ନୂଆଦିଲ୍ଲୀ,୧୮/୦୮: ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ଆଗାମୀ ଡାଏମଣ୍ଡ ଲିଗ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଚଳିତ ସିଜନରେ ମାତ୍ର ୨ଟି ଡାଏମଣ୍ଡ ଲିଗ୍ ଇଭେଣ୍ଟରେ ଭାଗ ନେଇଥିଲେ । ଉଭୟ ଲିଗ୍ରେ ସେ ମୋଟ ୧୫ପଏଣ୍ଟ ହାସଲ କରିଥିଲେ ଏବଂ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଏହା ଯଥେଷ୍ଟ ଥିଲା । ଆସନ୍ତା ୨୮ ତାରିଖରେ ସ୍ୱିଜରଲାଣ୍ଡର ଜୁରିଖ ଠାରେ ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ଖେଳାଯିବ।
ନୀରଜ ଗତ ଶନିବାର ଅନୁଷ୍ଠିତ ସିଲେସିଆ ଡାଏମଣ୍ଡ ଲିଗ୍ରୁ ଓହରି ଯାଇଥିଲେ । ପୂର୍ବରୁ ସେ ପ୍ୟାରିସ୍ ଡାଏମଣ୍ଡ ଲିଗ୍ରେ ୮୮.୧୬ମିଟର ଦୂର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାପରେ ସେ ଦୋହା ଡାଏମଣ୍ଡ ଲିଗ୍ରେ ପ୍ରଥମ ଥର ୯୦ମିଟର ଅତିକ୍ରମ କରିଥିଲେ । ୯୦.୨୩ମିଟର ଥ୍ରୋ କରି ନୂଆ ଜାତୀୟ ରେକର୍ଡ଼ ସହ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଜର୍ମାନୀର ଜୁଲିଆନ ୱେବର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ନୀରଜ ଓ ୱେବର ସମାନ ୧୫ ପଏଣ୍ଟ ସହ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତ୍ରିନିଦାଦ୍ ଏବଂ ଟୋବାଗୋର କେଶର୍ଣ୍ଣ ୱାଲକଟ୍ ସର୍ବାଧିକ ୧୭ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
ଡାଏମଣ୍ଡ ଲିଗ୍ ଫାଇନାଲ୍ରେ ଦୁଇ ଥର ବିଶ୍ୱ ଚାମ୍ପିଅନ୍ ଆଣ୍ଡର୍ସ ପିଟରସନ୍, ବ୍ରାଜିଲର ଲୁଇଜ ମୌରିସିଓ ଡା ସିଲ୍ଭା ଭାଗ ନେବା ସମ୍ଭାବନା ରହିଛି । ନୀରଜ ୨୦୨୨ରେ ଡାଏମଣ୍ଡ ଲିଗ୍ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲେ । ପରବର୍ତ୍ତୀ ୨ଟି ସଂସ୍କରଣ (୨୦୨୩, ୨୦୨୪)ରେ ରନର୍ସ ଅପ୍ ହୋଇଥିଲେ । ପ୍ୟାରିସ୍ ଅଲିମ୍ପିକ୍ସ ଚାମ୍ପିଅନ୍ ପାକିସ୍ତାନର ଅର୍ଶଦ ନଦୀମ ଚଳିତ ବର୍ଷ ଡାଏମଣ୍ଡ ଲିଗ୍ରୁ ଦୂରେଇ ରହିଛନ୍ତି ।