ଚଣ୍ଡିଗଡ଼,୧୭/୧୦: ହରିଆଣାରେ ନାୟବ ସିଂହ ସୈନି ହିଁ ମୁଖ୍ୟମନ୍ତ୍ରୀ ହେବେ । ବୁଧବାର ପଞ୍ଚକୁଲାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳର ବୈଠକରେ ସେ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି । ବୈଠକରେ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କେନ୍ଦ୍ରୀୟ  ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ବିଧାୟକ କୃଷ୍ଣ କୁମାର ବେଦୀ ସୈନିଙ୍କ ନାମ ପ୍ରସ୍ତାବ ରଖିଥିଲେ । ଅନିଲ ଭିଜ୍‌  ଓ ଆରତି ରାଓ ସମର୍ଥନ କରିଥିଲେ ।  ଏହାପରେ ସୈନି ରାଜଭବନ ଯାଇ  ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନିକଟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ । 

ଗୁରୁବାର ପୂର୍ବାହ୍ନ ୧୧ଟାରେ  ପଞ୍ଚକୁଲାର ଦଶହରା ପଡ଼ିଆରେ ସୈନି  ସରକାରଙ୍କ ଶପଥ ଗ୍ରହଣ ସମାରୋହ  ଅନୁଷ୍ଠିତ ହେବ । ସେଥିରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହଙ୍କ ସମେତ ଏନ୍‌ଡିଏ ଶାସିତ  ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ଅନ୍ୟ  ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।  ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ  ହରିଆଣାର ୯୦ ବିଧାନସଭା ଆସନ  ମଧ୍ୟରୁ ବିଜେପି ୪୮ଟିରେ ଜିତିଥିଲା ।  

ଗୁରୁବାର ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ  ସୈନି ଶପଥ ନେବା ପରେ ଚଣ୍ଡିଗଡ଼ରେ  ଏନ୍‌ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ  ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ  ହେବ । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଯୋଗଦେବେ ।  ସମ୍ମିଳନୀରେ ବିଜେପିରୁ ମୋଟ ୧୩  ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୬ ଉପ  ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ଥିବା ବେଳେ  ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ବିହାର, ସିକ୍କିମ,  ନାଗାଲାଣ୍ଡ ଏବଂ ମେଘାଳୟ ଭଳି ଏନ୍‌ଡିଏ  ନେତୃତ୍ୱାଧୀନ ସରକାରର ମୁଖ୍ୟମନ୍ତ୍ରୀମାନେ  ବି ଯୋଗଦେବେ । ରାଷ୍ଟ୍ରୀୟ ବିକାଶ ଭଳି  ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ନେଇ ସମ୍ମିଳନୀରେ  ଆଲୋଚନା ହେବ । ସେହିଭଳି ସମ୍ବିଧାନର  ଅମୃତ ମହୋତ୍ସବ ଏବଂ ଗଣତନ୍ତ୍ରର  ହତ୍ୟା ଉଦ୍ୟମର ୫୦ ବର୍ଷ ପୂର୍ତ୍ତି ଉତ୍ସବ  ଆୟୋଜନ ସଂକ୍ରାନ୍ତରେ ବି ଚର୍ଚ୍ଚା ହେବ ।