ନୂଆଦିଲ୍ଲୀ ୨୧/୦୫: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି । ଚନ୍ଦ୍ରଯାନ-୩ ମିଶନ୍ର ପ୍ରୟୋଗରୁ ଜଣାପଡ଼ିଛି, ଚନ୍ଦ୍ରର ପୃଷ୍ଠ ଏକ ସମାନ ଧୂଳିପୂର୍ଣ୍ଣ ପୃଷ୍ଠ ନୁହେଁ । ଏହା ଦୁଇ ଭିନ୍ନ ଭିନ୍ନ ପରସ୍ତଯୁକ୍ତ କେକ୍ ଭଳି ସଂରଚନାଯୁକ୍ତ । ଉପର ପରସ୍ତ କେବଳ କିଛି ସେଣ୍ଟିମିଟର ମୋଟା, ଅନ୍ୟପକ୍ଷେ ନିମ୍ନ ପରସ୍ତ ଅଧିକ ଶକ୍ତ ଓ ଘନ ।
ଏହି ଆବିଷ୍କାର ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର୍ର ୨ ସେପ୍ଟେମ୍ବର, ୨୦୨୩ର ସେହି ଛୋଟ ଲମ୍ଫ ସମୟରେ ହୋଇଥିଲା । ଯେତେବେଳେ ଲ୍ୟାଣ୍ଡର୍ର ଇଞ୍ଜିନ ଚାଲୁ କରାଗଲା, ଏଥିରୁ ନିର୍ଗତ ଗରମ ଗ୍ୟାସ୍ ଉପର ୩ ସେମିର ମୋଟା ଢିଲା ଧୂଳିକୁ ଉଡ଼ାଇଦେଲା । ଏହା ଦ୍ୱାରା ନିମ୍ନର ପୁରୁଣା ମଜଭୁତ ପରସ୍ତ ସାମ୍ନାକୁ ଆସିଲା । ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ, ଅହମଦାବାଦର ବୈଜ୍ଞାନିକମାନେ ଏହି ତଥ୍ୟର ଯାଞ୍ଚ୍ କରି ଜାଣିବାକୁ ପାଇଲେ, ଚନ୍ଦ୍ର ପୃଷ୍ଠରେ ଲଗାତାର ଛୋଟ ଛୋଟ ଉଲ୍କାପିଣ୍ଡ ମାଡ଼ ହେବା ଯୋଗୁ ଉପର ପରସ୍ତ ପତଳା ଓ ଢିଲା ହୋଇଯାଇଛି ।
ଇସ୍ରୋ ଏହାକୁ ସରଳ ଭାଷାରେ ବୁଝାଇ କହିଛି, ଯଦି ଜଣେ ମହାକାଶ ଯାତ୍ରୀ ଚନ୍ଦ୍ରରେ ଚାଲିବେ ତେବେ ଉପର ପୃଷ୍ଠ ଶୁଖିଲା ଅଟା ଭଳି ଲାଗିବ । କିଛି ସେମି ତଳେ ଆର୍ଦ୍ର ଓ କଠିନ ମାଟି ଭଳି ଦୃଶ୍ୟ ମିଳିବ । ଚନ୍ଦ୍ର ପୃଷ୍ଠର ଦୁଇଟି ପରସ୍ତକୁ ବୁଝିବା ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ଅତ୍ୟନ୍ତ ଜରୁରି । ଇସ୍ରୋ ଅନୁସାରେ, ଏହି ତଥ୍ୟ ଖାସ୍କରି ଚନ୍ଦ୍ରର ଦକ୍ଷିଣ ମେରୁ କ୍ଷେତ୍ରରେ ଅବତରଣ, ରୋଭର ଚାଳନା ଏବଂ ଭବିଷ୍ୟତରେ ବୈଜ୍ଞାନିକ ବେସ୍ ନିର୍ମାଣ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ।
ଆହୁରି ପଢ଼ନ୍ତୁ...Suryastra tested: ଚାନ୍ଦିପୁରରେ ଗର୍ଜିଲା ‘ସୂର୍ଯ୍ୟାସ୍ତ୍ର’ ରକେଟ୍, ୩୦୦ କିଲୋମିଟର ଦୂରରେ ୨ ମିଟର ସଠିକତାରେ ଟାର୍ଗେଟ୍କୁ କରିବ ଧ୍ୱଂସ