ନୂଆଦିଲ୍ଲୀ ୨୭/୦୭: ଉଚ୍ଚ-ମାଧ୍ୟମିକ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ  ‘ଅପରେସନ୍‌ ସିନ୍ଦୂର’ ଉପରେ ସ୍ୱତନ୍ତ୍ର ମଡ୍ୟୁଲ ସାମିଲ କରିବାକୁ ଯାଉଛି ଏନ୍‌ସିଇଆର୍‌ଟି । ପରେ ଏନ୍‌ସିଇଆର୍‌ଟି ଏହି ବିଷୟବସ୍ତୁକୁ ମାଧ୍ୟମିକ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠ୍ୟକ୍ରମରେ ମଧ୍ୟ ସାମିଲ କରିପାରେ । ମଡ୍ୟୁଲ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ଶୀଘ୍ର ଏହା ଜାରି ହେବ । ସଂସଦର ମୌସୁମୀ  ଅଧିବେଶନରେ ଅପରେସନ୍‌ ସିନ୍ଦୂର ଉପରେ ଚର୍ଚ୍ଚା  ପୂର୍ବରୁ ଏନ୍‌ସିଇଆର୍‌ଟି ଏହା ଉପରେ ମଡ୍ୟୁଲ ଜାରି  କରିବାକୁ କହିଛି । 

ସ୍ୱାଭାବିକ ପାଠ୍ୟପୁସ୍ତକର ବିପରୀତ, ଏହା ଏକ  ସ୍ୱତନ୍ତ୍ର କେସ୍‌ ଷ୍ଟଡି ହେବ, ଯାହା ଜମ୍ମୁ-କାଶ୍ମୀରର  ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ  ପରେ ଭାରତର ରଣନୀତିକ ସୈନ୍ୟ ପ୍ରତିକ୍ରିୟା  ଉପରେ କେନ୍ଦ୍ରିତ ହେବ । ଆତଙ୍କବାଦୀ ବିପଦ  ଉପରେ ଦେଶ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରନ୍ତି  ତଥା ରକ୍ଷା, କୂଟନୀତି ଓ ମନ୍ତ୍ରାଳୟଗୁଡ଼ିକ ମଧ୍ୟରେ  ସମନ୍ୱୟ ରାଷ୍ଟ୍ରୀୟ ସୁରକ୍ଷାରେ କି ପ୍ରକାର ଭୂମିକା  ନିର୍ବାହ କରନ୍ତି, ବିଦ୍ୟାର୍ଥୀଙ୍କୁ ତାହା ବୁଝାଇବାରେ  ସହାୟକ ହେବା ଏହି କ୍ଲାସ୍‌ ମଡ୍ୟୁଲ୍‌ର ଉଦ୍ଦେଶ୍ୟ । 

ସୂଚନାଥାଉକି, ଅପରେସନ୍‌ ସିନ୍ଦୂର ପହଲଗାମରେ  ସଂଘଟିତ ଆତଙ୍କବାଦୀ ଆକ୍ରମଣ ପରେ ଗତ ମେ’  ୭ରେ ଭାରତ ଦ୍ୱାରା ନିଆଯାଇଥିବା ପ୍ରତିଶୋଧମୂଳକ  କାର୍ଯ୍ୟାନୁଷ୍ଠାନ ଥିଲା । ଭାରତୀୟ ସେନା ସୀମାପାର  ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଥିଲା । ପାକ୍‌  ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଠିକଣାଗୁଡ଼ିକୁ  ଟାର୍ଗେଟ୍‌ କରି ସଠିକ୍‌ ଆକ୍ରମଣ କରିଥିଲା । ଏନ୍‌ସିଇଆର୍‌ଟି ମଡ୍ୟୁଲ୍‌ର ଉଦ୍ଦେଶ୍ୟ ଏହି ମିଶନର  ତଥ୍ୟାତ୍ମକ ଅବଲୋକନର ସୂଚନା ଦେବା । ଏଥିରେ  ସଶସ୍ତ୍ର ବଳର ଭୂମିକା, ଆତଙ୍କବାଦ ବିରୋଧୀ  କାର୍ଯ୍ୟାନୁଷ୍ଠାନ ପଛରେ ନିର୍ଣ୍ଣୟ ନେବାର ପ୍ରକ୍ରିୟା  ତଥା କୂଟନୀତି ଓ କ୍ଷେତ୍ରୀୟ ସ୍ଥିରତା ପାଇଁ ବ୍ୟାପକ  ପ୍ରଭାବ ଭଳି ପ୍ରମୁଖ ଦିଗକୁ ସାମିଲ କରାଯାଇଛି । 

ଏହି ପ୍ରୟାସ ନ୍ୟାସ୍‌ନାଲ କରିକୁଲମ୍‌ ଫ୍ରେମ୍‌ୱର୍କ  (ଏନ୍‌ସିଏଫ୍‌-୨୦୨୩) ଓ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦  (ଏନ୍‌ଇପି ୨୦୨୦) ଅନ୍ତର୍ଗତ ଏନ୍‌ସିଇଆର୍‌ଟିର  ବ୍ୟାପକ ପ୍ରୟାସର ଅଂଶ । ୬ଷ୍ଠ ଓ ୮ମ ଶ୍ରେଣୀ ପାଇଁ  ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଭଳି ବିଷୟରେ  ନୂଆ ପାଠ୍ୟପୁସ୍ତକ ପୂର୍ବରୁ ଜାରି ହୋଇସାରିଛି ।  ଏଥିସହ କୌଶଳ ବୋଧ ନାମକ ଏକ ନୂଆ  ବ୍ୟବସାୟିକ ପାଠ୍ୟପୁସ୍ତକ ମଧ୍ୟ ଜାରି ହୋଇଛି ।  ଏହି ପୁସ୍ତକ ଅନୁଭବମୂଳକ ଶିକ୍ଷା, ଭାରତୀୟ  ଧରୋହର ଓ ସମ୍ପ୍ରତିକ ଆହ୍ୱାନ ଉପରେ କେନ୍ଦ୍ରିତ ।  ଆଗାମି ଅପରେସନ୍‌ ସିନ୍ଦୂର ମଡ୍ୟୁଲ ଏହି ଧାରାକୁ  ବଜାୟ ରଖିବ । ସମସାମୟିକ ଘଟଣା ଓ ରାଷ୍ଟ୍ରୀୟ  ଘଟଣାବଳୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣି ବିଦ୍ୟାର୍ଥୀଙ୍କୁ  ସୂଚନା ଓ ଆଲୋଚନାତ୍ମକ ରୂପେ ଯୋଡ଼ିବାରେ ଏହା  ସାହାଯ୍ୟ କରେ ।