ଭୁବନେଶ୍ୱର ୧୭/୦୩: କଟକ ଏସ୍ସିବିରେ ଅଗ୍ନିକାଣ୍ଡକୁ ନେଇ ରାଜନୀତି ତେଜୁଛି । ଅଘଟଣ ପରେ ଏସ୍ସିବି କ୍ୟାମ୍ପସରୁ ବିଧାନସଭା ଯାଏଁ ଏସ୍ସିବି ତାତି ଦେଖିବାକୁ ମିଳିଛି। ବିଜେଡ଼ି ଓ କଂଗ୍ରେସ ନେତା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତଫା ଦାବି କରିବା ସହ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଭିତରେ ବିରୋଧ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ଆଜି ମୁଁ ଭାରାକ୍ରାନ୍ତ ହୃଦୟରେ ଏଠାରେ ଠିଆ ହୋଇଛି । ସୋମବାର, ମୁଁ କଟକର ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନୁହେଁ, ବରଂ ଆମ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଭୁଶୁଡ଼ି ପଡ଼ୁଥିବା ସୁରକ୍ଷା ମାନଦଣ୍ଡର ଏକ ସ୍ପଷ୍ଟ ଉଦାହରଣ।‘
ସୋମବାର ଭୋରୁ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଅନେକ ମୂଲ୍ୟବାନ ଜୀବନ ନେଇଛି । ଏମାନେ ରୋଗୀ ଥିଲେ ଯେଉଁମାନେ ସୁସ୍ଥ ହେବାର ଆଶା ନେଇ ହସ୍ପିଟାଲକୁ ଆସିଥିଲେ, କିନ୍ତୁ ‘ପ୍ରଶାସନିକ ଅବହେଳା ଯୋଗୁଁ ଏକ ଭୟଙ୍କର ମୃତ୍ୟୁ ଘଟିଥିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ପରିବାରଗୁଡ଼ିକ ଶୋକ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପଛରେ ଲୁଚି ରହିପାରିବ ନାହିଁ । ଏକ ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ରାଜନୈତିକ ନେତୃତ୍ୱକୁ ଏହାର ଦାୟିତ୍ୱରୁ ମୁକ୍ତ କରେ ନାହିଁ। ତେଣୁ, ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି । ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ। ଏହା ସହିତ, ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପା ରାଶି ପର୍ଯ୍ୟାପ୍ତ ନୁହେଁ। ମୁଁ ପ୍ରତ୍ୟେକ ମୃତ ପୀଡିତଙ୍କ ପରିବାର ପାଇଁ ₹୫୦ ଲକ୍ଷ ସହାୟତା ଦାବି କରୁଛି।‘
ଅଧିକ ପଢ଼ନ୍ତୁ :- ଏସସିବି ଅଗ୍ନିକାଣ୍ଡ ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି : କାରଣ ଖୋଜିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ସୋମବାର ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ । ଏଭଳି ଘଟଣା ପୂର୍ବରୁ କେବେ ଏସ୍ସିବିରେ ହୋଇନଥିଲା । ଆମ ସରକାର ଥିବା ବେଳେ ଏମିତିକା ଅଗ୍ନି ଦୁର୍ଘଟଣା ହୋଇନି । ମାତ୍ର ଗଲା ଦୁଇ ବର୍ଷ ଭିତରେ ସ୍ୱାସ୍ଥ୍ୟସେବାରେ ଅବନତି ଆସିଛି । ଆମ ସରକାର ଥିବା ବେଳେ ଏସ୍ସିବିକୁ ଏମ୍ସ୍ ପ୍ଲସ୍ କରିବା ପାଇଁ ଉଦ୍ୟମ ହୋଇଥିଲା । ଦୁଇ ବର୍ଷ ମଧ୍ୟରେ କାମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିଲା । ହେଲେ ତାହା ହେଲାନି । ଫଳସ୍ୱରୂପ ଆଜି ଏଭଳି ଘଟଣା ଘଟିଲା ବୋଲି ଅଗ୍ନି ଦୁର୍ଘଟଣା ପୀଡ଼ିତଙ୍କୁ ଦେଖିବା ପାଇଁ ଏସ୍ସିବି ଆସିବା ବେଳେ କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ତେବେ ଏହି ସମୟରେ କାଜୁଆଲ୍ଟି ଗେଟ୍କୁ କିଛି ସମୟ ବନ୍ଦ କରି ଦିଆଯାଇଥିଲା । ଏହି ସମୟରେ ରୋଗୀ ଆଉ ଅନ୍ୟ ସମ୍ପର୍କୀୟ ଭିତରକୁ ଯାଇପାରିନଥିଲେ । ତେବେ ପୁଲିସର କହିବାନୁସାରେ, ଏହି ସମୟରେ ଭିଡ଼ ଅସମ୍ଭାଳ ହେବାରୁ ବାଧ୍ୟ ହୋଇ ପୁଲିସ ଏପରି କରିଥିଲା ।