ନୂଆଦିଲ୍ଲୀ,୦୬/୦୧:ନେପାଳର ମକୱାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖାଇକୁ ଖସିଲା ଜିପ୍ । ଫଳରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଗମତୀ ପ୍ରଦେଶର ମକୱାନପୁର ଜିଲ୍ଲାରେ ଏକ ଜିପ୍ ପାହାଡିଆ ରାସ୍ତାରୁ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଏହି ଘଟଣାରେ ଦୁଇ ଭାରତୀୟ ନାଗରିକଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିପ୍ ଏବଂ ମୃତକଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାଟି ଶନିବାର ରାତିରେ ଘଟିଥିବା ଜଣାପଡ଼ିଛି। ଘଟଣା ସମୟରେ ଜିପ୍ରେ ପ୍ରାୟ ନଅ ଜଣ ଥିଲେ। ପୁଲିସ କହିଛି ଯେ, ଦୁର୍ଘଟଣା ସମୟରେ ଗାଡିଟି କାଠମାଣ୍ଡୁରୁ ହେଟାଉଡା ଅଭିମୁଖେ ଯାତ୍ରା କରୁଥିଲା। ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ନାଗରିକ। ବିହାରର ମୂଳ ବାସିନ୍ଦା ଭାରତୀୟ ନାଗରିକଙ୍କ ନାମ ରଜନୀଶ କୁମାର ଏବଂ ଅରବିନ୍ଦ କୁମାର ବୋଲି ଚିହ୍ନଟ କରାଯାଇଛି। ସେମାନେ କାମ ପାଇଁ ନେପାଳ ଯାତ୍ରା କରୁଥିବା ଜଣାପଡିଛି। ନେପାଳ ପୁଲିସ ସେମାନଙ୍କ ପରିବାରକୁ ସୂଚନା ଦେଇଛି। ପୁଲିସ ଅନୁସାରେ, ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ମକୱାନପୁରର ମୁଖପାତ୍ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ପୁଷ୍କର ବୋଗାଟିଙ୍କ ଅନୁଯାୟୀ, ଜିପରେ ଛଅ ଜଣ ପୁରୁଷ, ଜଣେ ମହିଳା ଏବଂ ଦୁଇ ଜଣ ପିଲା ଥିଲେ। ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ଆହତଙ୍କୁ ହେଟାଉଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତଙ୍କ ମଧ୍ୟରୁ ତିନି ଜଣ ବର୍ତ୍ତମାନ ହେଟାଉଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପାଇଁ ସମସ୍ତ ମୃତଦେହକୁ ହେଟାଉଣ୍ଡା ଅଣାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।