କାଠମାଣ୍ଡୁ, ୧୩/୯ : ଅଶାନ୍ତ ନେପାଳରେ ଫେରୁଛି ଶାନ୍ତି। ନୂଆ ସୂର୍ଯ୍ୟୋଦୟ ଦେଖିଲେ ନେପାଳବାସୀ। ହିଂସା, ଉପଦ୍ରବ ପରେ ପଡ଼ୋଶୀ ଦେଶକୁ ଶାନ୍ତି ଫେରିଛି। ରାଜଧାନୀ କାଠମାଣ୍ଡୁରେ ସକାଳ ୫ଟାରୁ କର୍ଫ୍ୟୁ ହଟାଇ ଦିଆଯାଇଛି। ଲୋକମାନେ ନିଜ ନିଜ କାମକୁ ଫେରିଛନ୍ତି। ଅନ୍ତରୀଣ ସରକାର ଆସିବା ପରେ ସ୍ଥିତିକୁ ଦେଖି କର୍ଫ୍ୟୁ ହଟାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଉ କିଛି ଦିନ ଯାଏଁ ନେପାଳ ଆର୍ମି ମୁତୟନ ରହିବେ ବୋଲି ସୂଚନା ମିଳିଛି।

ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଦେଶର ଶାସନ ଭାର ନିଜ କାନ୍ଧକୁ ନେଇଛନ୍ତି। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଧାନୀର ସଡ଼କ ଏବେ ଧୀରେଧୀରେ ସାମାନ୍ୟ ହେଉଛି। ସୁଶୀଳା କାର୍କି ନେପାଳରେ ଏକ ନୂଆ ଯୁଗର ଆରମ୍ଭ କରିବେ ବୋଲି ନେପାଳବାସୀ ଆଶାବାଦୀ ଅଛନ୍ତି।

​​​​​​​ଉଲ୍ଲେଖଯୋଗ୍ୟ, ନେପାଳରେ ସୋସିଆଲ ମିଡିଆ ବ୍ୟାନ୍‌କୁ ବିରୋଧ କରି ଜେନ୍‌-ଜି’ଙ୍କ ଆନ୍ଦୋଳନ ଶେଷରେ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଥିଲା । ଆନ୍ଦୋଳନକାରୀ ହିଂସ୍ର ହୋଇ ସଂସଦ, ରାଷ୍ଟ୍ରପତି ଭବନ, ପୂର୍ବତନ ପ୍ରଧାନମନ୍ତ୍ରୀ ଓଲିଙ୍କ ବାସଭବନ ସମେତ ବହୁ ମନ୍ତ୍ରୀ ଓ ନେତାଙ୍କ ଘରେ ନିଆଁ ଲଗାଇଥିଲେ । ଆନ୍ଦୋଳନକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲାନାଥ ଖନାଲଙ୍କ ଘରେ ନିଆଁ ଲଗାଇଦେବାରୁ ତାଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ଘଟିଥିଲା । ସେହିପରି ପୁଲିସ ସହ ସଂଘର୍ଷରେ ଅନ୍ୟୁନ ୫୧ ଆନ୍ଦୋଳନକାରୀ ପ୍ରାଣ ହରାଇଛନ୍ତି ଏବଂ ୧,୭୦୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି ।