ନୂଆଦିଲ୍ଲୀ,୧୮/୦୮: ଡବଲ୍‌  ଅଲିମ୍ପିକ୍‌ ପଦକ ବିଜେତା ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ଆଗାମୀ  ଡାଏମଣ୍ଡ ଲିଗ୍‌ ଫାଇନାଲ୍‌କୁ ଯୋଗ୍ୟତା  ଅର୍ଜନ କରିଛନ୍ତି । ସେ ଚଳିତ ସିଜନରେ ମାତ୍ର ୨ଟି ଡାଏମଣ୍ଡ ଲିଗ୍‌ ଇଭେଣ୍ଟରେ ଭାଗ ନେଇଥିଲେ । ଉଭୟ ଲିଗ୍‌ରେ ସେ ମୋଟ ୧୫ପଏଣ୍ଟ ହାସଲ କରିଥିଲେ ଏବଂ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଏହା ଯଥେଷ୍ଟ ଥିଲା । ଆସନ୍ତା ୨୮ ତାରିଖରେ ସ୍ୱିଜରଲାଣ୍ଡର ଜୁରିଖ ଠାରେ ଡାଏମଣ୍ଡ୍‌ ଲିଗ୍‌ ଫାଇନାଲ୍‌ ଖେଳାଯିବ। 

ନୀରଜ ଗତ ଶନିବାର ଅନୁଷ୍ଠିତ ସିଲେସିଆ ଡାଏମଣ୍ଡ ଲିଗ୍‌ରୁ ଓହରି  ଯାଇଥିଲେ । ପୂର୍ବରୁ ସେ ପ୍ୟାରିସ୍‌  ଡାଏମଣ୍ଡ ଲିଗ୍‌ରେ ୮୮.୧୬ମିଟର ଦୂର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାପରେ ସେ ଦୋହା  ଡାଏମଣ୍ଡ ଲିଗ୍‌ରେ ପ୍ରଥମ ଥର ୯୦ମିଟର  ଅତିକ୍ରମ କରିଥିଲେ । ୯୦.୨୩ମିଟର ଥ୍ରୋ କରି ନୂଆ ଜାତୀୟ ରେକର୍ଡ଼ ସହ ଦ୍ୱିତୀୟ  ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଜର୍ମାନୀର  ଜୁଲିଆନ ୱେବର ପ୍ରଥମ ସ୍ଥାନ ଅଧିକାର  କରିଥିଲେ । ନୀରଜ ଓ ୱେବର ସମାନ  ୧୫ ପଏଣ୍ଟ ସହ ମିଳିତ ଦ୍ୱିତୀୟ ସ୍ଥାନରେ  ରହିଛନ୍ତି । ତ୍ରିନିଦାଦ୍‌ ଏବଂ ଟୋବାଗୋର  କେଶର୍ଣ୍ଣ ୱାଲକଟ୍‌ ସର୍ବାଧିକ ୧୭ପଏଣ୍ଟ  ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । 

ଡାଏମଣ୍ଡ ଲିଗ୍‌ ଫାଇନାଲ୍‌ରେ ଦୁଇ  ଥର ବିଶ୍ୱ ଚାମ୍ପିଅନ୍‌ ଆଣ୍ଡର୍ସ ପିଟରସନ୍‌, ବ୍ରାଜିଲର ଲୁଇଜ ମୌରିସିଓ ଡା ସିଲ୍‌ଭା  ଭାଗ ନେବା ସମ୍ଭାବନା ରହିଛି । ନୀରଜ  ୨୦୨୨ରେ ଡାଏମଣ୍ଡ ଲିଗ୍‌ ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଥିଲେ । ପରବର୍ତ୍ତୀ ୨ଟି  ସଂସ୍କରଣ (୨୦୨୩, ୨୦୨୪)ରେ ରନର୍ସ  ଅପ୍‌ ହୋଇଥିଲେ । ପ୍ୟାରିସ୍‌ ଅଲିମ୍ପିକ୍ସ  ଚାମ୍ପିଅନ୍‌ ପାକିସ୍ତାନର ଅର୍ଶଦ ନଦୀମ ଚଳିତ  ବର୍ଷ ଡାଏମଣ୍ଡ ଲିଗ୍‌ରୁ ଦୂରେଇ ରହିଛନ୍ତି ।