଲ ଦେବାକୁ ବାଧ୍ୟ ହେଲେ । ଆଉ ବର୍ଷ ବର୍ଷ ଧରି ନିଜ ପରିଶ୍ରମ ବଳରେ କ୍ରୀଡ଼ାରେ ଜିତିଥିବା ପଦକଗୁଡ଼ିକୁ ତାଙ୍କ କାର୍ଟରେ ଟାଙ୍ଗି ଦେଇଥିଲେ । ଦୀପକଙ୍କ ମନରେ ଏନେଇ ଖୁବ୍ କ୍ଷୋଭ । ତାଙ୍କ ମନରେ ପ୍ରଶ୍ନ, ଏ ଦେଶରେ ଖେଳାଳିଙ୍କୁ କେବେ ମିଳିବ ମାର୍ଯ୍ୟାଦା ? କେବେ ମିଳିବ ସୁଯୋଗ ?