ନୂଆଦିଲ୍ଲୀ,୦୮/୦୮: ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ଲାଗି ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ଦଳଗୁଡ଼ିକର ବୈଠକ ବସିଥିଲା । ଏହାପରେ ସର୍ବସମ୍ମତିକ୍ରମେ  ଏକ ସଂକଳ୍ପ ପାରିତ ହୋଇଛି ଯେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସ୍ଥିର କରିବେ । ସେମାନେ ଯାହାଙ୍କ ନାମ ସ୍ଥିର କରିବେ, ତାହାକୁ  ଏନ୍‌ଡିଏ ସ୍ୱୀକାର କରିବ ବୋଲି ବୈଠକ ପରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ  କହିଛନ୍ତି । ସେହିଭଳି ରିଜିଜୁ ନିର୍ବାଚନ ପ୍ରକ୍ରିୟା  ପାଇଁ ଧାର୍ଯ୍ୟ ସମୟସୀମା ବାବଦରେ ବି ଘୋଷଣା କରିଛନ୍ତି । 

ଗୁରୁବାର ସଂସଦ ଭବନରେ ହିଁ  ଏନ୍‌ଡିଏର ଏହି ବୈଠକ ବସିଥିଲା । ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଏନ୍‌ଡିଏ ଦଳର  ଅନ୍ୟ ନେତାମାନେ ଯୋଗଦେଇଥିଲେ । ଆସନ୍ତା  ୧୨ ତାରିଖରେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ  ନାମ ଘୋଷଣା ହେବା ନେଇ ଆଶା କରାଯାଉଛି । 

ଅନ୍ୟପକ୍ଷରେ ଆସନ୍ତା ସେପ୍ଟେମ୍ବର ୯ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଆଜିଠାରୁ ନାମାଙ୍କନପତ୍ର  ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୨୧  ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଥିଲା ବେଳେ ୨୨ରେ ତାହା ଯାଞ୍ଚ କରାଯିବ ।  ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ  ୨୫ ରହିଛି । 

ଗତ ଜୁଲାଇ ୨୫ରେ ଉପରାଷ୍ଟ୍ରପତି  ପଦରୁ ଜଗଦୀପ ଧନଖଡ ହଠାତ୍‌ ସ୍ୱାସ୍ଥ୍ୟଗତ  କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଏହି ପଦବି  ଖାଲି ପଡିଛି । ଧନଖଡଙ୍କ କାର୍ଯ୍ୟକାଳ ୨୦୨୭  ଅଗଷ୍ଟ ପର୍ଯ୍ୟନ୍ତ ଥିଲା । ଶାସକ ଏନ୍‌ଡିଏ ପକ୍ଷରୁ  ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ।