ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବିଶୋଷଣ  କୃତ୍ରିମ ଉପାୟରେ ମଧ୍ୟ କରାଯାଇପାରେ ।  ଏହାକୁ ଅଙ୍ଗାରକ ସଂଗ୍ରହ ଓ ସଂରକ୍ଷଣ  ପଦ୍ଧତି କୁହାଯାଏ । ବାୟୁରୁ ଅଙ୍ଗାରକାମ୍ଳ  ବିଶୋଷଣ କରି, ତାକୁ ସ୍ଥାନାନ୍ତରିତ କରି  ନିରାପଦ ସ୍ଥାନରେ ଗଚ୍ଛିତ ରଖିବା ପ୍ରକ୍ରିୟା  ଅତ୍ୟନ୍ତ ବ୍ୟୟସାପେକ୍ଷ । ନିକଟରେ ଏହି  ଲେଖକ ଦୁବାଇ ଭ୍ରମଣ ଅବସରରେ  ସେଠି ଭବିଷ୍ୟତର ସଂଗ୍ରହାଳୟ  ଦେଖିବାର ସୁଯୋଗ ପାଇଥିଲା ।

ଯେଉଁ ଉତ୍ସ ବାୟୁମଣ୍ଡଳକୁ ଯେତିକି ଅଙ୍ଗାରକାମ୍ଳ  ନିଃସରଣ କରିଥାଏ, ଯଦି ତା’ ଅପେକ୍ଷା  ବହୁ ଅଧିକ ଭାଗ ବିଶୋଷଣ କରି ତାକୁ ସଂରକ୍ଷିତ ବା  ଗଚ୍ଛିତ କରି ରଖିଥାଏ, ସେହି ଉତ୍ସକୁ ‘ଅଙ୍ଗାରକ କୁଣ୍ଡ’  କୁହାଯାଏ । ଅଙ୍ଗାରକ କୁଣ୍ଡ ଉଭୟ ପ୍ରାକୃତିକ କିମ୍ବା କୃତ୍ରିମ ହୋଇପାରେ । ପ୍ରାକୃତିକ ବା ଜୈବିକ କୁଣ୍ଡ ମଧ୍ୟରେ  ମୁଖ୍ୟତଃ ସମୁଦ୍ର, ଉଦ୍ଭିଦ ଜଗତ, ଜଳଜ ଉଦ୍ଭିଦ ଆଲଗେ  ଓ ମୃତ୍ତିକା ରହିଛି । 

ଆମେ ସମସ୍ତେ ଅବଗତ ଯେ, ବାୟୁମଣ୍ଡଳକୁ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗମନ  କରୁଥିବା ଉତ୍ସ ମଧ୍ୟରେ ରହିଛି ଶକ୍ତି ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନ ଦହନ, କୃଷି ଓ ପଶୁପାଳନ । ଏଗୁଡ଼ିକ  ମୁନୁଷ୍ୟକୃତ କାର୍ଯ୍ୟକଳାପ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ  ବାଷ୍ପର ମାତ୍ରାରେ ଅବିରତ ବୃଦ୍ଧି, ବିଶ୍ୱ ତାପନ ଓ ଜଳବାୟୁ  ପରିବର୍ତ୍ତନର ପ୍ରମୁଖ କାରଣ । ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ  ସମୟରେ ବାୟୁରେ ଅଙ୍ଗାରକାମ୍ଳ ପରିମାଣ ଥିଲା ୨୮୦  ନିୟୁତାଂଶ (ପାର୍ଟସ ପର୍‌ ମିଳିୟନ) । ବର୍ତ୍ତମାନ ଏହି  ସ୍ତର ୪୫% ବୃଦ୍ଧିପାଇ ୪୧୫ ନିୟୁତାଂଶରେ  ପହଞ୍ଚିଛି । ଅଥଚ ବାୟୁରେ ଅଙ୍ଗାରକାମ୍ଳର  ନିରାପଦ ସ୍ତର ହେଉଛି ୩୫୦ ନିୟୁତାଂଶ ।  ଏହି କାରଣରୁ ପୃଥିବୀର ତାପମାତ୍ରାରେ ବୃଦ୍ଧି  ଘଟିଛି ୧.୧୫ ଡିଗ୍ରୀ ସେଲସିଅସ । 

ଏହି ପ୍ରାକୃତିକ କୁଣ୍ଡମାନେ ମିଳିତ  ଭାବେ ପରିବହନ, ଶିଳ୍ପାୟନ, କୃଷି ଓ  ଅନ୍ୟାନ୍ୟ ମନୁଷ୍ୟକୃତ କାର୍ଯ୍ୟକଳାପରୁ  ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପର ୫୦%ରୁ ଅଧିକ ବିଶୋଷଣ  କରି ଗଚ୍ଛିତ ରଖେ । ସମୁଦ୍ର ହିଁ ବିଶ୍ୱର ସବୁଠାରୁ ବଡ଼  ଅଙ୍ଗାରକ କୁଣ୍ଡ । ବାୟୁମଣ୍ଡଳକୁ ନିର୍ଗମନ ହେଉଥିବା  ଅଙ୍ଗାରକାମ୍ଳ ବାଷ୍ପର ୨୪% ସାମୁଦ୍ରିକ ଜଳରାଶି ଓ  ଜଳଜ ଉଦ୍ଭିଦ ବିଶୋଷଣ କରିଥାଏ । ଏଥିସହିତ ସୃଷ୍ଟି  ହେଉଥିବା ଅତ୍ୟଧିକ ଉତ୍ତାପର ୯୦% ମଧ୍ୟ ସମୁଦ୍ର  ଗ୍ରହଣ କରିନିଏ । ସମୁଦ୍ର ପଛକୁ ଦ୍ୱିତୀୟ ପ୍ରାକୃତିକ  ଅଙ୍ଗାରକ କୁଣ୍ଡ ହେଉଛି ମୃତ୍ତିକା ବା ମାଟି । ମାଟି  ବିଶୋଷଣ କରିଥିବା ଅଙ୍ଗାରକାମ୍ଳକୁ ନିଜ ଭିତରେ ଥିବା  ଜୈବିକ ପଦାର୍ଥରେ ଗଚ୍ଛିତ କରି ରଖେ । କିନ୍ତୁ ଜଳବାୟୁ  ପରିବର୍ତ୍ତନ କାରଣରୁ ବୃଦ୍ଧି ପାଉଥିବା ତାପମାତ୍ରା ମୃତ୍ତିକା  ଭିତରେ ଥିବା ଜୈବିକ ପଦାର୍ଥର ବିଘଟନ ଘଟାଏ । ଫଳସ୍ୱରୂପ ଗଚ୍ଛିତ ଅଙ୍ଗାରକାମ୍ଳର କିୟଦଂଶ ପୁନର୍ବାର  ବାୟୁମଣ୍ଡଳକୁ ଫେରିଯାଏ । 

ତୃତୀୟ ବୃହତ୍‌ ପ୍ରାକୃତିକ  ଅଙ୍ଗାରକ କୁଣ୍ଡ ହେଉଛି ଉଦ୍ଭିଦ ଜଗତ । ଉଭୟ ମୃତ୍ତିକା  ଓ ଉଦ୍ଭିଦ ଜଗତ ମିଶି ବାୟୁମଣ୍ଡଳରୁ ୩୦% ଅଙ୍ଗାରକାମ୍ଳ  ବିଶୋଷଣ କରିଥାନ୍ତି । ସଂଗୃହୀତ ଅଙ୍ଗାରକାମ୍ଳର କିଛି  ଭାଗ ବ୍ୟବହାର କରି ଉଦ୍ଭିଦ ପତ୍ରର କ୍ଲୋରୋଫିଲ୍‌  ସହାୟତାରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ  ଓ ଅମ୍ଳଜାନ ଛାଡ଼ିଥାଏ । ବଳକା ବିଶୋଷିତ ଅଙ୍ଗାରକାମ୍ଳ  ଗଛର ଚେର, ଗଣ୍ଡି, ଡାଳ ଓ ଶାଖା ପ୍ରଶାଖାରେ ଗଚ୍ଛିତ  ହୋଇ ରହେ । ଗଛ କାଟିଦେଲେ ବା ଗଛଟି ମରିଗଲେ  ଏହି ଗଚ୍ଛିତ ଅଙ୍ଗାରକାମ୍ଳ ପୁନଃ ବାୟୁମଣ୍ଡଳକୁ ନିଃସରିତ  ହୋଇଥାଏ । କିନ୍ତୁ ମାଟି ଭିତରେ ଅଙ୍ଗାରକାମ୍ଳ ବର୍ଷ ବର୍ଷ  ଧରି ଗଚ୍ଛିତ ହୋଇ ରହିଯାଏ । ସୃଷ୍ଟିର ଏହି ପ୍ରାକୃତିକ  ଅଙ୍ଗାରକ କୁଣ୍ଡଗୁଡ଼ିକ ବାୟୁରୁ ପ୍ରାୟ ୫୫%ରୁ ଅଧିକ  ଅଙ୍ଗାରକାମ୍ଳ ବିଶୋଷଣ ନିମନ୍ତେ ଦାୟୀ । 

୨୦୨୩ ମସିହାରେ ଏକ ଅଦ୍ଭୁତପୂର୍ବ ଘଟଣା ଲକ୍ଷ୍ୟ କରାଯାଇଛି । ପୂର୍ବଭଳି ଉଦ୍ଭିଦ ଜଗତ, ମୃତ୍ତିକା  ଓ ସମୁଦ୍ର ଅଙ୍ଗାରକାମ୍ଳ ବିଶୋଷଣ କରିବାକୁ ସକ୍ଷମ  ହେଉନାହିଁ । ‘ଦି ଗାର୍ଡିଆନ’ ପତ୍ରିକାରେ ପ୍ରକାଶିତ  ସଦ୍ୟତମ ରିପୋର୍ଟ ମୁତାବକ ମହାସାଗରର ଜଳରାଶି,  ମାଟି ଓ ଜଙ୍ଗଲର ବୃକ୍ଷଲତା ପୂର୍ବପରି ବାୟୁମଣ୍ଡଳରୁ  ବିଶୋଷଣ କରିପାରୁନାହିଁ । ପ୍ରକୃତିର ଏହି ମହତ୍ତ୍ୱପୂର୍ଣ୍ଣ  ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବାରୁ ବୈଜ୍ଞାନିକମାନେ  ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହା ପଛର ପ୍ରମୁଖ  କାରଣ, ଜଳବାୟୁ ପରିବର୍ତ୍ତନ ଓ ତତ୍‌ଜନିତ ତାପମାତ୍ରା  ବୃଦ୍ଧି ବୋଲି ଦର୍ଶାଯାଇଛି । ନ୍ୟୁୟର୍କରେ ସଦ୍ୟ ଅନୁଷ୍ଠିତ  ଏକ କାର୍ଯ୍ୟକ୍ରମରେ ‘ପୋଟସଗମ ଇନଷ୍ଟିଚ୍ୟୁଟ ଫର୍‌  କ୍ଲାଇମେଟ୍‌ ଇମ୍ପାକ୍ଟ’ର ନିର୍ଦ୍ଦେଶକ ରକ୍‌ ଷ୍ଟ୍ରାମ୍‌ କୁହନ୍ତି-  ପୃଥିବୀର ଦୈନନ୍ଦିନ କ୍ରିୟା ପ୍ରକ୍ରିୟାରେ ମନୁଷ୍ୟକୃତ  କାର୍ଯ୍ୟକଳାପ ହେତୁ ଅନେକ ପ୍ରତିବନ୍ଧକ ସୃଷ୍ଟି ହେଉଛି ।  

ଅତ୍ୟଧିକ ଉତ୍ତାପ ହେତୁ ମାଟିରେ ଅନେକ ଫାଟ ସୃଷ୍ଟି  ହେଉଛି । ଫଳରେ ମାଟି ନିଜର ଅଙ୍ଗାରକାମ୍ଳ ଆହରଣ  କ୍ଷମତା ହରାଇ ବସୁଛି । ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା  ଫଳରେ ଗ୍ରୀନଲାଣ୍ଡର ଗ୍ଲେସିୟର ଏବଂ ଆର୍କଟିକର  ବରଫ ଚାଦର ଦ୍ରୁତଗତିରେ ତରଳିବାରେ ଲାଗିଛି । ସାମୁଦ୍ରିକ ଆଲଗେ ଖାଉଥିବା ଜୁ-ଫ୍ଲାଙ୍କଟନ ଅତ୍ୟଧିକ  ଉତ୍ତାପ କାରଣରୁ ଦୀର୍ଘ ସମୟ ଧରି ଗଭୀର ଜଳରେ  ରହିବାକୁ ପସନ୍ଦ କରୁଛି । ଏହି କାରଣରୁ ସମୁଦ୍ରର ତଳଭାଗରେ ଅଙ୍ଗାରକାମ୍ଳ ଗଚ୍ଛିତ ରଖିବା ପ୍ରକ୍ରିୟାରେ  ବାଧା ସୃଷ୍ଟି ହେଉଛି । ଫଳସ୍ୱରୂପ ମହାସାଗରର ଅଙ୍ଗାରକାମ୍ଳ ବିଶୋଷଣ କ୍ରିୟା ତଳମୁହାଁ ହେବାରେ  ଲାଗିଛି । ଉଦ୍ଭିଦ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି  ଗଛ କଟିଗଲେ ବା ମରିଯାଇ ଭୂପତିତ ହେଲେ ସୃଷ୍ଟି  ହେଉଛି । ଗଛର ଅଙ୍ଗ ପ୍ରତ୍ୟଙ୍ଗରେ ଗଚ୍ଛିତ ଥିବା ୯୦%  ଅଙ୍ଗାରକାମ୍ଳ ପୁନଃ ବାୟୁମଣ୍ଡଳକୁ ଫେରିଯାଏ । କିନ୍ତୁ ଗଛର କାଠକୁ କାଟି ରଙ୍ଗ ଦେଇ ଗୃହର କବାଟ, ଝରକା  ବନ୍ଧ, ଫର୍ଣ୍ଣିଚର, କବାଟ, ଝରକା, ଟେବୁଲ, ଚୌକି ଆଦି  ଆସବାବପତ୍ରରେ ବ୍ୟବହାର କଲେ । ତନ୍ମଧ୍ୟରେ ଗଚ୍ଛିତ  ଥିବା ଅଙ୍ଗାରକାମ୍ଳ ଅନ୍ତତଃପକ୍ଷେ ଆହୁରି ୯୦ବର୍ଷ ଯାଏଁ  ନିର୍ଗତ ହୁଏନାହିଁ । 

‘ଦି ଗାର୍ଡିୟାନ’ରେ ପ୍ରକାଶିତ ରିପୋର୍ଟ ମୁତାବକ  ଗତବର୍ଷ (୨୦୨୩) ଏହି ପ୍ରାକୃତିକ ଅଙ୍ଗାରକ  କୁଣ୍ଡଗୁଡ଼ିକର ଅଙ୍ଗରକାମ୍ଳ ବିଶୋଷଣ କ୍ଷମତାରେ ହ୍ରାସ  ପରିଲକ୍ଷିତ ହେବା ଘଟଣା ହୁଏତ ସାମୟିକ ହେଇପାରେ ।  କିନ୍ତୁ ମନୁଷ୍ୟ ସମାଜ, ବିଶେଷକରି ବୈଜ୍ଞନିକଙ୍କ ନିମନ୍ତେ  ଏହା ଏକ ଚେତାବନୀ ସଦୃଶ । ଯଦି ଭବିଷ୍ୟତରେ  ଅନିୟମିତ ବୃଷ୍ଟିପାତ ଫଳରେ ମରୁଡ଼ି ପ୍ରକରଣ ପରିସ୍ଥିତି  ବା ନିଆଁ ଲାଗି ଜଙ୍ଗଲ ଅବକ୍ଷୟ ଘଟଣା ନଘଟେ,  ତାହେଲେ ସମ୍ଭବତଃ ପୂର୍ବାବସ୍ଥା ଫେରିଆସିପାରେ ।  ପ୍ରାକୃତିକ ଅଙ୍ଗାରକ କୁଣ୍ଡଗୁଡ଼ିକର ସ୍ୱାଭାବିକ କାର୍ଯ୍ୟଦକ୍ଷତା  ବିନା ବିଶ୍ୱର ଅଧିକାଂଶ ଦେଶ ୨୦୫୦ ମସିହା ସୁଦ୍ଧା ଶୂନ୍ୟ  କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଯେଉଁ ଘୋଷଣା  କରିଛନ୍ତି ତାହା ପୂରଣ ହୋଇପାରିବ ନାହିଁ । (ଭାରତ  ୨.୭୦ ସୁଦ୍ଧା ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିପାରିବ  ବୋଲି ଘୋଷଣା କରିଛି) । ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବିଶୋଷଣ କୃତ୍ରିମ  ଉପାୟରେ ମଧ୍ୟ କରାଯାଇପାରେ । ଏହାକୁ ଅଙ୍ଗାରକ  ସଂଗ୍ରହ ଓ ସଂରକ୍ଷଣ ପଦ୍ଧତି କୁହାଯାଏ । 

ବାୟୁରୁ  ଅଙ୍ଗାରକାମ୍ଳ ବିଶୋଷଣ କରି, ତାକୁ ସ୍ଥାନାନ୍ତରିତ କରି  ନିରାପଦ ସ୍ଥାନରେ ଗଚ୍ଛିତ ରଖିବା ପ୍ରକ୍ରିୟା ଅତ୍ୟନ୍ତ  ବ୍ୟୟସାପେକ୍ଷ । ନିକଟରେ ଏହି ଲେଖକ ଦୁବାଇ ଭ୍ରମଣ  ଅବସରରେ ସେଠି ଭବିଷ୍ୟତର ସଂଗ୍ରହାଳୟ ଦେଖିବାର  ସୁଯୋଗ ପାଇଥିଲା । ସେଠାରେ ୨୦୨୨ରୁ ୨୦୭୦ ମଧ୍ୟରେ  ପୃଥିବୀରେ ଘଟିବାକୁ ଯାଉଥିବା ବିଭିନ୍ନ ପରିବର୍ତ୍ତନ  ଉପରେ ସମ୍ୟକ୍‌ ସୂଚନା ଦିଆଯାଇଛି । କୃତ୍ରିମ ଉପାୟରେ  କିପରି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରି, ଗଭୀର ମାଟିତଳେ ଥିବା ଭୂତାତ୍ତ୍ୱିକ ସଂରଚନାରେ ସୁରକ୍ଷିତ କରାଯାଇପାରିବ, ସେ ବିଷୟରେ ଏକ ସମ୍ୟକ ସୂଚନା  ସେଠାରେ ଦିଆଯାଇଥିଲା । ଆଇସଲାଣ୍ଡର ରାଜଧାନୀ  ରିଓକ୍‌ଦାଭିକ ଠାରେ ଅଙ୍ଗାରକାମ୍ଳ ସଂଗ୍ରହ କରି ତାକୁ  ଗଭୀର ମାଟିତଳେ ଥିବା ପଥର ବା କୋଇଲା ସ୍ତରରେ  ସଂରକ୍ଷିତ କରି ରଖିବା ନିମନ୍ତେ କାର୍ବଫିକ୍‌ସ ନାମକ  ଏକ ଅନୁସନ୍ଧାନମୂଳକ କାର୍ଯ୍ୟକ୍ରମରେ ଗବେଷକମାନେ  ଶିଳ୍ପାୟନରେ ଜୀବାଶ୍ମ ଇନ୍ଧନର ବ୍ୟବହାର କାରଣରୁ  ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳର  ପରିମାଣ ନିୟନ୍ତ୍ରିତ କରିବା ଲକ୍ଷ୍ୟ ରଖିଛନ୍ତି । ଏହା  ହେଲେ ଶିଳ୍ପାୟନରୁ ନିର୍ଗତ ୯୦% ବାଷ୍ପ ସଂଗ୍ରହ କରାଯାଇ  ଅଙ୍ଗାରକ ଶିଳାଖଣ୍ଡରେ ସଂଚିତ କରାଯାଇପାରିବ ।  ଯାହାଦ୍ୱାରା ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ପାଇବ  ବୋଲି ଆଶା କରାଯାଏ । 

ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ,  ବିଗତ ଦଶନ୍ଧି ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ।  ୨୦୨୪ ମଧ୍ୟ ଥିଲା ସର୍ବାଧିକ ଉତ୍ତପ୍ତ ବର୍ଷ । ଅନ୍ୟ କାରଣ  ବ୍ୟତୀତ ପ୍ରାକୃତିକ ଅଙ୍ଗାରକ କୁଣ୍ଡ ଯଥା- ସମୁଦ୍ର,  ମାଟି ଓ ଉଦ୍ଭିଦର ଅଙ୍ଗାରକାମ୍ଳ ବିଶୋଷଣ କ୍ଷମତା ହ୍ରାସ  ଏହା ପଛର ଅନ୍ୟତମ କାରଣ ହେଇପାରେ । ସମୁଦ୍ର  ଜଳରାଶିର ଆୟତନ ବଢ଼ାଇବା ସମ୍ଭବ ନୁହେଁ । ମାଟିର  ଅଙ୍ଗାରକ ଧାରଣ କ୍ଷମତା ମଧ୍ୟ ନିର୍ଦ୍ଧାରିତ । ତେଣୁ ଅନ୍ୟ  ଅଙ୍ଗାରକ କୁଣ୍ଡ ଜଙ୍ଗଲର ପରିସୀମା ବୃଦ୍ଧି ଉପରେ ଗୁରୁତ୍ୱ  ଦିଆଯାଉଛି । ନାସା ଗବେଷଣା କେନ୍ଦ୍ର ପ୍ରଦତ୍ତ ଉପଗ୍ରହ  ତଥ୍ୟ ଅନୁସାରେ, ବିଶ୍ୱର ଜଙ୍ଗଲ ବର୍ଷକୁ ୧୬ ବିଲିଅନ  ଟନ୍‌ ଅଙ୍ଗାରକାମ୍ଳ ବିଶୋଷଣ କରିପାରୁଛି । କିନ୍ତୁ ବନାଗ୍ନି  ଓ ଜଙ୍ଗଲ କ୍ଷୟ ଫଳରେ ଏହାର ଅଧା ଭାଗ ଅର୍ଥାତ୍‌  ୮ ବିଲିଅନ ଟନ୍‌ ଅଙ୍ଗାରକାମ୍ଳ ପୁନଶ୍ଚ ବାୟୁମଣ୍ଡଳକୁ  ଫେରିଯାଉଛି । ଅନ୍ୟ ଏକ ସଂସ୍ଥା ‘ଗ୍ଲୋବାଲ ଫରେଷ୍ଟ  ୱାଚ’ କରିଥିବା ଆକଳନ ଅନୁସାରେ, ପୃଥିବୀର ଜଙ୍ଗଲ  ଆଚ୍ଛାଦନ ୨୦୦୦ରୁ ୨୦୨୨ ବର୍ଷ ମଧ୍ୟରେ ପ୍ରାୟ ଏକ  ଅଷ୍ଟମାଂଶ କମିଯାଇଛି ଏବଂ ଏହାଦ୍ୱାରା ୧୯୫ ବିଲିଅନ  ଟନ୍‌ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଫେରିଯାଇଛି । ପ୍ରତିବର୍ଷ  ଅଧିକରୁ ଅଧିକ ବୃକ୍ଷ ରୋପଣ କରି ଜଙ୍ଗଲର ଆୟତନ  ତଥା ବୃକ୍ଷ ଆଚ୍ଛାଦନ ବଢ଼ାଇବା ସହିତ ପ୍ରାକୃତିକ  ଅଙ୍ଗାରକ କୁଣ୍ଡ, ଜଙ୍ଗଲର ଦକ୍ଷତା ବଢ଼ାଇବା ସବୁ  ଦେଶର ଲକ୍ଷ୍ୟ ହେବା ଉଚିତ ।