ଢେଙ୍କାନାଳ,୧୦/୧୨: ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ଅର୍ଥ ଦେବାରେ ଅବହେଳା। ସିଜ୍ ହେଲା ସଦର ତହସିଲଦାର ବ୍ୟବହାର କରୁଥିବା ସରକାରୀ ଗାଡି ଓ ଅଫିସ୍ ଆସବାବପତ୍ର। ଢେଙ୍କାନାଳ ସିଭିଲ କୋର୍ଟର ସିଭିଲ୍ ଜଜ୍ ସିନିୟର ଡିଭିଜନଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ସାମଗ୍ରୀ ପ୍ରଥମେ ସିଲ କରାଯିବା ପରେ ଜବତ କରାଯାଇଛି। ତେବେ ବାଜିଚୌକସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ସିଭିଲ୍ କୋର୍ଟ ଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, ବାଜିଚୌକ ନିକଟରେ ଥିବା ଫ୍ଲାଏ ଓଭର୍ ବ୍ରିଜ ପାଇଁ ହୋଇଥିବା ଜମି ଅଧିଗ୍ରହଣ ସମୟରେ ଜମି ମାଲିକଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା କଥା। ୨୦୧୩ ମସିହାରେ ଜମି ଅଧିଗ୍ରହଣକୁ ନେଇ ଢେଙ୍କାନାଳ ସିଭିଲ୍ କୋର୍ଟରେ କେସ୍ କରିଥିଲେ ଜମି ମାଲିକ। ସେତେବେଳେ ୧୨ ଡେସିମିଲି ଜମି ଅଧିଗ୍ରହଣ ହୋଇଥିଲା। ୨୦୨୩ ମସିହାରେ ଘଟଣାର ଶୁଣାଣି କରି ସିଭିଲ୍ ଜଜ୍ କ୍ଷତିଗ୍ରସ୍ତଙ୍କୁ ସୁଧ ବାବଦକୁ ୧୩ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି ଟଙ୍କା ନ ଦିଆଯାଇଥିବାରୁ ଲ୍ୟାଣ୍ଡ ଆକ୍ୟୁଜିସନ୍ ଅଫିସର୍ ତଥା ସଦର ତହସିଲଦାରଙ୍କ ଦ୍ବାରା ବ୍ୟବହୃତ ଆସବାବପତ୍ର ସିଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବାବଦରେ ତହସିଲଦାରଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ ଗାଡି, ଆଲମିରା, କମ୍ପ୍ୟୁଟର, ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ସିଜ୍ କରାଯାଇଛି। ଏ ସମ୍ପର୍କରେ ସଦର ତହସିଲଦାର ସ୍ୱାଧୀନ କୁମାର ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।