ନୂଆଦିଲ୍ଲୀ,୧୬/୦୬; ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଫଳରେ ଗତ ୩ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ଘଟିବ ଏବଂ ଖୋଲିଯିବ ହୋର୍ମୁଜ ଜଳମାର୍ଗ । ଏହା ପ୍ରଭାବରେ ସୋମବାର ବିଶ୍ୱବ୍ୟାପୀ ବଜାରରେ ଉତ୍ସାହ ଖେଳିଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ପାଖାପାଖି ୫% ହ୍ରାସ ଘଟିଛି । ମଧ୍ୟପ୍ରାଚ୍ୟରେ ଶାନ୍ତି ଆଶା ଏବଂ ଅଶୋଧିତ ତୈଳ ଦର ହ୍ରାସର ପ୍ରଭାବ ଘରୋଇ ଇକ୍ୱିଟି ବଜାର ପାଇଁ ସକାରାତ୍ମକ ରହିଛି । ସୋମବାର କାରବାର ମଝିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସ ୧୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା ଏବଂ ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ନିଫ୍ଟି ୩୫୦ ପଏଣ୍ଟ ବଢ଼ିଥିଲା । ତେବେ କାରବାର ଶେଷରେ ସେନ୍ସେକ୍ସ ୭୩୬.୩୮ ପଏଣ୍ଟ ବଢ଼ି ୭୬,୨୬୪.୩୩ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ନିଫ୍ଟି ୨୩୧ ପଏଣ୍ଟ ଉପରମୁହାଁ ହୋଇ ୨୩,୮୫୩.୯୦ ପଏଣ୍ଟରେ ବନ୍ଦ ହୋଇଛି । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବଢ଼ି ୯୪.୪୭ ସ୍ତରରେ ବନ୍ଦ ହୋଇଛି ।
ସେନ୍ସେକ୍ସର ୩୦ ସେୟାର ମଧ୍ୟରୁ ୨୨ଟି ବୃଦ୍ଧି ସହିତ ବନ୍ଦ ହୋଇଛି । ଟ୍ରେଣ୍ଟ୍ର ସେୟାର ମୂଲ୍ୟରେ ସର୍ବାଧିକ ୫.୪୦% ବୃଦ୍ଧି ଘଟିଛି । ଏହାବ୍ୟତୀତ ଇଣ୍ଡିଗୋ, ବଜାଜ ଫିନ୍ସର୍ଭ, ଇଟର୍ନାଲ, ଅଲ୍ଟ୍ରା ସିମେଣ୍ଟ, ମାରୁତି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଏଲ୍ ଆଣ୍ଡ୍ ଟି, ବଜାଜ ଫାଇନାନ୍ସ, ଟାଇଟନ, ଇନ୍ଫୋସିସ୍ ଏବଂ ଏଚ୍ସିଏଲ୍ ଟେକ୍ରେ ବି ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ, ଏନ୍ଟିପିସି, ଆଇସିଆଇସିଆଇ ବ୍ୟାଙ୍କ, ଏସିଆନ୍ ପେଣ୍ଟ୍ସ ଏବଂ ସନ୍ଫାର୍ମାର ସେୟାର ମୂଲ୍ୟରେ ହ୍ରାସ ଘଟିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ, ଇରାନ ଶାନ୍ତି ଚୁକ୍ତି ପାଇଁ ସହମତ ହୋଇଯାଇଛି । ଏହାଦ୍ୱାରା ମଧ୍ୟପ୍ରାଚ୍ୟରେ ୩ ମାସରୁ ଊଦ୍ଧ୍ୱର୍ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହେବ ଏବଂ ହୋର୍ମୁଜ ଷ୍ଟ୍ରେଟ୍ ପୁଣି ଥରେ ଖୋଲିଯିବ ।
ଏହା ବି ପଢନ୍ତୁ...AI News: ଜାତୀୟ ସୁରକ୍ଷା ପାଇଁ ବିପଦ, ଆନ୍ଥ୍ରୋପିକ୍ ଆଡଭାନ୍ସ ଏଆଇ ମଡେଲ ସାରା ବିଶ୍ୱରେ ବନ୍ଦ
ରିପୋର୍ଟ ଅନୁସାରେ, ଉଭୟ ପକ୍ଷ ପରସ୍ପର ବିରୋଧରେ ସୈନ୍ୟ ଅଭିଯାନ ତୁରନ୍ତ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ହୋର୍ମୁଜ ଖୋଲିବା ଦ୍ୱାରା ଶକ୍ତି ସଂକଟରେ ସୁଧାର ଆସିବ । ଭାରତ ଭଳି ଆମଦାନିକାରୀ ରାଷ୍ଟ୍ର ପାଇଁ ଏହା ଅତ୍ୟନ୍ତ ଆଶ୍ୱସ୍ତିକର ଖବର । ହୋର୍ମୁଜ ଦେଇ ବିଶ୍ୱର ୨୦% ତୈଳ ବିଶ୍ୱର ବିଭିନ୍ନ ସ୍ଥାନକୁ ପରିବହନ ହୋଇଥାଏ । ଏହା ଖୋଲିବା ଦ୍ୱାରା ବିଶ୍ୱ ତୈଳ ଦରରେ ସୁଧାର ଆସିବ ଏବଂ ଭାରତ ଭଳି ଆମଦାନିକାରୀ ରାଷ୍ଟ୍ର ଉପକୃତ ହେବେ । ନିକଟରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧି ଦ୍ୱାରା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଦରଦାମ ତେଜିଥିଲା । ଆମେରିକାରେ ବି ମୁଦ୍ରାସ୍ଫୀତି ଚରମ ସ୍ତରରେ ପହଞ୍ଚିଯାଇଥିଲା । ପାକିସ୍ତାନ, ବ୍ରିଟେନରୁ ନେଇ ବାଂଲାଦେଶ ଏବଂ ଭାରତ ପର୍ଯ୍ୟନ୍ତ ରାଷ୍ଟ୍ରରେ ତୈଳ ଏବଂ ଗ୍ୟାସ ସଂକଟ ଦେଖିବାକୁ ମିଳିଥିଲା । ଏଲ୍ପିଜି ସିଲିଣ୍ଡର ମହଙ୍ଗା ହୋଇଯାଇଥିଲା । ଏବେ ହୋର୍ମୁଜ ଖୋଲିବା ଦ୍ୱାରା ତୈଳ ଏବଂ ଗ୍ୟାସ ଯୋଗାଣ ସ୍ୱାଭାବିକ ହୋଇଯିବ । ଭାରତରେ ତୈଳ ଏବଂ ଗ୍ୟାସ ସଂକଟ ଦୂର ହେବ । ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ଶସ୍ତା ହେବ । ଯୁଦ୍ଧ ଟଳିବା ଦ୍ୱାରା ସେୟାର ବଜାର ସେଣ୍ଟିମେଣ୍ଟରେ ସୁଧାର ଆସିବ ଏବଂ ଟଙ୍କା ବି ସବଳ ହେବ । ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏହି ଶାନ୍ତି ଚୁକ୍ତି ଶାନ୍ତି ଆଣିବ ।