ଭୁବନେଶ୍ୱର, ୨୦/୦୬: ଆଜି ମୟୂରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ ଗାଁ ପାହାଡ଼ପୁର ଯାଇ ଲୋକଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସେ ରାଜ୍ୟବାସୀଙ୍କ ପାଇଁ ୪୭ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିବେ । ରାଇରଙ୍ଗପୁରରେ ହେବାକୁ ଥିବା ଜନସଭାକୁ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।
ଏହି ଅବସରରେ ୮୧୧ କୋଟି ଟଙ୍କାର ରାସ୍ତା ଓ ସେତୁ ପ୍ରକଳ୍ପ ସହ ୫୩୦ କୋଟି ଟଙ୍କାର ପରିବହନ ଓ ଗମନାଗମନ ବ୍ୟବସ୍ଥା ଲୋକାର୍ପିତ ହେବ । ୩୨୧୮ କୋଟିର ଅନ୍ୟ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହେବ । ୨୫ହଜାର କୋଟି ଟଙ୍କାର ବିସିଜିସିଏଲ କୋଲ ଗ୍ୟାସିଫିକେସନ ପ୍ରକଳ୍ପ, ୧୭ହଜାର ୧୧୭ କୋଟି ଟଙ୍କାର ଉନ୍ନତ ବିଦ୍ୟୁତ ଶକ୍ତି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯିବ । ଏଥିସହ ଆଉ ୯୨୬ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯିବ ।
ଅଧିକ ପଢ଼ନ୍ତୁ :- President Visit : ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜନ୍ମଦିନରେ ଭେଟି ଦେବେ ବିଭିନ୍ନ ପ୍ରକଳ୍ପ
ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଶୁକ୍ରବାର ମୟୂରଭଞ୍ଜରେ ରହିବି । ରାଷ୍ଟ୍ରପତି ମୋ ସହିତ କାର୍ଯ୍ୟକ୍ରମରେ ଯୋଗ ଓ ମୟୂରଭଞ୍ଜ ତାଙ୍କ ଗୃହ ଜିଲ୍ଲା ହୋଇଥିବାରୁ ଗସ୍ତ ଉଲ୍ଲେଖନୀୟ ହେବ । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦିନ ୧୧ଟା ୫ ମିନିଟରେ ମୟୂରଭଞ୍ଜର ପାହାଡ଼ପୁର ହେଲିପ୍ୟାଡରେ ଓହ୍ଲାଇବେ । ୧୧ଟା ୧୫ରେ ପାହାଡ଼ପୁରର ଗୋଷାଣୀପୀଠକୁ ଯିବେ । ୧୨ଟା ୨୦ ଯାଏ ପାହାଡ଼ପୁରରେ ରହିବେ । ମଧ୍ୟାହ୍ନ ୧ଟାରେ ଦାଣ୍ଡବୋଷ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥାନରେ ପହଞ୍ଚିବେ । ସେଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଅପରାହ୍ନ ୨ଟା ଯାଏ କାର୍ଯ୍ୟକ୍ରମ ଚାଲିବ । ୨ଟା ୫ରେ ସେ ସେଠାରୁ ବାହାରି ଦାଣ୍ଡବୋଷ ହେଲିପ୍ୟାଡ ଅଭିମୁଖେ ଯିବେ । ୨ଟା ୧୫ରେ ପ୍ରଧାନମନ୍ତ୍ରୀ ପୁଣି ପଶ୍ଚିମବଙ୍ଗ ଫେରିଯିବେ ବୋଲି ସୂଚନା ମିଳିଛି ।