ନୂଆଦିଲ୍ଲୀ,୦୨/୧୦:  ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ। ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦିଲ୍ଲୀରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ତେବେ ପୂର୍ବରୁ, ନରେନ୍ଦ୍ର ମୋଦି  ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି  ଲେଖିଥିଲେ ଯେ, "ଗାନ୍ଧୀ ଜୟନ୍ତୀ ହେଉଛି ପ୍ରିୟ ବାପୁଙ୍କ ଅସାଧାରଣ ଜୀବନକୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ଦିନ, ଯାହାଙ୍କ ଆଦର୍ଶ ମାନବ ଇତିହାସର ଗତିପଥକୁ ବଦଳାଇ ଦେଇଥିଲା। ସେ ଦେଖାଇଥିଲେ  ସାହସ ଏବଂ ସରଳତା କିପରି ମହାନ ପରିବର୍ତ୍ତନର ଉପକରଣ ହୋଇପାରେ।"

ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ବିଷୟରେ କହି ସେ ଆହୁରି କହିଥିଲେ ଯେ, ସେ ସେବା ଏବଂ କରୁଣାର ଶକ୍ତିକୁ ଲୋକଙ୍କୁ ସଶକ୍ତ କରିବା ପାଇଁ ଏକ ଅତ୍ୟାବଶ୍ୟକ ଉପାୟ ଭାବରେ ବିବେଚନା କରୁଥିଲେ। ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମେ ତାଙ୍କ ପଥ ଅନୁସରଣ କରି ଚାଲିବୁ। ସାରା ଦେଶ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ କରେ। ଏହାକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରିଛନ୍ତି।  ଯାହାଙ୍କ ଜନ୍ମବାର୍ଷିକୀ ମଧ୍ୟ ଅକ୍ଟୋବର ୨ରେ ପଡୁଛି। 

ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜୀ ଜଣେ ଅସାଧାରଣ ରାଜନେତା ଥିଲେ ଯାହାଙ୍କ ସଚ୍ଚୋଟତା, ନମ୍ରତା ଏବଂ ଦୃଢ଼ ସଂକଳ୍ପ ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଭାରତକୁ ମଜବୁତ କରିଥିଲା।"  ଲାଲ ବାହାଦୁର ଶାସ୍ତ୍ରୀ ଅନୁକରଣୀୟ ନେତୃତ୍ୱ, ଶକ୍ତି ଏବଂ ନିର୍ଣ୍ଣାୟକ କାର୍ଯ୍ୟର ପ୍ରତୀକ ଥିଲେ। ତାଙ୍କର "ଜୟ ଜବାନ ଜୟ କିଷାନ" ସ୍ଲୋଗାନ ଆମ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିଥିଲା। ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ସେ ଆମକୁ ପ୍ରେରଣା ଦେଇ ଚାଲିଥିବା ମୋଦି କହିଛନ୍ତି ।  ପ୍ରକାଶ ଥାଉକି, ଆଜି ଭାରତର ଏହି ଦୁଇ ମହାପୁରୁଷଙ୍କୁ ମନେ ପକାଉଛି ଦେଶ । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତ୍ରୀ ପାଳନ କରାଯାଉଛି । ଏହି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଦେଶ ପ୍ରତି ଏହି ଦୁଇ ମହାପୁରୁଷ ଅବଦାନ ଅତୁଳନୀୟ । ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଲାଲା ବାହାଦୂର ଶାସ୍ତ୍ରୀ ଭାରତକୁ ସ୍ବାଧୀନତା ଦେବାକୁ ଲଢିଥିଲେ । ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅଦ୍ବିତୀୟ ପ୍ରତିଭା ତାଙ୍କୁ ଆଣିଦେଇଥିଲା ସ୍ବତନ୍ତ୍ର ପରିଚୟ । ସେ ଗାନ୍ଧୀଙ୍କ ବିଚାର ଏବଂ ଜୀବନଶୈଳୀ ତାଙ୍କୁ ପ୍ରେରଣା ଯୋଗାଉଥିଲା ।