ନୂଆଦିଲ୍ଲୀ,୧୨/୦୫: ନିଟ୍ ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ କରିବ ସିବିଆଇ । କେନ୍ଦ୍ର ସରକାରଙ୍କ ଠାରୁ ଗ୍ରୀନ୍ ସିଗନାଲ୍ ମିଳିବା କ୍ଷଣି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଆକ୍ସନକୁ ଆସିଛି । ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏହା ସହିତ ଏହି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବ , ଯିଏ କି ପୂରା ଘଟଣାକୁ ନିକନିଖ ଭାବେ ସମୀକ୍ଷା କରିବ । ସୂତ୍ରରୁ ପ୍ରକାଶ ପାଇଛି ଯେ ନିଟ ୟୁଜି ପେପର ଲିକ୍ ନେଟଓ୍ବର୍କ ଅନ୍ୟ ରାଜ୍ୟକୁ ବ୍ୟାପିଛି । 

ପୂର୍ବରୁ ଏହି ଘଟଣାରେ ରାଜସ୍ଥାନ SOG ତଦନ୍ତ କରୁଛି । ନିଟ୍ ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନ ଲିଙ୍କ୍ ଥିବା ଜଣାପଡ଼ିଥିଲା । ପେପର ଲିକ୍ ଅନ୍ତଃରାଜ୍ୟ ଷଡ଼ଯନ୍ତ୍ର ସାମ୍ନାକୁ ଆସିବା ପରେ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଛି । ସୂଚନା ଅନୁଯାୟୀ, ନିଟ୍ ୟୁଜି GFX ପେପର ନାସିକ୍ ପ୍ରେସିଡେନ୍ସି ପ୍ରେସରେ କପି କରାଯାଇଥିଲା । ନାସିକରୁ ପେପର ହରିୟାଣା ପରେ ଗୁରଗାଓଁର ଜଣେ ଡାକ୍ତରଙ୍କ ନିକଟରେ ପହଞ୍ଚିଥିଲା । ହରିୟାଣାରୁ ପେପର ଜୟପୁର ଏବଂ ପରେ ଜୟପୁରରୁ ଜମଓ୍ବା ରାୟଗଡ଼ ପହଞ୍ଚିଥିଲା ।

ରାଜ୍ୟରୁ ରାଜ୍ୟ ଡେଇଁଲା ପ୍ରଶ୍ନପତ୍ର ?
ରାଜସ୍ଥାନର ଜମଓ୍ବା ରାମଗଡ଼ରୁ ପ୍ରଶ୍ନପତ୍ର ସିକରକୁ ଯାଇଥିଲା ଏବଂ ସେଠାରୁ ଜମ୍ମୁ-କାଶ୍ମୀର, ବିହାର ଓ କେରଳ ସହିତ ଅନ୍ୟାନ୍ୟ ରାଜ୍ୟକୁ ପଠାଯାଇଥିଲା । ଏହି ଘଟଣାରେ ନାସିକ ପ୍ରିଣ୍ଟିଂ ପ୍ରେସରୁ ଜଣେ ବ୍ୟକ୍ତିଙ୍କୁ ହେପାଜତରେ ନେଇଛି ପୁଲିସ । ସୂତ୍ର ଅନୁସାରେ, ମାମଲା ରୁଜୁ ହେବା ପରେ CBI ଟିମ୍ ରାଜସ୍ଥାନ SOG ଠାରୁ କେସ୍ ର ସମସ୍ତ ଫାଇଲ୍‌, ଡକ୍ୟୁମେଣ୍ଟ ଏବଂ ପ୍ରମାଣ ନିଜ ହାତକୁ ନେବ। ଏହାସହ NTA ଠାରୁ ମଧ୍ୟ ସମସ୍ତ ଆବଶ୍ୟକ ତଥ୍ୟ ଏବଂ ରେକର୍ଡ ସଂଗ୍ରହ କରିବ ସିବିଆଇ । ବର୍ତ୍ତମାନ ରାଜସ୍ଥାନ SOG ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଏଥିରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ହେତାଜତକୁ ନେଇ ପଚରାଉଚରା କରୁଛି । ତଦନ୍ତରେ ଜଣାପଡ଼ିଛି ଯେ, ଯେଉଁ “ଗେସ୍ ପେପର” ପୂର୍ବରୁ ଭାଇରାଲ୍‌ ହୋଇଥିଲା, ସେଥିରେ ଥିବା ପ୍ରାୟ ୬୦ ପ୍ରଶ୍ନ ନିଟ୍ ୟୁଜି ୨୦୨୬ ପେପର ସହିତ ମେଳ ହୋଇଥିଲା । ପ୍ରଶ୍ନରେ ଗୋଟିଏ ବି ଶବ୍ଦ ପରିବର୍ତ୍ତନ ହୋଇନଥିଲା ।

ପ୍ରାଇଭେଟ୍ ମାଫିଆ ହ୍ବାଟସଆପ୍ ଗ୍ରୁପ:

ତଦନ୍ତ ଏଜେନ୍ସି ହାତରେ ବଡ଼ ପ୍ରମାଣ ଲାଗିଛି । ‘Private Mafi’ ନାଁରେ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍ ପେପର ଲିକର ପ୍ରମାଣ ମିଳିଛି । ଏହି ଗ୍ରୁପରେ ପ୍ରାୟ ୪୦୦ରୁ ଅଧିକ ମେମ୍ବର ରହିଛନ୍ତି  । ଗ୍ରୁପର କ୍ୟାପସନରେ ଲେଖା ହୋଇଛି, ଏହା କେବଳ ଲିକ୍‌ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଅପଲୋଡ୍‌ ପାଇଁ ତିଆରି ହୋଇଛି । କୌଣସି ଲିକ୍ ପ୍ରଶ୍ନପତ୍ରକୁ ଗ୍ରୁପ୍‌ ବାହାରକୁ ଫରୱାର୍ଡ ନ କରିବାକୁ ମଧ୍ୟ ସତର୍କ କରାଯାଇଛି । SOG ସୂତ୍ରରୁ ଦାବି କରାଯାଇଛି ଯେ ଏଜେନ୍ସି ମାମଲାକୁ ପ୍ରାୟ ସମାଧାନ କରିସାରିଛି ଏବଂ CBIକୁ ହସ୍ତାନ୍ତର ପୂର୍ବରୁ କେସ୍‌ ରୁଜୁ କରିବା ପ୍ରସ୍ତୁତି ଚାଲିଛି ।

ପେପର ଲିକ୍‌ ମାଷ୍ଟରମାଇଣ୍ଡ:
ଏହି ମାମଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନାଁ ସାମ୍ନାକୁ ଆସିଛି। ମନୀଷ ଯାଦବ ନିଟ୍ ୟୁଜି ପେପର ଲିଗ୍ ଘଟଣାର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ରାକେଶ ମଣ୍ଡାୱାରିଆ ଲିକ୍ ପ୍ରଶ୍ନପତ୍ରକୁ ଡିଷ୍ଟ୍ରିବ୍ୟୁସନ ଦାୟିତ୍ବ ମିଳିଥିଲା ବୋଲି ଅଭିଯୋଗ ହୋଇଛି ।  ରାଜସ୍ଥାନ SOG ଉଭୟଙ୍କୁ ହେପାଜତକୁ ନେଇଛି । ମନୀଷ ଯାଦବ ଜୟପୁରରୁ ଧରାପଡ଼ିଥିଲା । ହେଲେ ତାଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା କୌଣସି FIR ରୁଜୁ ହୋଇନାହିଁ ।

ତଦନ୍ତରୁ ପ୍ରଥମେ ଜଣାପଡ଼ିଥିଲା, ବାୟୋଲୋଜିର ୯୦ଟି ଏବଂ କେମିଷ୍ଟ୍ରିର ୩୫ଟି ପ୍ରଶ୍ନ ଲିକ୍‌ ହୋଇଥିଲା । ଦାବି କରାଯାଉଛି ଯେ, ବାୟୋଲୋଜି ଏବଂ କେମିଷ୍ଟ୍ରିର ପ୍ରଶ୍ନ ପୂର୍ବରୁ ଭାଇରାଲ୍‌ ହୋଇଥିଲା। ବର୍ତ୍ତମାନ ସମଗ୍ର ଦେଶର ନଜର ଏହି ମାମଲା ଉପରେ ରହିଛି । CBI ତଦନ୍ତ ପରେ ଏହି ପେପର ଲିକ୍‌ ରାକେଟ୍‌ ସହ ଜଡିତ ଅନେକ ବଡ଼ ନାମ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ- NEET Paper Leak Case: ମହାରାଷ୍ଟ୍ର ନାସିକରୁ ଆସିଲା କନେକ୍ସନ, ପୁଲିସ ହେପାଜତରେ ସନ୍ଦିଗ୍ଧ