ନୂଆଦିଲ୍ଲୀ, ୨୧।୦୬: ରବିବାର ଅର୍ଥାତ୍ ଆଜି ଦେଶବ୍ୟାପୀ ନିଟ୍-ୟୁଜି ପୁନଃପରୀକ୍ଷା । ପ୍ରାୟ ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ହୋଇଥିବା ୫,୪୪୦ କେନ୍ଦ୍ରରେ ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ପେନ୍ ଓ ପେପର ମୋଡ଼ରେ ହେବ । ତେବେ ଯୋଗ୍ୟ ବିବେଚିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୬ଟା ୨୦ ମିନିଟ୍ ପର୍ଯ୍ୟନ୍ତ ସମୟ ମିଳିବ । ଇଂରାଜୀ ଓ ୧୨ଟି ଭାରତୀୟ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସୁଚାରୁ, ସୁରକ୍ଷିତ ତଥା ଛାତ୍ରଛାତ୍ରୀଙ୍କ ଅନୁକୂଳ ପରୀକ୍ଷା କରାଇବା ଲାଗି ଏନ୍ଟିଏ (ନ୍ୟାସନାଲ ଟେଷ୍ଟି ଏଜେନ୍ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପୁଲିସ, ଅର୍ଦ୍ଧସାମରିକ ବାହିନୀ, ବାୟୁସେନା ଓ ଡାକ ବିଭାଗକୁ ଏଥିରେ ସାମିଲ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏନ୍ଟିଏକୁ ହସ୍ତାନ୍ତର କରାଯାଇଛି । ପ୍ରତି ସେଣ୍ଟରରେ ସୁରକ୍ଷାକର୍ମୀ, ଅବଜରଭର, ବାୟୋମେଟ୍ରିକ ଷ୍ଟାଫ୍ ଓ ଫ୍ରିସ୍କିଂ ଷ୍ଟାଫ ମୁତୟନ ହେବେ । ପରୀକ୍ଷା ସମୟରେ ଏସବୁ କେନ୍ଦ୍ର ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ । ସବୁ ପରୀକ୍ଷା କେନ୍ଦ୍ରରେ ଏଆଇ ଆଧାରିତ ସିସିଟିଭି ବ୍ୟବସ୍ଥା କରାଯାଇଛି । ୯୫ ହଜାରରୁ ଅଧିକ ରୁମ୍ରେ ୧,୩୮,୫୬୦ ସିସିଟିଭି ଲଗାଯାଇଛି ।
ଜାତୀୟ, ରାଜ୍ୟ ତଥା ମନ୍ତ୍ରଣାଳୟ ସ୍ତରରେ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯିବ ଓ ସମସ୍ତ ଗତିବିଧିର ତଦାରଖ କରାଯିବ । ସେହିଭଳି ୫୧,୩୧୧ ଜାମର ମଧ୍ୟ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି । ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଓ ସମସ୍ତ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ, ବୈଧ ଫଟୋ ପରିଚୟପତ୍ର ଓ ଦୁଇଟି ପାସ୍ପୋର୍ଟ ସାଇଜ୍ର ଫଟୋ ଆଣିବାକୁ କୁହାଯାଇଛି । ସୋସିଆଲ ମିଡିଆରେ ହେଉଥିବା ଅପପ୍ରଚାର ଏବଂ ପ୍ରଶ୍ନପତ୍ର ଲିକ୍ ସଂକ୍ରାନ୍ତ ମିଥ୍ୟା ସୂଚନାକୁ ଏଡାଇବା ଲାଗି ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି ।
ସେପଟେ ସେହିପରି ରାଜ୍ୟରୁ ୫୬ ହଜାର ୯୮୩ଜଣ ପରୀକ୍ଷାର୍ଥୀ ରହିଛନ୍ତି । ରାଜ୍ୟର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅପରାହ୍ନ ୨ଟା ୧୫ରୁ ୫ଟା ୧୫ ଯାଏ ପରୀକ୍ଷା ହେବ । ପରୀକ୍ଷା ସୁପରିଚାଳନା କିପରି ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏନେଇ ଚଳିତମାସ ୫ ତାରିଖରେ ମୁଖ୍ୟ ଶାସନ ସଚିବ ସମୀକ୍ଷା ମଧ୍ୟ କରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ପରୀକ୍ଷା କେନ୍ଦ୍ରରେ ମାଜିଷ୍ଟ୍ରେଟ୍, ପୁଲିସ ରହିବେ । ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନେ ନିକଟସ୍ଥ ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡରୁ ଏହି ମାଗଣା ବସ ସୁବିଧା ଉଠାଇପାରିବେ । ନିଜର ପରିଚୟ ପତ୍ର ତଥା ଆଡମିଟ୍ କାର୍ଡ ଦେଖାଇ ଯାଇପାରିବେ । ଭୁବନେଶ୍ୱରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬ଟି ପରୀକ୍ଷା କେନ୍ଦ୍ର ପାଇଁ ପରୀକ୍ଷାର୍ଥୀଙ୍କୁ ନେବା ଆଣିବା ପାଇଁ ୧୦୮ଟି ବସ୍ ଚଳାଚଳ କରିବ । ପ୍ରତି ଜିଲ୍ଲାରେ ମଧ୍ୟ ସମାନ ଭାବେ ପ୍ରଶାସନ ପକ୍ଷରୁ ବସ୍ ସେବା ଯୋଗାଇ ଦିଆଯିବ । ଆଜି ସମସ୍ତ ପରୀକ୍ଷା କେନ୍ଦ୍ରରେ ମକ୍ ଡ୍ରିଲ୍ କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ପରୀକ୍ଷା କେନ୍ଦ୍ରକୁ ଘେରି ରହିଛନ୍ତି ।
ସୂଚନାଯୋଗ୍ୟ, ଏନ୍ଟିଏ ପକ୍ଷରୁ ଗତ ମେ ୩ ତାରିଖରେ ନିଟ୍-ୟୁଜି କରାଯାଇଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ମେ ୧୨ରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ପରେ ଜୁନ ୨୧ରେ ପୁନଃପରୀକ୍ଷା କରିବା ଲାଗି ଏନ୍ଟିଏ ପକ୍ଷରୁ ତାରିଖ ଘୋଷଣା କରାଯାଇଥିଲା । ସେପଟେ ପରୀକ୍ଷାର ଅବ୍ୟବହିତ ପୂର୍ବରୁ ଶନିବାର ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଛି । ନିର୍ବିଘ୍ନ ଓ ସୁରକ୍ଷିତ ପରୀକ୍ଷା ପ୍ରସ୍ତୁତି ସୁନିଶ୍ଚିତ କରିବା ହେଉଛି ଏହି ମକଡ୍ରିଲର ଉଦ୍ଦେଶ୍ୟ । ସକାଳ ୯ଟାରୁ ମକଡ୍ରିଲ ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୨ଲକ୍ଷ ୫୦ ହଜାର ସୁରକ୍ଷା କର୍ମୀ ଅଂଶଗ୍ରହଣ କରିଥିଲେ ।
ଅଧିକ ପଢନ୍ତୁ-Today Horoscope: ଏହି ରାଶିର ବ୍ୟକ୍ତି ସାବଧାନ ! ଅପରାହ୍ଣ ୩ଟା ୪୦ ମିନିଟ୍ ପରେ ଅଶୁଭଫଳ