ନୂଆଦିଲ୍ଲୀ,୧୧/୦୨; ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ନେଦରଲାଣ୍ଡ୍‌ସ ବିଜୟ ଖାତା ଖୋଲିଛି । ପ୍ରଥମ ମ୍ୟାଚରେ ପାକିସ୍ତାନର ଠାରୁ ପରାଜିତ ହୋଇଥିବା ନେଦରଲାଣ୍ଡ୍‌ସ ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍ ଏ’ର ଏକ ମ୍ୟାଚରେ ନାମିବିୟାକୁ ୭ ୱିକେଟ୍‌ରେ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାମିବିୟା ୮ ୱିକେଟ୍ ବିନିମୟରେ ୧୫୬ରନ ସଂଗ୍ରହ କରିଥିଲା । ଜବାବରେ ନେଦରଲାଣ୍ଡ୍‌ସ ୧୮ ଓଭରରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ୨ଟି ୱିକେଟ୍ ନେବା ସହ ଅପରାଜିତ ୭୨ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବାସ ଡି ଲିଡ୍ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନାମିବିୟା ୧୦ ରନ୍‌ରେ ଓପନର ଲୌରେନ ଷ୍ଟିନକାମ୍ପ (୬)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଜାନ ଫ୍ରଏଲିଙ୍କ ଓ ଜାନ ନିକୋଲ ଲଫ୍ଟି-ଇଟନ ଲଢୁଆ ବ୍ୟାଟିଂ କରି ୫୦ ରନର ଭାଗିଦାରୀ ଗଠନ କରିଥିଲେ । ଫ୍ରାଏଲିଙ୍କ ୩୦ ରନ କରି ଆଉଟ୍ ହେବା ପରେ ନାମିବିୟା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୮/୧୫୬ ରନ କରିଥିଲା ।

ଏହା ବି ପଢନ୍ତୁ...ୟୁଏସ୍ଏକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଲା ପାକିସ୍ତାନ, ୧୫ରେ ଭାରତ ସହ ମହାମୁକାବିଲା

ଲଫ୍ଟି-ଇଟନ ୪୨ ରନର ଉପଯୋଗୀ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗେରହାର୍ଡ ଏରାସମସ ୧୮ ଓ ଜେଜେ ସ୍ମିଟ୍ ୨୨ ରନ କରିଥିଲେ । ଜବାବରେ ନେଦରଲାଣ୍ଡ୍‌ ମଧ୍ୟ ୧୬ ରନ୍‌ରେ ଓପନର ମାକ୍ସ ଓ’ଦାଉଦ (୭) ଙ୍କ ୱିକେଟ୍ ହରାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଡି ଲିଡ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତନ ଅର୍ଜନ କରିବା ସହ ଦଳକୁ ଜିତାଇଥିଲେ । ସେ ୪୮ଟି ବଲ୍‌ର ସାମ୍ନା କରି ୫ଚୌକା ଓ ୪ ଛକା ବଳରେ ୭୨ ରନ କରିଥିଲେ । ଲେଭିଟ୍ ୨୮ (୧ଚୌକା, ୩ଛକା) ରନ କରି ଆଉଟ୍ ହୋଇଥିଲେ । ସେହିପରି କଲିନ ଆକରମାନ ୩୨ ଓ ସ୍କଟ ଏଡୱାର୍ଡ୍ସ ଅପରାଜିତ ୧୮ ରନ କରିଥିଲେ ।