ଭୁବନେଶ୍ୱର,୧୭/୦୬ : ରାଜ୍ୟରେ ଜଳାଶୟ ଗୁଡ଼ିକର ସୁରକ୍ଷା ପାଇଁ ଯୋଜନା । ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ନିୟମାବଳୀ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ଆଧାର କରି ଥିବା ଜଳାଶୟର ସୁରକ୍ଷା ପରିଚାଳନା ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର । ଆଗକୁ ସମୃଦ୍ଧ ପର୍ଯ୍ୟଟନର ଶ୍ରୀବୃଦ୍ଧି ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଏହିସବୁ ସ୍ଥାନରେ ଜଳକ୍ରୀଡ଼ା ଓ ଦୁଃସାହସିକ କ୍ରୀଡ଼ାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ତା’ପୂର୍ବରୁ ଏଠାରେ ଏପ୍ରକାରର ପର୍ଯ୍ୟଟନ ଲାଗି କେତେ ସମ୍ଭାବନା ରହିଛି, ତା’ର ରିପୋର୍ଟ ପରେ ସରକାର ଆଗେଇବେ ବୋଲି କୁହାଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୨୪ଟି ଜଳାଶୟକୁ ଚିହ୍ନଟ କରାଯାଇଛି । ଯାହାର ଫିଜିବିଲିଟି ଷ୍ଟଡି ସହ ସୁରକ୍ଷା ପରିଚାଳନା ଯୋଜନା ପ୍ରସ୍ତୁତ ଲାଗି ଗୋଆର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ୍ (ଏନ୍ଆଇଡବ୍ଲୁଏସ୍) ବା ଜାତୀୟ ଜଳକ୍ରୀଡ଼ା ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ । କେଉଁ ଜଳାଶୟରେ କେଉଁ ପ୍ରକାରର ଜଳକ୍ରୀଡ଼ା ଏବଂ ଦୁଃସାହସିକ କ୍ରୀଡ଼ା ହୋଇପାରିବ ବା ସମ୍ଭାବନା ଅଛି, ତା’ର ମଧ୍ୟ ତଥ୍ୟ ଉପସ୍ଥାପନ କରିବେ । ରାଜ୍ୟର ସବୁ ଜଳାଶୟର ଫିଜିବିଲିଟି ଷ୍ଟଡି ହେବ । ମାତ୍ର ପର୍ଯ୍ୟାୟ କ୍ରମେ କରାଯିବ । ଏଥିପାଇଁ ମୋଟ ୧ କୋଟି ୭୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଅର୍ଥ କେବଳ ଫିଜିବିଲିଟି ଷ୍ଟଡି ଏବଂ ସୁରକ୍ଷା ପରିଚାଳନା ଯୋଜନା ପ୍ରସ୍ତୁତ ଲାଗି ଦିଆଯିବ । ଏନ୍ଆଇଡବ୍ଲୁଏସ୍ ଯେଉଁ ଦର ଦେଇଥିଲା, ତା’ର ଆଧାରରେ ଅନୁମତି ପୂର୍ବକ ସରକାର ଅର୍ଥ ମଞ୍ଜୁରି ସହିତ ଟିକସ ମୁକ୍ତ କରିଛନ୍ତି ।
ନିୟମ ଅନୁସାରେ ମୋଟ୍ ଅର୍ଥର ୩୦% ଅର୍ଥାତ୍ ୫୨.୨୦ ଲକ୍ଷ ଟଙ୍କା ପ୍ରଥମେ ଅଗ୍ରୀମ ଆକାରରେ ସରକାର ଦେବେ । ବାକି ୭୦% କାମ ସରିବା ପରେ ମିଳିବ । ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏନ୍ଆଇଡବ୍ଲୁଏସ୍ର ନୋଡାଲ୍ ଅଧିକାରୀ ଡ. ପୱନ ଗୁପ୍ତାଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଓଡ଼ିଶା ସରକାର ଏବେ ଚିଲିକା, ତାମ୍ପରା, ଅଂଶୁପା, ହୀରାକୁଦ, ସାତକୋଶିଆ ସମେତ ଅନ୍ୟ ନଦୀ, ଡ୍ୟାମ୍, ହ୍ରଦ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସୁରକ୍ଷିତ ଭାବେ ଜଳ ଓ ଦୁଃସାହସିକ କ୍ରୀଡ଼ା - ଜେଟ୍ ସ୍କି, ବୋଟିଂ, କାୟାକିଂ, ପାରାସେଲିଂ ଆରମ୍ଭ କରିବାକୁ ଯାଉଛନ୍ତି । କିଛି ସ୍ଥାନରେ ହେଉଥିଲା ବେଳେ ଆଗକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ । ସେଥିଲାଗି ପ୍ରଥମେ ଏନ୍ଆଇଡବ୍ଲୁଏସ୍ ବୈଷୟିକ ଟିମ୍ ଆସି ବିଭିନ୍ନ କ୍ଷେତ୍ର ଦେଖିବେ । ପାଣିର ଗଭୀରତା, ସ୍ରୋତ, ପବନ, ସୁରକ୍ଷା ଦୃଷ୍ଟିରୁ ଜାଗା ଉପଯୁକ୍ତ କି ନୁହେଁ, ଏହିଭଳି ଧାର୍ଯ୍ୟ ବିଭିନ୍ନ ମାନଦଣ୍ଡ ଅନୁସାରେ ରିପୋର୍ଟ ଦେବେ । ତା’ପରେ ପ୍ରତି ଜଳାଶୟ ପାଇଁ ଅଲଗା ସୁରକ୍ଷା ନିୟମ, ଲାଇଫ୍ ଜ୍ୟାକେଟ୍, ରେସ୍କ୍ୟୁ ଟିମ୍ ପ୍ଲାନ୍ ତିଆରି ହେବ । ଯାହା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୬ ଅନୁସାରେ ଦୁଃସାହସିକ ପର୍ଯ୍ୟଟନ ବଢ଼ାଇବା ଦିଗରେ ବଡ଼ ପଦକ୍ଷେପ ।
ଏବେ ଓଡ଼ିଶା ପର୍ଯ୍ୟଟନ ବିଭାଗ ମନଛୁଆଁ ପରିବେଶ ପର୍ଯ୍ୟଟନ, ଆଧ୍ୟାତ୍ମିକତା, ଐତିହ୍ୟ ଏବଂ ଦୁଃସାହସିକ ଅଭିଜ୍ଞତା ସହିତ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ସାଉଁଟିବାର ସୁଯୋଗ ଦେଉଛି । ସରକାର ବର୍ତ୍ତମାନ ଇକୋ-ଟୁରିଜିମ୍ ଏବଂ ଜଳକ୍ରୀଡ଼ା କାର୍ଯ୍ୟକ୍ରମକୁ ବିସ୍ତାର ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି । ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ସହ ଅଧିକ ‘ବ୍ଲୁ ଫ୍ଲାଗ୍ ବିଚ୍’ ପ୍ରତିଷ୍ଠା, ସୁରକ୍ଷିତ ଉପକୂଳ, ନିରାପଦ ଜୀବନ ପାଇଁ କୋଣାର୍କ ନିକଟ ରାମଚଣ୍ଡୀଠାରେ ଓଡ଼ିଶା ୱାଟର୍ମ୍ୟାନ୍ସିପ୍ ଏବଂ ଲାଇଫ୍ଗାର୍ଡ ପ୍ରତିଷ୍ଠାନ(ଓସ୍ୱାଲି) ପ୍ରତିଷ୍ଠା ସାଙ୍ଗକୁ ଅତ୍ୟାଧୁନିକ ସ୍କୁବା କମ୍ପେ୍ଲକ୍ସର ଭିତ୍ତି ପଡ଼ିଛି । ଓଡ଼ିଶା ପର୍ଯ୍ୟଟନ, ଅଗ୍ନିଶମ ଓ ଜରୁରିକାଳୀନ ସେବା ଏବଂ ଗୋଆର ଏନ୍ଆଇଡବ୍ଲୁଏସ୍ ମଧ୍ୟରେ ଏମ୍ଓୟୁ ଅନୁସାରେ ବୃତ୍ତିଗତ ଲାଇଫ୍ଗାର୍ଡ ତାଲିମ୍ ପରିଚାଳନା, କ୍ଷମତା ବୃଦ୍ଧି ଏବଂ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଚାଲିଛି । ଯାହା ରାଜ୍ୟରେ ଜଳଭିତ୍ତିକ ପର୍ଯ୍ୟଟନକୁ ସମୃଦ୍ଧ କରୁଛି ।
ଆହୁରି ପଢନ୍ତୁ- ଚା’ ଦୋକାନ ଖୋଲି ବିକୁଥିଲେ ରେଳବାଇ ଚାକିରି, ଠକ ବାପା-ଝିଅ ଗିରଫ