ମାଲକାନଗିରି,୨୪/୦୪: ସୀମାନ୍ତ ତେଲଙ୍ଗାନାର ମୁଲୁଗୁ ଜିଲ୍ଲା କାରେଗୁଟା ପାହାଡ଼ରେ ଲୁଚି ରହିଛନ୍ତି ପ୍ରାୟ ୨ ହଜାର ନକ୍ସଲ। ଏହି ସୂଚନା ପାଇବା ପରେ ସିଆର୍‌ପିଏଫ୍‌ ବାହିନୀ ତରଫରୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି । ହେଲିକପ୍‌ଟର୍‌ ଏବଂ ଡ୍ରୋନ୍‌ର ସହାୟତା ନିଆଯାଇଛି । କମ୍ବିଂ ଅପରେସନରେ ୪ ରାଜ୍ୟର ଯବାନ ସାମିଲ ଅଛନ୍ତି। ଓଡ଼ିଶା-ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ସୀମା ଜଙ୍ଗଲରେ ଯାଞ୍ଚ କରାଯାଉଛି। ପୂରା ଅଞ୍ଚଳକୁ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଉଥିବା ଖବର ପାଇ ମାଓ କମାଣ୍ଡର ହିଡମା ଅନ୍ୟ କେତେକ ସାଥୀଙ୍କ ସହ ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି ।  

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଏବଂ ତେଲଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ ଯୋଜନାରେ ଥିବା ଗୁଇନ୍ଦା ସୂଚନା ପାଇଥିଲା ସୁରକ୍ଷା ବାହିନୀ । ଏହାପରେ ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ ଏବଂ ହେଲିକପ୍‌ଟର୍‌ ସହାୟତାରେ ପୂରା ଅଞ୍ଚଳ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ସିଆରପିଏଫ ଡିଜି ଏବଂ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । ଯଦି ସୁରକ୍ଷାବାହିନୀ ପକ୍ଷରୁ ଏନ୍‌କାଉଣ୍ଟର କରାଯାଏ, ତାହା ଦେଶର ସବୁଠୁ ବଡ଼ ଏନ୍‌କାଉଣ୍ଟର ହେବ ବୋଲି ଜଣେ ସୁରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।