ନୂଆଦିଲ୍ଲୀ,୦୪/୧୧: ବିହାର ପରେ ଏବେ ସାରା ଦେଶରେ ହେବ ସ୍ବତନ୍ତ୍ର ଭୋଟର ସର୍ଭେ। ଆଜିଠୁ ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ୍ ୫୧ କୋଟି ଭୋଟର ଅଛନ୍ତି। ଏହି ପ୍ରକ୍ରିୟା ୭ ଫେବୃଆରୀ ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହିତ ଶେଷ ହେବ। ତେବେ ବିହାର ପରେ ଏସଆଇଆରର ଏହା ଦ୍ୱିତୀୟ ପର୍ଯ୍ୟାୟ। ବିହାରର ପ୍ରାୟ ୭.୪୨ କୋଟି ନାମ ବିଶିଷ୍ଟ ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟମ୍ୱର ୩୦ରେ ପ୍ରକାଶ ପାଇଥିଲା । 

ଦ୍ୱିତୀୟ ପର୍ଯ୍ୟାୟ 'SIR' ଆଜିଠୁ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପ, ଗୋଆ, ଗୁଜରାଟ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି । ଏଥିମଧ୍ୟରୁ ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ବଙ୍ଗରେ ୨୦୨୬ ମସିହାରେ ବିଧାନସଭା ନିର୍ବାଚନ ହେବ। ଯଦିଓ ଆସାମରେ ୨୦୨୬ ମସିହାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ସେହି ସ୍ଥାନ ପାଇଁ ଏସଆଇଆର ପୃଥକ ଭାବରେ ଘୋଷଣା କରାଯିବ । କାରଣ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସେଠାରେ ନାଗରିକତା ଯାଞ୍ଚ କାର୍ଯ୍ୟ ଚାଲିଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଅକ୍ଟୋବର ୨୭ ତାରିଖରେ SIRର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଥିଲେ। ତାଙ୍କ ଅନୁସାରେ ଏସଆଇଆର ନଭେମ୍ବର ୪ ତାରିଖରେ ଗଣନା ପର୍ଯ୍ୟାୟ ସହିତ ଆରମ୍ଭ ହେବ ଏବଂ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ କମିଶନ ଡିସେମ୍ବର ୯ ତାରିଖରେ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ କରିବେ ଏବଂ ଫେବୃଆରୀ ୭ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ। ଅଧିକାଂଶ ରାଜ୍ୟରେ ପୂର୍ବରୁ ଏସଆଇଆର ୨୦୦୨ରୁ ୨୦୦୪ ମଧ୍ୟରେ କରାଯାଇଥିଲା ।  ତେବେ ଏସଆଇଆରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବେଆଇନ ଭାବେ ରହୁଥିବା ପ୍ରବାସୀମାନଙ୍କୁ ବାହାର କରିବା । ବିଭିନ୍ନ ରାଜ୍ୟରେ ଅବୈଧ ପ୍ରବାସୀ, ବିଶେଷକରି ବାଂଲାଦେଶ ଏବଂ ମିଆଁମାରର ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।