ନୂଆଦିଲ୍ଲୀ, ୧୦/୦୬ : ଜାତିସଂଘର ସଦ୍ୟତମ ୱର୍ଲଡ ଓସନ୍‌ ଆସେସମେଣ୍ଟ ରିପୋର୍ଟ ବିଶ୍ୱର ନିଦ ହଜାଇଛି । ସମୁଦ୍ର ସ୍ତର ପୂର୍ବାପେକ୍ଷା ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ଗତ ୧୦ ବର୍ଷରେ ସମୁଦ୍ର ସ୍ତର ବୃଦ୍ଧି ବେଗ ଦୁଇଗୁଣ ହୋଇଛି । ମଣିଷର ଭୁଲ ସମୁଦ୍ରକୁ ନଷ୍ଟ କରିଦେଇଛି । ପ୍ରଦୂଷଣ ଓ ବ୍ୟାପକ ସ୍ତରରେ ହେଉଥିବା ଔଦ୍ୟୋଗିକ ମାଛଧରା ଏହାର ମୁଖ୍ୟ କାରଣ । ରିପୋର୍ଟ ଅନୁସାରେ, ସମୁଦ୍ରର ପରିସଂସ୍ଥାନ ଅତ୍ୟନ୍ତ ଚାପର ସମ୍ମୁଖୀନ ହେଉଛି । ଜୈବବିବିଧତା ନିରନ୍ତର ନଷ୍ଟ ହେଉଛି । ୮୬ ଦେଶର ୬୦୦ରୁ ଅଧିକ ବୈଜ୍ଞାନିକ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ୨୦୨୧ରୁ ୨୦୨୫ ଯାଏ ସମୁଦ୍ର ଉପରେ ଅଧ୍ୟୟନ କରାଯାଇଛି । ଏହା ପୂର୍ବରୁ ୨୦୧୮ର ରିପୋର୍ଟରେ ସାମୁଦ୍ରିକ ପରିବେଶକୁ ହେଉଥିବା କ୍ଷତି ବିଷୟ ମଧ୍ୟ ଉଲ୍ଲେଖ ହୋଇଥିଲା ।

ରିପୋର୍ଟ ଅନୁସାରେ, ୨୦୧୫ ପୂର୍ବରୁ ସମୁଦ୍ର ସ୍ତର ପ୍ରତି ବର୍ଷ ୨ ମିଲିମିଟର ବଢୁଥିଲା । ୨୦୨୩ରେ ଏହି ବେଗ ବଢ଼ି ୪.୩ ମିଲିମିଟର ହେଲା । ଏହାର ଅର୍ଥ ସମୁଦ୍ର ସ୍ତର ବୃଦ୍ଧି ଦି’ଗୁଣ ହୋଇଛି । ପାଣି ଉଷ୍ଣ ହେବା ମଧ୍ୟ ଆଉ ଏକ ବଡ଼ ବିପଦ । ୧୯୫୫ ପରଠୁ ସମୁଦ୍ର ଯେତେ ଉଷ୍ଣ ହୋଇଛି, ତା’ର ୧୬ ପ୍ରତିଶତ କେବଳ ୨୦୧୮ ପରେ ରେକର୍ଡ ହୋଇଛି । ଆଟଲାଣ୍ଟିକ୍‌ ମହାସାଗର ସମେତ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗ ସର୍ବାଧିକ ଉତ୍ତପ୍ତ ହେଉଛି । ବୈଜ୍ଞାନିକଙ୍କ ଅନୁସାରେ, ଆମେ ସମୁଦ୍ର ବିଷୟରେ ଖୁବ୍‌ କମ୍‌ ଜାଣୁ । ୨୦୨୫ ସୁଦ୍ଧା ସମୁଦ୍ରର କେବଳ ୨୭ ପ୍ରତିଶତ ଅଂଶ ମ୍ୟାପ୍‌ ହୋଇପାରିଛି । ସମୁଦ୍ରର ବହୁତ ବଡ଼ ଅଂଶ ଏବେ ବି ରହସ୍ୟ ହୋଇ ରହିଛି । ଗଭୀର ସମୁଦ୍ର ପରିସଂସ୍ଥାନକୁ ବୁଝିବା ଏବେ ବି ବଡ଼ ଆହ୍ୱାନ । ଏହାର ଗଭୀରରେ କି ପରିବର୍ତ୍ତନ ହେଉଛି ତାହା ଜଣାପଡୁନାହିଁ । ସାମୁଦ୍ରିକ ଜୀବଙ୍କ ଉପରେ ଏହି ପରିବର୍ତ୍ତନର କି ପ୍ରଭାବ ପଡୁଛି ତାହା ବି ଜାଣିବା ଜରୁରି ।

ଆହୁରି ପଢନ୍ତୁ- Fortune India : କୋହଲି ଭାରତର ସବୁଠୁ ମହଙ୍ଗା ସେଲିବ୍ରିଟି, ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ

ସମୁଦ୍ରରେ ପ୍ରତି ବର୍ଷ ୫୨.୧ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ଫିଙ୍ଗାଯାଉଛି । ୨୪.୪ ଟ୍ରିଲିଅନ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ସମୁଦ୍ର ପାଣିରେ ମିଶୁଛି । ଏହାର ସିଧା ପ୍ରଭାବ ୪୦୦୦ରୁ ଅଧିକ ସାମୁଦ୍ରିକ ପ୍ରଜାତିଙ୍କ ଉପରେ ପଡୁଛି । ଏମାନେ ଆବର୍ଜନାକୁ ଖାଇ ଜୀବନ ହରାଉଛନ୍ତି, ଯଦ୍ଦ୍ୱାରା ସାମୁଦ୍ରିକ ଜୀବଙ୍କ ପ୍ରାକୃତିକ ସନ୍ତୁଳନ ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏହି ରିପୋର୍ଟ ଉପରେ ଗଭୀର ଚିନ୍ତା ବ୍ୟକ୍ତ କରି କହିଛନ୍ତି, ଆମେ ସମୁଦ୍ରକୁ ସୀମାହୀନ ମାନିପାରିବା ନାହିଁ । ବିଶ୍ୱର ସମସ୍ତ ଦେଶ ଏକ ହୋଇ ଏହାର ସୁରକ୍ଷା ଲାଗି କାମ କରିବାକୁ ସେ ଅପିଲ କରିଛନ୍ତି । ସମୁଦ୍ର ସହ ଆମକୁ ଏକ ନୂଆ ସମ୍ପର୍କ ଗଢ଼ିବାକୁ ହେବ । ଏହି ସମ୍ପର୍କ ବିଜ୍ଞାନ ଓ ଅନ୍ତର୍ଜାତୀୟ ଆଇନ ଉପରେ ଆଧାରିତ ହେବା ଉଚିତ୍‌ ବୋଲି ସେ କହିଛନ୍ତି ।

ଓଡିଶୀକୁ ନେଇ ପାକିସ୍ତାନୀ ନୃତ୍ୟଶିଳ୍ପୀଙ୍କ ବିବାଦୀୟ ବୟାନ ପରେ ବଢ଼ିଲା ଚର୍ଚ୍ଚା; କ'ଣ କହୁଛନ୍ତି ଗବେଷକ...