ଭୁବନେଶ୍ଵର, ୬/୧୨ : ଏଏନ୍ଏମ୍ ପ୍ରଶ୍ନପତ୍ର ଲିକ୍ ଘଟଣା। ଗଭୀର ଚିନ୍ତା ବ୍ୟକ୍ତ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ୍ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ? ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି। ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି? ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ? ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ।
ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି।
— Naveen Patnaik (@Naveen_Odisha) December 6, 2025
ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ? ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ…
ସୂଚନାନୁଯାୟୀ, ଶୁକ୍ରବାର ଦେବଗଡ଼ରେ ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଅପରାହ୍ଣ ୨ଟାରେ ପରୀକ୍ଷା ହେବାର ଥିଲା । ହେଲେ ତିନିଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ହ୍ୱାଟସଆପ୍ରେ ଆସିଯାଇଥିଲା । ଗତକାଲି ମିଡ୍ ୱାଇଫରି ବିଷୟରେ ପରୀକ୍ଷା ହେବାର ଥିଲା । ହେଲେ ମାଲକାନଗିରି ଓ ବଲାଙ୍ଗିରରୁ ଏଏନ୍ଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଘଟଣା ପ୍ରଘଟ ପରେ ବଲାଙ୍ଗିରରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ଅତିରିକ୍ତ ଏସପି ହିମାଂଶୁ ବେହେରା ତୁରନ୍ତ ସ୍ଥାନୀୟ ମହିଳା ମହାବିଦ୍ୟାଳୟସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଇ ସ୍ଥିତି ପରଖିଥିଲେ । ପ୍ରଥମେ ଅଭିଯୋଗ ସମ୍ପର୍କରେ ଯାଞ୍ଚ ଚାଲିଛି ବୋଲି କହିଥିଲେ । କିନ୍ତୁ ଶେଷରେ ବୋର୍ଡର ନିଷ୍ପତ୍ତି କ୍ରମେ ପରୀକ୍ଷାକୁ କୌଣସି କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି ବୋଲି କହିଥିଲେ । ପରେ ସମସ୍ତ ପ୍ରଶ୍ନପତ୍ରକୁ ପୁନଃ ଟ୍ରେଜେରୀରେ ରଖିଦେଇଥିବା ଜଣାପଡ଼ିଛି ।