ନୂଆଦିଲ୍ଲୀ, ୨୦।୬: ବିଶ୍ୱ ଶକ୍ତି ଯୋଗାଣର ଲାଇଫ୍ଲାଇନ୍ କୁହାଯାଉଥିବା 'ର୍ମୁଜ ପ୍ରଣାଳୀ' କୁ ନେଇ ଇରାନ ଏକ ବଡ଼ ନିଷ୍ପତ୍ତି ନେଇଛି । ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ଚୁକ୍ତି ପରେ ଏହି ରଣନୀତିକ ସାମୁଦ୍ରିକ ମାର୍ଗକୁ ବ୍ୟାପାର ପାଇଁ ପୁଣି ଥରେ ଖୋଲି ଦିଆଯାଇଛି ସତ, କିନ୍ତୁ ଏବେ ଇରାନ ଏଠାରୁ ଯାତାୟାତ କରୁଥିବା ସମସ୍ତ ବ୍ୟାବସାୟିକ ଜାହାଜ ପାଇଁ କଠୋର ନିୟମ ଓ ସର୍ତ୍ତ ଲାଗୁ କରିଛି । ଇରାନର ଏହି ପଦକ୍ଷେପ ପରେ ଏବେ ଯେକୌଣସି ଦେଶର ଜାହାଜ ବିନା ଆଡଭାନ୍ସ ରେଜିଷ୍ଟ୍ରେସନ, ସରକାରୀ ପରମିଟ୍ ଏବଂ ପୁଖ୍ତା ଇନସ୍ୟୁରାନ୍ସରେ ଏହି ପଥ ଅତିକ୍ରମ କରିପାରିବେ ନାହିଁ ।
ଗଠନ ହେଲା 'ପର୍ସିଆନ ଗଲ୍ଫ ଷ୍ଟ୍ରେଟ୍ ଅଥରିଟି':
ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥାର ପରିଚାଳନା ଏବଂ ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଇରାନ ଏକ ନୂତନ ସଂସ୍ଥା ଗଠନ କରିଛି, ଯାହାର ନାମ 'ପର୍ସିଆନ ଗଲ୍ଫ ଷ୍ଟ୍ରେଟ୍ ଅଥରିଟି' (PGSA) ରଖାଯାଇଛି । ୱାଶିଂଟନ ଏବଂ ତେହେରାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ଅଥରିଟି ଗଠନ କରାଯାଇଛି, ଯାହାଫଳରେ ବିଗତ ୩ ମାସ ଧରି ବନ୍ଦ ରହିଥିବା ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗକୁ ପୁଣି ଥରେ ଚାଲୁ କରାଯାଇପାରିଛି । 'ଇସଲାମାବାଦ ବୁଝାମଣା ପତ୍ର' ସ୍ୱାକ୍ଷର ହେବା ପରେ ଏହି ନିୟମକୁ ତୁରନ୍ତ ଲାଗୁ କରାଯାଇଛି ।
ମୁଖ୍ୟ ନିୟମ ଓ ସର୍ତ୍ତାବଳୀ:
୪୮ ଘଣ୍ଟା ପୂର୍ବରୁ ସୂଚନା: ସଂଶୋଧିତ ନିୟମ ଅନୁଯାୟୀ, କୌଣସି ବି ଜାହାଜ ନିଜ ମନମୁତାବକ ଏହି ସୀମାରେ ପ୍ରବେଶ କରିପାରିବେ ନାହିଁ । ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀରେ ପହଞ୍ଚିବାର ଅତିକମରେ ୪୮ ଘଣ୍ଟା ପୂର୍ବରୁ 'ଟ୍ରାଞ୍ଜିଟ୍ ରିକ୍ୱେଷ୍ଟ' ଦାଖଲ କରିବାକୁ ହେବ । ଏଥିପାଇଁ ଏକ ସରକାରୀ ୱେବସାଇଟ୍ ମଧ୍ୟ ଜାରି କରାଯାଇଛି ।
ନିର୍ଦ୍ଧାରିତ କରିଡର ଦେଇ ଗତି: ବିଗତ ୩ ମାସର ସାମରିକ ତିକ୍ତତା କାରଣରୁ ସମୁଦ୍ର ମଧ୍ୟରେ ବାରୁଦ ସୁଡ଼ଙ୍ଗ କିମ୍ବା ଅନ୍ୟାନ୍ୟ ବିପଦର ଆଶଙ୍କା ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନ କେତେକ ବିଶେଷ 'ଶିପିଂ କରିଡର' ନିର୍ଦ୍ଧାରଣ କରିଛି । ସମସ୍ତ ଜାହାଜକୁ ବାଧ୍ୟତାମୂଳକ ଭାବେ କେବଳ ଏହି ସୁରକ୍ଷିତ ପଥ ଦେଇ ଗତି କରିବାକୁ ପଡ଼ିବ ।
ଇନସ୍ୟୁରାନ୍ସ ଏବଂ ପରମିଟ୍: ବିନା ବୈଧ ବୀମା ଏବଂ ସରକାରୀ ଅନୁମତି ପତ୍ରରେ କୌଣସି ବ୍ୟାବସାୟିକ ଜାହାଜକୁ ପ୍ରବେଶ ସୁଯୋଗ ମିଳିବ ନାହିଁ ।
ଅଥରିଟିର ଚେତାବନୀ: ଯଦି କୌଣସି ଜାହାଜ ଏହି ନିୟମ, ସର୍ତ୍ତ କିମ୍ବା ନିର୍ଦ୍ଧାରିତ ରୁଟ୍ର ଉଲ୍ଲଂଘନ କରେ, ତେବେ ତାହା ପରେ ସୃଷ୍ଟି ହେବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା କ୍ଷୟକ୍ଷତି ପାଇଁ କେବଳ ଜାହାଜର ମାଲିକ ଏବଂ ଅପରେଟରମାନେ ହିଁ ଦାୟୀ ରହିବେ ।
ବିଶ୍ୱ ବାଣିଜ୍ୟ ଉପରେ ଏହାର ପ୍ରଭାବ:
ହୋର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗ ମଧ୍ୟରୁ ଏକ। ସାରା ବିଶ୍ୱରେ ବ୍ୟବହାର ହେଉଥିବା ମୋଟ୍ କ୍ରୁଡ୍ ଅଏଲ୍ ଏବଂ ଲିକ୍ୱିଫାଇଡ୍ ନାଚୁରାଲ୍ ଗ୍ୟାସ୍ ର ପ୍ରାୟ ୨୦ ପ୍ରତିଶତ କେବଳ ଏହି ପଥ ଦେଇ ପରିବହନ କରାଯାଇଥାଏ । ତେଣୁ ଇରାନର ଏହି ନୂଆ ନିୟମ ଆନ୍ତର୍ଜାତୀୟ ଶିପିଂ କମ୍ପାନୀ ଏବଂ ବିଶ୍ୱ ବ୍ୟାପାର ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।
ଆହୁରି ପଢ଼ନ୍ତୁ... Israel and Hezbollah ceasefire: ଇସ୍ରାଏଲ-ହିଜ୍ବୁଲ୍ଲା ଯୁଦ୍ଧବିରତି; ନେତାନ୍ୟାହୁଙ୍କୁ କିପରି ମନାଇଲେ ଆମେରିକା-କାତାର ?