ନୂଆଦିଲ୍ଲୀ,୨୦/୦୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ବାକି ରହିଛି । ଆସନ୍ତାକାଲି ନାମାଙ୍କନ ଭରିବା ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଦାଖଲ କରିଛନ୍ତି ଏନ୍ଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବତ ହୋଇଛନ୍ତି । ଏନ୍ଡିଏ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସିପି ରାଧାକ୍ରିଷ୍ଣନ୍ । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନାମାଙ୍କନ ଭରିବେ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ।
ଦିଲ୍ଲୀରେ ମଙ୍ଗଳବାର ଏନ୍ଡିଏ ସଂସଦୀୟ ଦଳର ବୈଠକ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ରାଜ୍ୟପାଳ ଓ ଉପରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ କରିଥିଲେ । ଆଜି ସିପି ରାଧାକ୍ରିଷ୍ଣନ୍ ନାମାଙ୍କନ ଭରିବା ସମୟରେ ୨୦ ଜଣ ପ୍ରସ୍ତାବକ ଓ ୨୦ ସମର୍ଥକଙ୍କ ସମେତ ପ୍ରାୟ ୧୬୦ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବକ ହୋଇଛନ୍ତି । ରାଧାକୃଷ୍ଣନ୍ ନାମାଙ୍କନ ଦାଖଲ କରିବା ସମୟରେ ଏନ୍ଡିଏର ଏକତା ଦେଖିବାକୁ ମିଳିଛି । ବିଜେପି ଏବଂ ସହଯୋଗି ଦଳର ସଦସ୍ୟଙ୍କ ମଧ୍ୟରେ ପ୍ରଫୁଲ୍ଲ ପଟେଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା, ଚିରାଗ ପାସୱାନ, ଲଲନ ସିଂହ, ଜିତନ ଶର୍ମା, କିରଣ ରିଜିଜୁ ଏବଂ ଅର୍ଜୁନ ମେଘୱାଲ ଉପସ୍ଥିତ ଥିଲେ ।
NDA candidate for Vice President post, C.P. Radhakrishnan files his nomination in the presence of PM Narendra Modi. pic.twitter.com/klsIOdPx3J
— ANI (@ANI) August 20, 2025
ସେପ୍ଟେମ୍ବର ୯ରେ ନିର୍ବାଚନ- ଗତ ଜୁଲାଇ ୨୨ ତାରିଖରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । ଏହାପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡିଛି । ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବର ୯ରେ ନିର୍ବାଚନ ନେଇ ଅଗଷ୍ଟ ୧ରେ ଘୋଷଣା କରିଥିଲେ ନିର୍ବାଚନ କମିଶନ । ନିର୍ବାଚନ ନେଇ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଓ ବିରାଧୀ 'ଇଣ୍ଡି' ମେଣ୍ଟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନ୍ଙ୍କୁ ପ୍ରାର୍ଥୀ କରିଛି ଏନ୍ଡିଏ । ସେହିପରି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ଚେହେରା କରିଛି । ଦୁଇଜଣ ଦକ୍ଷିଣ ଭାରତୀୟ । ତେଣୁ ନିର୍ବାଚନରେ ଦକ୍ଷିଣୀ ଲଢେଇ ହେବ । ଆସନ୍ତାକାଲି ବି. ସୁଦର୍ଶନ ନାମାଙ୍କନ ଭରିବେ ।