ଭୁବନେଶ୍ଵର : ବନ୍ଦେ ମାତରମ୍... କେବଳ ଏକ ରାଷ୍ଟ୍ର ଗାନ ନୁହେଁ, ଏହା ଦେଢ ଶହ କୋଟି ଭାରତୀୟଙ୍କ ସ୍ଵର, ଏକ ମନ୍ତ୍ର, ଉର୍ଜା ଏବଂ ସଂକଳ୍ପ। ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଲେଖନୀରୁ ଜନ୍ମ ବନ୍ଦେ ମାତରମ୍ ପ୍ରତିଟି ଭାରତୀୟଙ୍କ ଆତ୍ମାର ସ୍ଵର। ଯାହାକି ସ୍ଵାଧୀନତା ସଂଗ୍ରାମୀଙ୍କୁ ବଳ ଦେଉଥିଲା। ରାଷ୍ଟ୍ରଭକ୍ତିର ସ୍ଵର ପାଲଟିଥିଲା। ଏହି ଗୀତକୁ ୧୫୦ ବର୍ଷ ପୂର୍ତ୍ତି ହୋଇଛି। ୧୮୭୫ ମସିହାରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ମା' କାଳୀଙ୍କ ଅବତାର ଭାବରେ ମାତୃଭୂମିର ପ୍ରଶଂସାରେ "ବନ୍ଦେ ମାତରମ୍"ର ରଚନା କରିଥିଲେ। ବଙ୍ଗକୁ ଉତ୍ସର୍ଗୀକୃତ ଏହି ଗୀତଟି ବାରମ୍ବାର ରାଜନୈତିକ ଝଡ଼ର କେନ୍ଦ୍ରବିନ୍ଦୁ ରହିଆସିଛି। ତେବେ ଜାଣନ୍ତୁ ବନ୍ଦେ ମାତରମ୍ର ଇତିହାସ...
୧୮୮୨ ମସିହାରେ ବଙ୍ଗଦର୍ଶନ ପତ୍ରିକାରେ ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସ ଆନନ୍ଦ ମଠର ଏକ ଅଂଶ ବନ୍ଦେ ମାତରମ୍ ପ୍ରକାଶିତ ହୋଇଥିଲା। ଯାହାକି ସନ୍ୟାସୀ ବିଦ୍ରୋହ ଏବଂ ୧୭୭୦ରେ ବଙ୍ଗର ଅକାଳ ମରୁଡ଼ି ଉପରେ ଆଧାରିତ ଥିଲା। ୧୯୦୦ ମସିହା ପର୍ଯ୍ୟନ୍ତ ବନ୍ଦେ ମାତରମ୍ ଇଂରେଜଙ୍କ ବିରୋଧରେ ସ୍ଵାଧିନତା ସଂଗ୍ରାମୀଙ୍କ ସ୍ଵର ପାଲଟିଥିଲା। ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରବାଦୀ ନେତାମାନେ ଏହାକୁ ଲୋକପ୍ରିୟ କରିଥିଲେ। ମୂଳ ବନ୍ଦେ ମାତରମ୍ ଛଅ ଛନ୍ଦ ବିଶିଷ୍ଟ ଏକ ଗୀତ। ବାକି ଅଂଶରେ ଦେବୀ ଦୁର୍ଗା ଓ ଦେବୀ ଲକ୍ଷ୍ମୀଙ୍କ ଛବିକୁ ବର୍ଣ୍ଣନା କରାଯାଇଛି। ଏହି ଗୀତର ପ୍ରଥମ ଦୁଇ ଶବ୍ଦ କ୍ରାନ୍ତୀକାରୀଙ୍କ ପାଇଁ ନାରା ପାଲଟିଥିଲା। ହେଲେ ୧୯୩୭ରେ ମୁସଲିମ ଲିଗ୍ ଲକ୍ଷ୍ନୌରେ ଅନୁଷ୍ଠିତ ଏହାର ୨୫ତମ ଅଧିବେଶନରେ ଗୃହୀତ ଏକ ପ୍ରସ୍ତାବରେ, ବନ୍ଦେ ମାତରମ୍ ସମ୍ପୂର୍ଣ୍ଣ ଇସଲାମ ବିରୋଧୀ ଏବଂ ମୂର୍ତ୍ତିପୂଜକ କହିଥିଲା। ଏହା ଭାରତରେ ପ୍ରକୃତ ଜାତୀୟତାବାଦର ବିକାଶ ପାଇଁ କ୍ଷତିକାରକ ବୋଲି କହିଥିଲା। କିଛି ଦିନ ପରେ ୨୬ ଅକ୍ଟୋବରରେ କଲିକତାରେ ନେହେରୁଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ବିଷୟରେ ଏକ ପ୍ରସ୍ତାବ ପାରିତ କରିଥିଲା। ଏଥିରେ କୁହାଯାଇଥିଲା ଯେ ଯେଉଁଠାରେ ଜାତୀୟ ସମାବେଶରେ ବନ୍ଦେ ମାତରମ୍ ଗାନ କରାଯାଏ, ସେଠାରେ କେବଳ ପ୍ରଥମ ଦୁଇଟି ପଦ ଗାନ କରାଯିବା ଉଚିତ୍। ଆୟୋଜକମାନେ ବନ୍ଦେ ମାତରମ୍ ବ୍ୟତୀତ କିମ୍ବା ଏହା ବଦଳରେ ଅନ୍ୟ କୌଣସି ଗୀତ ଗାଇବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି ଯାହା ଆପତ୍ତିଜନକ ନୁହେଁ। ଏହାପରେ ୧୯୫୦ ଜାନୁଆରୀ ୨୪ରେ ବନ୍ଦେ ମାତରମ୍କୁ ରାଷ୍ଟ୍ର ଗାନ ରୂପେ ଗ୍ରହଣ କରାଯାଇଥିଲା।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନୁଯାୟୀ, ୧୮୯୬ରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶରେ ବନ୍ଦେ ମାତରମ୍କୁ ପ୍ରଥମେ ଗାନ କରାଯାଇଥିଲା। ୧୯୦୦ ପରେ ବଙ୍ଗ ବିଭାଜନ ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ଏହି ସମୟରେ ଏହି ଗୀତ ରାଷ୍ଟ୍ର ଗାନ ରୂପେ ଅଧିକ ପରିଚିତ ହୋଇଥିଲା। ମୁସଲିମ୍ ନେତାମାନେ ଏହି ଗୀତକୁ ବିରୋଧ କରୁଥିଲେ। ୧୯୦୮ ଡିସେମ୍ଵର ୩୦ରେ ଅମୃତସରରେ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ୍ର ଦ୍ଵିତୀୟ ଅଧିବେଶନ ଭାଷଣରେ ସୟଦ ଅଲି ଇମାମ କହିଥିଲେ ଯେ ଯେତେବେଳେ ଭାରତର ସବୁଠାରୁ ଉନ୍ନତ ପ୍ରାନ୍ତରେ ସାମ୍ପ୍ରଦାୟିକ ସ୍ଲୋଗାନ "ବନ୍ଦେ ମାତରମ୍"କୁ ଜାତୀୟ ସ୍ଲୋଗାନ ଭାବରେ ଦିଆଯାଉଛି, ସେତେବେଳେ ହୃଦୟ ନିରାଶାରେ ଭରି ଯାଉଛି। ରାଷ୍ଟ୍ରବାଦ ନାଁରେ ଭାରତରେ ହିନ୍ଦୁ ରାଷ୍ଟ୍ରବାଦର ପ୍ରଚାର ପ୍ରସାର ହେଉଛି। ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଏହି ଗୀତ ଖୁବ୍ ପ୍ରଭାବିତ କରିଥିଲା। ସେ କହିଥିଲେ ଯେ, ବନ୍ଦେ ମାତରମ୍ ତାଙ୍କୁ କେବଳ ହିନ୍ଦୁମାନଙ୍କ ଗୀତ ଭଳି ହୃଦବୋଧ ହେଉ ନାହିଁ। ଏହି ଗୀତ ରାଷ୍ଟ୍ରୀୟ ଭାବନାକୁ ଯୋଡ଼ିବା ସହ ମନ୍ତ୍ରମୁଗ୍ଧ କରି ଦେଉଛି।
୧୯୩୯ରେ ମହାତ୍ମା ଗାନ୍ଧୀ ହରିଜନରେ ଲେଖିଥିଲେ ଯେ, ବନ୍ଦେ ମାତରମ୍ ଗୀତକୁ ନେଇ ବିରୋଧ ହେବା ଅନୁଚିତ୍। ଏହା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରହିଛି। ଏହା ବଙ୍ଗ ଭିତରେ ଓ ବଙ୍ଗ ବାହାରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିକୁ ଜାଗ୍ରତ କରୁଛି। ତେବେ ୨୦୦୯ରେ ବନ୍ଦେ ମାତରମ୍କୁ ନେଇ ଏକ ବଡ଼ ବିବାଦ ହୋଇଥିଲା। ଉତ୍ତର ପ୍ରଦେଶର ଦେବବନ୍ଧରେ ଜମିୟତ ଉଲମା-ଏ-ହିନ୍ଦ୍ ଏକ ଫତୱା ଜାରି କରି ମୁସଲମାନଙ୍କୁ ରାଷ୍ଟ୍ର ଗାନ ନକରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ, "ଆମେ ଆମ ଦେଶକୁ ଭଲ ପାଉଛୁ ଏବଂ ଏହା ଅନେକ ଥର ପ୍ରମାଣିତ କରିଛୁ, କିନ୍ତୁ ବନ୍ଦେ ମାତରମ୍ ଆମ ବିଶ୍ୱାସର ବିରୁଦ୍ଧ ବୋଲି ସେ କହିଥିଲେ।