ପୁରୀ,୨୦/୦୨: ଗରମ ଆସିବା ପୂର୍ବରୁ ନାଟମଣ୍ଡପରେ ଏସି ସ୍ଥାପନ କରିବାରେ ଫେଲ୍ ମାରିଲା ଶ୍ରୀମନ୍ଦିର ପ୍ରଶାସନ । ବାରମ୍ବାର ଟେଣ୍ଡର ବାତିଲ ଓ ଟେଣ୍ଡର ପକାଉଥିବା ସଂସ୍ଥାଙ୍କୁ ଚୟନ କରିବାରେ ପ୍ରାଶାସନିକ ବିଫଳତା ଏହାର କାରଣ ହୋଇଛି । ଏବେଠୁ ନାଟମଣ୍ଡପର ବାହାର କାଠ ଠାରୁ ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁ ଝାଳରେ ଓଦା ହୋଇଯାଉଛନ୍ତି । ଅନେକ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି । ଆଗକୁ ଗ୍ରୀଷ୍ମ ଋତୁ । ତେଣୁ ଛୁଟିଦିନ କିମ୍ବା ପର୍ବପର୍ବାଣୀରେ ଶ୍ରଦ୍ଧାଳୁ ଦହଗଞ୍ଜ ହେବା ଆଶଙ୍କା ରହିଛି ।
ଶୀତ ଯାଇ ଗରମ ପ୍ରବେଶ କରିଥିବାରୁ ଦିନ ୯ଟା ପରେ ଗୁଳୁଗୁଳି ଅନୁଭୂତ ହେଉଛି । ଶ୍ରୀକ୍ଷେତ୍ରରେ ରାତିର ତାପମାତ୍ର ମଧ୍ୟ ବଢ଼ିଛି । ଜଗା ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଥିବାରୁ ନାଟମଣ୍ଡପ ବାହାର କାଠ ଦର୍ଶନ ବେଳେ ଅନେକ ଦିନମାନଙ୍କରେ ଠେଲାପେଲା ସ୍ଥିତି ଉପୁଜୁଛି । ଶିଶୁ, ମହିଳା, ବୟସ୍କ ଓ କମ୍ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିମାନେ ଏହି ଠେଲାପେଲା ବେଳେ ଅଣନିଃଶ୍ୱାସୀ ହୋଇ ଗଳି ପଡ଼ୁଛନ୍ତି । ଏଭଳି ସ୍ଥିତିରେ ଦଳାଚକଟା ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି । ଜଗମୋହନ ଭିତର କାଠ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ବହୁ ବର୍ଷ ତଳେ ବାତାନୁକୂଳିତ ବ୍ୟବସ୍ଥା କରାଯାଇଥିଲା । ଫଳରେ ପ୍ରବଳ ଭିଡ଼ ବେଳେ ମଧ୍ୟ ଭକ୍ତମାନେ ଅଣନିଃଶ୍ୱାସୀ ହେବାରୁ ମୁକ୍ତି ମିଳିଛି । ନାଟମଣ୍ଡପରେ ସମାନ ଭାବେ ବାତାନୁକୂଳିତ ବ୍ୟବସ୍ଥା କଲେ ଅତିକମ୍ରେ ଭକ୍ତଙ୍କ ସୁରକ୍ଷା ହୋଇପାରିବ । ଏହାକୁ ଲକ୍ଷ୍ୟରେ ରଖି ସରକାରଙ୍କ ପକ୍ଷରୁ ନାଟମଣ୍ଡପକୁ ବାତାନୁକୂଳିତ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଥିଲା ।
ଆହୁରି ପଢ଼ନ୍ତୁ :- ମହାପ୍ରଭୁଙ୍କ ଜମିର ସୁରକ୍ଷା ଆମର ନୈତିକ ଦାୟିତ୍ବ : ରାଜସ୍ୱ ସଚିବ
ଏଏସ୍ଆଇଠାରୁ ଅନୁମତି ମିଳିବା ପରେ ନାଟମଣ୍ଡପରେ ଏସି ସଂସ୍ଥାପନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଡିସେମ୍ବର ମାସରେ ଟେଣ୍ଡର ଡାକିଥିଲା । ଏଥିରେ କେହି ଭାଗ ନନେବାରୁ ପରବର୍ତ୍ତୀ ସମୟରେ ପୁନଶ୍ଚ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିରେ ଭାଗ ନେଇଥିବା ସଂସ୍ଥାମାନେ ପ୍ରକଳ୍ପ ରୂପରେଖ ଉପସ୍ଥାପନ କରିଥିଲେ । କେଉଁମାନେ ଉପଯୁକ୍ତ ରୂପରେଖ ଉପସ୍ଥାପନ କରିଥିଲେ ସେନେଇ ମଧ୍ୟ ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ଏବେ ଗତ ୧୭ ତାରିଖ ନାଟମଣ୍ଡପରେ ବାତାନୁକୂଳିତ ବ୍ୟବସ୍ଥା କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସାନି ଟେଣ୍ଡର ଆହ୍ୱାନ କରିଛି । ତେଣୁ ନାଟମଣ୍ଡପରେ ଏସି ସଂସ୍ଥାପନ ବିଳମ୍ବିତ ହେବ ବୋଲି ଆଶଙ୍କା କରାଯାଉଛି । ଆଗକୁ ଚନ୍ଦନଯାତ୍ରା ଓ ରଥଯାତ୍ରା ରହିଛି । ତେଣୁ ନୀତି ବହୁଳତା ଭିତରେ ନାଟମଣ୍ଡପରେ ଏସି ସଂସ୍ଥାପନ ନିଷ୍ପତ୍ତି କାର୍ଯ୍ୟକାରୀ ଖୁବ୍ ଜଟିଳ ହେବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।