ଭୁବନେଶ୍ୱର,୨୮/୦୭: ଭୁବନେଶ୍ୱର ରେଳ ପ୍ରକଳ୍ପ କାର୍ଯ୍ୟାଦେଶକୁ ବାତିଲ୍ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ପ୍ରକଳ୍ପ ବାତିଲ୍ ପ୍ରସଙ୍ଗରେ ରାଜନୈତିକ ଦଳଠାକୁ ଆରମ୍ଭ କରି ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଏ ନିଷ୍ପତ୍ତି ମୋତ ଆଶ୍ଚର୍ଯ୍ୟ କରିଛି । ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତ ହୋଇଛି ।

ସୋସିଆଲ ମିଡ଼ିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି,'' ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାର ଦ୍ୱାରା ଭୁବନେଶ୍ୱର ମେଟ୍ରୋ ରେଳ ଚୁକ୍ତିକୁ ବାତିଲ୍ କରାଯାଇଛି ଜାଣି ଆଶ୍ଚର୍ଯ୍ୟ ହେଲି । ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ବିକଶିତ କରିବା ଆମର ସ୍ୱପ୍ନ ରହିଆସିଛି। ଆମେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ମାର୍କି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ, ସୁଗମ ଆଧୁନିକ ପରିବହନ ପ୍ରଦାନ ଏବଂ ମନ୍ଦିର ସହରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ଆଇଟି ଇକୋସିଷ୍ଟମ ବିକଶିତ କରିବା ଉପରେ ଧ୍ୟାନ ଦେଇ ଆସିଛୁ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ସହର ପରିବହନରେ ଥିବା ମୋ ବସ୍‌ ଏବଂ ଅନ୍ୟ ସଂଯୋଗୀକରଣ ସହର ଗତିପଥକୁ ନୂଆ ଆକାର ଦେଇଥାନ୍ତା । ଭିଡ଼କୁ ହ୍ରାସ କରିଥାନ୍ତା । ଆମେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ୨୦୨୭ ମସିହାର ସମୟସୀମା ସ୍ଥିର କରିଥିଲୁ।''

ଅଧିକ ପଢନ୍ତୁ...ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ସମସ୍ତ ପୁରୁଣା ଟେଣ୍ଡର ବାତିଲ, ଦିଲ୍ଲୀ ମେଟ୍ରୋ ଓ ସିଗାଲ ଇଣ୍ଡିଆ ସହ ହୋଇଥିଲା ଚୁକ୍ତି

ସେ ଆହୁରି କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଦ୍ୱାରା ଠିକାଦାରମାନଙ୍କୁ ଦିଆଯାଇଥିବା ନୋଟିସରୁ ଏବେ ଜଣାପଡୁଛି ଯେ, ଓଡ଼ିଶା ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ବାତିଲ କରି ଦେଇଛନ୍ତି। ଡବଲ-ଇଞ୍ଜିନ୍ ସରକାର ମେଟ୍ରୋ ରେଳ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବାତିଲ କରି ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଡବଲ ଇଞ୍ଜିନର ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ସହରକୁ ୧୦ ବର୍ଷ ପଛକୁ ଠେଲି ଦେବ।''