ନୂଆଦିଲ୍ଲୀ,୦୪/୧୦: ଭାରତ ସରକାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ଫେରାଇ ଆଣିବା ପାଇଁ ନରନ୍ତର କାମ କରୁଛନ୍ତି। ଭାରତ ସରକାର ଲଣ୍ଡନ କୋର୍ଟକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ନୀରବ ମୋଦିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ତାର ବିଚାର କେବଳ କୋର୍ଟରେ କରାଯିବ। କୌଣସି ତଦନ୍ତକାରୀ ସଂସ୍ଥା ନୀରବ ମୋଦିକୁ ପଚରାଉଚରା କରିବ ନାହିଁ, କିମ୍ବା ତାକୁ ପୁଣିଥରେ ଗିରଫ କରାଯିବ ନାହିଁ।
ସୂଚନାଥାଉକି, ନଭେମ୍ବର ୨୩ ତାରିଖରେ ଲଣ୍ଡନର ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରିବେ, ଯେଉଁଥିରେ ତାର ପ୍ରତ୍ୟର୍ପଣ ମାମଲାକୁ ପୁଣି ଥରେ ଖୋଲିବା ପାଇଁ ଦାବି କରାଯାଇଛି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ନୀରବ ମୋଦୀକୁ ଭାରତ ଅଣାଯାଏ, ତେବେ ତାକୁ ଏଜେନ୍ସିଗୁଡ଼ିକ ଦ୍ୱାରା ପଚରାଉଚରା କରାଯାଇପାରେ ଏବଂ ନିର୍ଯାତନା ମଧ୍ୟ ଦିଆଯାଇପାରେ। ତଥାପି, ଏଜେନ୍ସିଗୁଡ଼ିକ ଏବେ ଏହାକୁ ଅସ୍ୱୀକାର କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ପଚରାଉଚରା କରାଯିବ ନାହିଁ।
କେବଳ ଭାରତୀୟ ଆଇନ ଅନୁସାରେ ଚାଲିବ ମକଦ୍ଦମା:
ମାମଲାର ତଦନ୍ତ କରୁଥିବା ଏଜେନ୍ସିଗୁଡ଼ିକ କୋର୍ଟକୁ ଦିଆଯାଇଥିବା ସେମାନଙ୍କର ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇପାରନ୍ତି ଯେ ଯଦି ମୋଦିକୁ ପ୍ରତ୍ୟର୍ପଣ କରାଯାଏ, ତେବେ ଭାରତୀୟ ଆଇନ ଅନୁଯାୟୀ ତା ବିରୁଦ୍ଧରେ ବିଚାର କରାଯିବ ଏବଂ ଏଜେନ୍ସିଗୁଡ଼ିକ ତାଙ୍କୁ ପଚରାଉଚରା କରିବେ ନାହିଁ। ଘଟଣାକ୍ରମ ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, "ଆମେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିସାରିଛୁ। ବର୍ତ୍ତମାନ ତାକୁ ପଚରାଉଚରା କରିବାର ଆବଶ୍ୟକତା ନାହିଁ। ଆମର ତଦନ୍ତ ପ୍ରାୟ ସମ୍ପୂର୍ଣ୍ଣ। ତାକୁ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ। ଯଦି ୟୁକେ କୋର୍ଟ ଆମକୁ ପଚାରିବେ, ତେବେ ଆମେ ଆମର ପ୍ରତିଶ୍ରୁତିକୁ ଦୋହରାଇପାରିବୁ ଯେ ଯଦି ତାକୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ ତେବେ ତାକୁ ପଚରାଉଚରା କରାଯିବ ନାହିଁ। ଆମେ ପୂର୍ବରୁ ମଧ୍ୟ ଏପରି ପ୍ରତିଶ୍ରୁତି ଦେଇଛୁ।"
ଉଲ୍ଲେଖଯୋଗ୍ୟ ଯେ, ନୀରବ ମୋଦି ୨୦୧୮ ମସିହାରେ କୋଟି କୋଟି ଟଙ୍କାର ଏକ ଘୋଟାଲାରେ ଅଭିଯୁକ୍ତ ହେବା ପରେ ଦେଶ ଛାଡ଼ି ପଳାଇ ଯାଇଥିଲା। ତା ଉପରେ ଶହ ଶହ ଜାଲିଆତି କରି ଜାରି ହୋଇଥିବା ଲେଟର ଅଫ୍ ଅଣ୍ଡରଟେକିଂ ମାଧ୍ୟମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୬,୪୯୮ କୋଟିରୁ ଅଧିକ ଟଙ୍କା ହଡ଼ପ କରିବାର ଅଭିଯୋଗ ଅଛି। ମାମଲାର ତଦନ୍ତ କରୁଥିବା ଏଜେନ୍ସିଗୁଡ଼ିକ ସହମତ ଯେ ସେମାନଙ୍କୁ ନୀରବ ମୋଦିକୁ ପଚରାଉଚରା କରିବାର ଆବଶ୍ୟକତା ନାହିଁ।
ଉଲ୍ଲେଖନୀୟ ଯେ ଭାରତ ସରକାର ପୂର୍ବରୁ ୟୁକେକୁ ପ୍ରତିଶ୍ରୁତି ଦେଇସାରିଛନ୍ତି ଯେ ନୀରବକୁ ମୁମ୍ବାଇର ଆର୍ଥର ରୋଡ୍ ଜେଲର ୧୨ ନମ୍ବର ବ୍ୟାରେକରେ ରଖାଯିବ, ଯେଉଁଠାରେ କୌଣସି ହିଂସା କିମ୍ବା ନିର୍ଯାତନାର ଆଶଙ୍କା ନାହିଁ। ଏଜେନ୍ସିଗୁଡ଼ିକ ୟୁକେକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତା ବିରୁଦ୍ଧରେ ଭାରତୀୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ଏବଂ ତା ବିରୁଦ୍ଧରେ କୌଣସି ନୂଆ ଅଭିଯୋଗ ଦାଖଲ କରାଯିବ ନାହିଁ।
ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିକୁ ୧୯ ମାର୍ଚ୍ଚ, ୨୦୧୯ରେ ପ୍ରତ୍ୟର୍ପଣ ୱାରେଣ୍ଟ ବଳରେ ଗିରଫ କରାଯାଇଥିଲା। ତତ୍କାଳୀନ ବ୍ରିଟିଶ ଗୃହ ସଚିବ ପ୍ରିତି ପଟେଲ ଏପ୍ରିଲ ୨୦୨୧ରେ ନୀରବର ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରାୟ ଛଅ ବର୍ଷ ଧରି ଲଣ୍ଡନର ଏକ ଜେଲରେ ଅଛି।