ନୂଆଦିଲ୍ଲୀ,୨୦/୦୫: କରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କାରଣ  ଏସିଆର ସିଙ୍ଗାପୁର, ହଂକଂ, ଚୀନ୍‌ ଓ ଥାଇଲାଣ୍ଡରେ ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି । ସିଙ୍ଗାପୁରରେ ମେ ୧ରୁ ୧୯ ମଧ୍ୟରେ ୩  ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ଶେଷ ସପ୍ତାହରେ ଏହି ସଂଖ୍ୟା ୧୧,୧୦୦ ଥିଲା ।  ଅର୍ଥାତ ଏବେ ୨୮ ପ୍ରତିଶତ ବଢ଼ିଛି । ହଂକଂରେ ଜାନୁଆରୀରେ ଏପର୍ଯ୍ୟନ୍ତ ୮୧ ନୂଆ ମାମଲା ଚିହ୍ନଟ  ହୋଇଛି । ଏଥିରେ ୩୦ଜଣଙ୍କ ମୃତ୍ୟୁ ବି ହୋଇଛି ।  ଚୀନ୍‌ ଓ ଥାଇଲାଣ୍ଡରେ ଆଲର୍ଟ ଜାରି କରାଯାଇଛି । କିନ୍ତୁ  ସେଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ନେଇ କୌଣସି  ସୂଚନା ଦିଆଯାଇନାହିଁ । କିନ୍ତୁ ବେସରକାରୀ ଭାବେ  ସଂକ୍ରମଣ ମାମଲା ୨ ଗୁଣ ବଢ଼ିଥିବା କୁହାଯାଉଛି ।  

ଏଥର ସଂକ୍ରମଣ ବଢ଼ିବା ପଛରେ ଓମାଇକ୍ରନର  ନୂଆ ଭାରିଆଣ୍ଟ ଜେଏନ୍‌୧ ଏବଂ ଏହାର ସବ୍‌  ଭାରିଆଣ୍ଟ ଏଲ୍‌ଏଫ୭ ଏବଂ ଏନ୍‌ବି୧.୮ ବୋଲି  କୁହାଯାଉଛି । ସରକାରୀ ଅଧିକାରୀଙ୍କ କହିବାନୁଯାୟୀ  ନୂଆ ଭାରିଆଣ୍ଟ ପୂର୍ବାପେକ୍ଷା ଦ୍ରୁତ ସଂକ୍ରମଣଶୀଳ କିମ୍ବା  ଅଧିକ ବିପଜ୍ଜନକ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ  ମିଳିନାହିଁ । କିନ୍ତୁ କରୋନାର ଏହି ଲହର କମ୍‌ ରୋଗ  ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଠାରେ ପ୍ରଭାବ ଦେଖାଇବାର ସମ୍ଭାବନା ରହିଛି । 

ଭାରତରେ ମେ ୧୨ରୁ  ୧୯ ଏପର୍ଯ୍ୟନ୍ତ ସପ୍ତାହକ ଭିତରେ ୧୬୪ ନୂଆ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୨୫୭ ନୂଆ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି । କେରଳ, ମହାରାଷ୍ଟ୍ର ଓ ତାମିଲନାଡୁରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରେ ୬୯, ମହାରାଷ୍ଟ୍ରରେ ୪୪ ଓ  ତାମିଲନାଡୁରେ ୩୪ ଜଣ ନୂଆ ସଂକ୍ରମିତ ଅଛନ୍ତି ।  ଏପରିକି ମହାରାଷ୍ଟ୍ରରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଜଣେ କ୍ୟାନସର ଆକ୍ରନ୍ତ ଥିଲାବେଳେ  ଅନ୍ୟ ଜଣେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । କିନ୍ତୁ ଉଭୟେ କୋଭିଡ ସଂକ୍ରମିତ ହୋଇଥଲେ । ହେଲେ  ଡାକ୍ତର ଏହା କୋଭିଡ ମୃତ୍ୟୁ ନୁହେଁ ବୋଲି କହିଛନ୍ତି ।