ଭୁବନେଶ୍ୱର, ୧୫।୧ :   ପୃଥିବୀରେ ପ୍ରଦୁଷଣ ଦୂରୀକରଣ ନିମନ୍ତେ ଅନେକ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ କରାଯାଉଛି । ମାତ୍ର ଏଗୁଡ଼ିକ ଅତ୍ୟଧିକ ବ୍ୟୟସାପେକ୍ଷ । ଏହାଛଡ଼ା ଏହି ପଦ୍ଧତିଗୁଡ଼ିକ ବ୍ୟବହାର କରିବା ଫଳରେ ପ୍ରଦୁଷଣ ବୃଦ୍ଧି ପାଇବା ମଧ୍ୟ ଲକ୍ଷ୍ୟ କରାଯାଉଛି । 

ମାତ୍ର ଗବେଷକମାନେ ଅନୁଭବ କରୁଛନ୍ତି ଯେ ଉଦ୍ଭିଦକୁ ବ୍ୟବହାର କରି ‘ଫାଇଟୋରେମେଡିଏସନ୍‌’ ନାମକ ପଦ୍ଧତି ଏହି ପ୍ରଦୁଷଣ ଦୂରୀକରଣରେ ସାହାଯ୍ୟ କରିପାରିବ । ଏହି ପଦ୍ଧତି ଅଧିକ ଲାଭଦାୟକ ହେବ ବୋଲି ସେମାନେ ମନେ କରୁଛନ୍ତି । 

ଏହି ପ୍ରସଙ୍ଗ ଉପରେ ଲିଖିତ ଏକ ପୁସ୍ତକ ‘ସଷ୍ଟେନେବଲ ମ୍ୟାନେଜମେଂଟ ଅଫ୍‌ ଏନ୍‌ଭାଇରନ୍‌ମେନ୍‌ଟାଲ ପଲ୍ୟୁଟାଂଟସ ଥ୍ରୁ ଫାଇଟୋରେମେଡିଏସନ୍‌’ କୁ ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଟି ୪ ଜଣ ଗବେଷକଙ୍କ ଦ୍ୱାରା ଅନୁବାଦିତ ହୋଇଛି । 

ଏହି ଗବେଷକଙ୍କ ମଧ୍ୟରୁ ସୋଆ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଛନ୍ତି। ସେମାନେ ହେଲେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ମେଡିକାଲ ରିସର୍ଚ୍ଚ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଦତ୍ତାତ୍ରେୟ କର ଓ ସେଂଟର ଫର ବାୟୋ ଟେକ୍ନୋଲଜିର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଅନନ୍ୟା କୁଅଁର। ଅନ୍ୟ ଦୁଇଜଣ ଗବେଷକ ହେଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଆଲୋକ ପ୍ରସାଦ ଦାସ ଓ ଗବେଷକ ଓ ଲେଖକ ଡକ୍ଟର ମଲିନ୍‌ ପି. ସାହ।

ପୁସ୍ତକ ଉନ୍ମୋଚନ ବେଳେ ଡକ୍ଟର ଦତ୍ତାତ୍ରେୟ କର ଓ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର (ଡକ୍ଟର) ସଂଘମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।