ନୂଆଦିଲ୍ଲୀ, ୧୦/୦୬: ଭାରତ ଆଜି ପର୍ଯ୍ୟନ୍ତ ନିଜ ପରମାଣୁ ଅସ୍ତ୍ରକୁ ପୃଥକ୍ ସ୍ଥାନରେ ରଖୁଥିଲା । ମିସାଇଲ୍ ବି ପୃଥକ୍ ରଖାଯାଉଥିଲା । ସ୍ୱାଭାବିକ ସମୟରେ ଏହାକୁ ଏକାଠି ଯୋଡ଼ାଯାଉ ନ ଥିଲା । କିନ୍ତୁ ଏବେ ଭାରତ ନିଜ ଆଣବିକ ଆଭିମୁଖ୍ୟରେ ଆଣିଛି ବିରାଟ ପରିବର୍ତ୍ତନ । ପଡ଼ୋଶୀ ଚୀନ୍ ଓ ପାକିସ୍ତାନକୁ ୪୪୦ ଭୋଲ୍ଟ ଝଟ୍କା ଦେଇ ପ୍ରଥମ ଥର ଅଣୁ ଅସ୍ତ୍ର ମୁତୟନ କରିଛି ଭାରତ । ଗୋଟିଏ କି ଦୁଇଟି ନୁହେଁ । ଏକାଥରେ ୧୨ଟି ଆଣବିକ ୱାରହେଡ୍ ମୁତୟନ କରିଛି । ଏଭଳି ବିରଳ ପଦକ୍ଷେପ ନେଇ ଭାରତ କ’ଣ ପ୍ରକୃତରେ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କି ବୋଲି ପ୍ରଶ୍ନ ଉଠୁଛି ।
ବିଶ୍ୱଯାକର ଯୁଦ୍ଧାସ୍ତ୍ରଗୁଡ଼ିକର ହିସାବ ରଖୁଥିବା ‘ଷ୍ଟକ୍ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ସିପ୍ରି)’ର ନୂଆ ରିପୋର୍ଟରେ ଭାରତ ଅଣୁ ଅସ୍ତ୍ର ମୁତୟନ କରିଥିବା କଥା କୁହାଯାଇଛି । ରିପୋର୍ଟ କହିଛି, ଭାରତରେ ୧୨ଟି ଅଣୁ ଅସ୍ତ୍ରକୁ ମୁତୟନ ବା ‘ଅପରେସନାଲ୍ ମୋଡ୍’ରେ ରଖାଯାଇଛି । ଅର୍ଥାତ୍ ମିସାଇଲ୍ ଏବଂ ୱାରହେଡ୍କୁ ଏକାଠି କରି ଲଞ୍ଚିଙ୍ଗ୍ ସିଷ୍ଟମ୍ରେ ଖଞ୍ଜି ଦିଆଯାଇଛି । ଅଚାନକ ଭାରତର ଏହି ନିଷ୍ପତ୍ତିରେ ବିଶ୍ୱ ଚକିତ ହୋଇଛି । ଅଣୁ ଅସ୍ତ୍ର ମହଜୁଦ ରଖିବା ଏବଂ ମୁତୟନ କରିବା ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ଉଦାହରଣ ସ୍ୱରୂପ କିଛି ଲୋକ ନିଜ ଆତ୍ମରକ୍ଷା ପାଇଁ ପାଖରେ ବନ୍ଧୁକ ରଖିଥାନ୍ତି । କିନ୍ତୁ ସ୍ୱାଭାବିକ ଭାବେ ଗୁଳି ପୃଥକ୍ ରଖାଯାଇଥାଏ । ସମ୍ଭାବ୍ୟ ବିପଦ ଆସିଲେ ଗୁଳିକୁ ଲୋଡ୍ କରାଯାଏ ।
ଏବେ ସିପ୍ରି ରିପୋର୍ଟ କହୁଛି ଅନ୍ୟୂନ ୧୨ଟି ମାମଲାରେ ଭାରତ ବନ୍ଧୁକ ଏବଂ ଗୁଳିକୁ ଏକସଙ୍ଗେ ଯୋଡ଼ିଦେଇଛି । ଅର୍ଥାତ ମିସାଇଲ୍ ଏବଂ ୱାରହେଡ୍କୁ ଏକାଠି କରି ମୁତୟନ କରାଯାଇଛି । ଅଣୁ ଅସ୍ତ୍ର ଏବେ ଗୋଦାମରୁ ବାହାରି ଲଞ୍ଚିଙ୍ଗ୍ ସିଷ୍ଟମ୍ରେ ପହଞ୍ଚି ଯାଇଛି । ସିପ୍ରି ଏହାର ଇଅରବୁକ୍-୨୦୨୬ ରିପୋର୍ଟରେ ଦର୍ଶାଇଛି ଯେ ୨୦୨୫ରେ ଭାରତ ଗୋଟିଏ ବି ପରମାଣୁ ଶକ୍ତି ସମ୍ପନ୍ନ ଅସ୍ତ୍ର ମୁତୟନ କରି ନ ଥିଲା । କିନ୍ତୁ ୨୦୨୬ରେ ୧୨ ଅସ୍ତ୍ର ମୁତୟନ କରିଛି । ଦୀର୍ଘଦିନ ଧରି ଭାରତ ଶାନ୍ତି ସମୟରେ ଆଣବିକ ଯୁଦ୍ଧାସ୍ତ୍ରଗୁଡ଼ିକୁ ବାଲିଷ୍ଟିକ୍ ମିସାଇଲ ଭଳି ଡେଲିଭରି ସିଷ୍ଟମରୁ ପୃଥକ କରି ରଖୁଥିଲା । କିନ୍ତୁ ନିକଟରେ ଭାରତ ମିସାଇଲଗୁଡ଼ିକୁ କାନିଷ୍ଟର ଭିତରେ ରଖିବା ଏବଂ ସମୁଦ୍ରଭିତ୍ତିକ ପ୍ରତିରୋଧକ ପାଟ୍ରୋଲିଂ କରିବା ଦିଗରେ ଏପରି ପଦକ୍ଷେପ ଦର୍ଶାଉଛି ଯେ, ଶାନ୍ତି ସମୟରେ ଭାରତ ନିଜର କିଛି ଯୁଦ୍ଧାସ୍ତ୍ରକୁ ସେଗୁଡ଼ିକର ଲଞ୍ଚର ସହ ଯୋଡ଼ୁଛି । ଭାରତ ପାଖରେ ୧୭୮ଟି ସଂରକ୍ଷିତ ପରମାଣୁ ଅସ୍ତ୍ର ରହିଛି । ଏହାକୁ ମିଶାଇ ଭାରତ ପାଖରେ ମୋଟ ୧୯୦ ପରମାଣୁ ଅସ୍ତ୍ର ରହିଛି । ବୈଷୟିକ ଦୃଷ୍ଟିରୁ ଦେଖିଲେ, ଭାରତ ସମ୍ଭାବ୍ୟ ବଡ଼ ଯୁଦ୍ଧ ପରିସ୍ଥିତିରେ ପରମାଣୁ ଅସ୍ତ୍ର ମୁତୟନ କରିପାରିଥାନ୍ତା । କିନ୍ତୁ ଏଥିପାଇଁ ବହୁତ ସମୟ ଲାଗିଥାନ୍ତି । ପ୍ରଥମେ ନିର୍ଦ୍ଦେଶ ଆସିଥାନ୍ତା । ଏହାପରେ ଅଣୁ ଅସ୍ତ୍ର ବାହାରି ମିସାଇଲ୍ ସହ ସଂଯୋଗ କରାଯାଇ ଥାଆନ୍ତା । ତାହାର ସୁରକ୍ଷା ଯାଞ୍ଚ କରାଯାଇ ଲଞ୍ଚିଙ୍ଗ୍ ପାଇଁ ପ୍ରସ୍ତୁତ କରାଯାଇ ଥାଆନ୍ତା । ଏସବୁ କାମରେ ଅନେକ ଘଣ୍ଟା ଲାଗିଥାନ୍ତା । କିନ୍ତୁ ଏବେ ନୂଆ ବ୍ୟବସ୍ଥାରେ ଅଣୁ ଅସ୍ତ୍ର ଆଗୁଆ ହିଁ ଅପରେସନାଲ ୟୁନିଟ ସହ ରହିଛି । ଯେ କୌଣସି ସମୟରେ ଏହାକୁ ବ୍ୟବହାର କରାଯାଇ ପାରିବ । କେବଳ ଗୋଟିଏ ଆଦେଶର ଆବଶ୍ୟକ ହେବ ।
ଗତବର୍ଷ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ସମୟରେ ଭାରତକୁ ପାକିସ୍ତାନ ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଇଥିଲା । କିନ୍ତୁ ତାହାକୁ ଖାତିର ନ କରି ଭାରତ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏହାପରେ ପାକିସ୍ତାନ ନେହୁରା ହୋଇ ଯୁଦ୍ଧବିରତି କରାଇଥିଲା । ସେବେଠାରୁ ଦୁଇଦେଶ ମଧ୍ୟରେ ବିବାଦ ଲାଗିରହିଛି । ବିଭିନ୍ନ ସମୟରେ ପାକିସ୍ତାନ ଧମକ ବି ଦେଉଛି । ଭାରତ ପ୍ରଥମ ଥର ପାଇଁ ୧୨ ଅଣୁ ଅସ୍ତ୍ର ମୁତୟନ କରି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛି । କେବଳ କଥାରେ ନୁହେଁ, ଭାରତ କାମରେ କରି ଦେଖାଇପାରେ ବୋଲି ସଙ୍କେତ ଦେଇଛି । ସିପ୍ରି ରିପୋର୍ଟରେ ଭାରତର ବ୍ୟାପକ ଆଣବିକ ଆଧୁନିକୀକରଣ ଉଦ୍ୟମ ଉପରେ ମଧ୍ୟ ଆଲୋକପାତ କରାଯାଇଛି । ୨୦୨୫ରେ ଭାରତ ନିଜ ଆଣବିକ ଭଣ୍ଡାରକୁ ସାମାନ୍ୟ ବଢ଼ାଇଥିବା ଏବଂ ନୂଆ ପ୍ରକାର ଆଣବିକ ପରିବହନ ବ୍ୟବସ୍ଥାର ବିକାଶ ଜାରି ରଖିଥିବା ଏଥିରେ କୁହାଯାଇଛି । ତେବେ ଅନ୍ୟ ଆଣବିକ ଶକ୍ତିସମ୍ପନ୍ନ ଦେଶଗୁଡ଼ିକ ତୁଳନାରେ ଭାରତ ମୁତୟନ କରିଥିବା ଅଣୁ ଅସ୍ତ୍ର ସଂଖ୍ୟା ବେଶ୍ କମ୍ ।
ସିପ୍ରି ଆକଳନ ଅନୁସାରେ, ଚୀନ୍ ପାଖରେ ୬୨୦ଟି ଆଣବିକ ଯୁଦ୍ଧାସ୍ତ୍ର ରହିଛି । ସେଥିରୁ ଚୀନ୍ ୩୪ଟି ମୁତୟନ କରିଛି । ୨୦୨୫ରେ ଚୀନ୍ ମୁତୟନ କରିଥିବା ଅଣୁଅସ୍ତ୍ର ସଂଖ୍ୟା ୨୪ ଥିଲା । ଅନ୍ୟ କୌଣସି ଦେଶ ତୁଳନାରେ ଚୀନ୍ ନିଜର ଆଣବିକ ଭଣ୍ଡାର ଦ୍ରୁତଗତିରେ ବୃଦ୍ଧି କରୁଛି । ରୁଷ୍ ବିଶ୍ୱର ସବୁଠାରୁ ଅଧିକ ଆଣବିକ ଅସ୍ତ୍ରର ଅଧିକାରୀ ହୋଇଥିବା ବେଳେ ସର୍ବାଧିକ ୧,୭୯୬ ଅଣୁ ଅସ୍ତ୍ର ମୁତୟନ କରିଛି । ସେହିପରି ଆମେରିକା ୨୦୨୬ରେ ୧,୭୭୦ ଆଣବିକ ଅସ୍ତ୍ର ମୁତୟନ କରିଛି । ପଡ଼ୋଶୀ ପାକିସ୍ତାନ ନିକଟରେ ୧୭୦ ଅଣୁଅସ୍ତ୍ର ଥିବାବେଳେ ସେଥିରୁ କିଛି ବି ମୁତୟନ କରି ନ ଥିବା ରିପୋର୍ଟରେ କୁହାଯାଇଛି । ସିପ୍ରି ଅନୁସାରେ, ରୁଷ୍ ଏବଂ ଆମେରିକା ପାଖରେ ମିଳିତ ଭାବେ ବିଶ୍ୱର ସମସ୍ତ ଗଚ୍ଛିତ ଆଣବିକ ଯୁଦ୍ଧାସ୍ତ୍ରର ୮୩ ପ୍ରତିଶତ ଅସ୍ତ୍ର ରହିଛି । ଉଭୟ ଦେଶ ସେମାନଙ୍କ ପରମାଣୁ ଅସ୍ତ୍ର ବ୍ୟାପକ ଆଧୁନିକୀକରଣ ଜାରି ରଖିଛନ୍ତି । ୯ଟି ଆଣବିକ ଶକ୍ତି ସମ୍ପନ୍ନ ଦେଶ ଯଥା ଆମେରିକା, ରୁଷ୍, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ ମଧ୍ୟରୁ ଅଧିକାଂଶ ଦେଶ ନୂଆ ଆଣବିକ କ୍ଷମତା ସମ୍ପନ୍ନ ବ୍ୟବସ୍ଥା ପ୍ରସ୍ତୁତିରେ ଲାଗିଛନ୍ତି । ୨୦୨୬ ଜାନୁଆରୀ ସୁଦ୍ଧା ବିଶ୍ୱରେ ମୋଟ ୧୨,୧୮୭ଟି ଆଣବିକ ଯୁଦ୍ଧାସ୍ତ୍ର ରହିଥିଲା । ସେଥିମଧ୍ୟରୁ ପ୍ରାୟ ୯,୭୪୫ଟି ସମ୍ଭାବ୍ୟ ବ୍ୟବହାର ପାଇଁ ସାମରିକ ଭଣ୍ଡାରରେ ଉପଲବ୍ଧ ଥିଲା ।
ଅଧିକ ପଢନ୍ତୁ- Sea level warning : ଜାତିସଂଘର ଚେତାବନୀ, ୨ ଗୁଣା ବଢିଲାଣି ସମୁଦ୍ର ସ୍ତର